ନୂଆଦିଲ୍ଲୀ: ଏଚ୍ସିଏଲ୍ ଟେକ୍ନୋଲଜି ପ୍ରତିଷ୍ଠାତା ଶିବ ନାଦର ଦେଶର ସବୁ ଧନୀଙ୍କୁ ପଛରେ ପକାଇ ପୁଣି ଥରେ ଦାନବୀରଙ୍କ ତାଲିକାରେ ଶୀର୍ଷରେ ସ୍ଥାନ ହାସଲ କରିଛନ୍ତି । ଧନୀ ତାଲିକାଠୁ ଆରମ୍ଭ କରି ଦାନୀ ଏବଂ ଆଚିଭର୍ସଙ୍କ ଲିଷ୍ଟ ଜାରି କରୁଥିବା ସଂଗଠନ ହୁରୁନ ଇଣ୍ଡିଆ ଗୁରୁବାର ନୂଆ ରିପୋର୍ଟ ଜାରି କରିଛି । ଏଥିରେ ଦେଶର ସବୁଠୁ ଅଧିକ ଦାନ କରୁଥିବା ବ୍ୟବସାୟୀଙ୍କ ନାଁ ରହିଛି । ହୁରୁନ ଇଣ୍ଡିଆ ନିୟମିତ ବ୍ୟବଧାନରେ ଏହିପରି ସୂଚୀ ଜାରି କରିଥାଏ ।
ହୁରୁନ ଇଣ୍ଡିଆର ଶୀର୍ଷ ୧୦ ପରୋପକାରୀ ତାଲିକା ଅନୁସାରେ ଦେଶରେ ସବୁଠୁ ଅଧିକ ଦାନ କରିଥିବା ବ୍ୟବସାୟୀ ହେଉଛନ୍ତି ଶିବ ନାଦର । ସେ ଗତ ବର୍ଷ ମଧ୍ୟ ଏହି ସୂଚୀର ଶୀର୍ଷରେ ରହିଥିଲେ । ଏଚ୍ସିଏଲ୍ ଟେକ୍ନୋଲଜିର ପ୍ରତିଷ୍ଠାତା ଶିବ ନାଦର ଏବଂ ତାଙ୍କ ପରିବାର ୨୦୨୪ରେ ୨,୧୫୩ କୋଟି ଟଙ୍କା ଦାନ କରିଛନ୍ତି ।
ଶିବ ନାଦରଙ୍କ ପରେ ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ୱାନୀ ଏବଂ ପରିବାର ଅଛନ୍ତି । ପରୋପକାରୀ ଏବଂ ଲୋକ କଲ୍ୟାଣ ପାଇଁ ୪୦୭ କୋଟି ଟଙ୍କା ଦାନ କରିଛନ୍ତି । ବଜାଜ୍ ଫ୍ୟାମିଲି ଏହି ତାଲିକାରେ ଲମ୍ଫ ମାରି ଷଷ୍ଠରୁ ତୃତୀୟ ସ୍ଥାନରେ ପହଞ୍ଚିଛି । ବଜାଜ୍ ଫ୍ୟାମିଲି ଚଳିତ ବର୍ଷ ୩୫୨ କୋଟି ଟଙ୍କା ଦାନ କରିଛନ୍ତି ।
କୁମାର ମଙ୍ଗଲମ୍ ଏବଂ ବିର୍ଲା ଫ୍ୟାମିଲି ୩୩୪ କୋଟି ଟଙ୍କା ଦାନ କରି ହୁରୁନ ଇଣ୍ଡିଆ ଲିଷ୍ଟର ଚତୁର୍ଥ ସ୍ଥାନ ଅଛନ୍ତି । ସେହିପରି ଗୌତମ ଆଦାନୀ ଏବଂ ତାଙ୍କ ପରିବାର ୩୩୦ କୋଟି ଟଙ୍କା ଦାନ କରି ପଞ୍ଚମ ସ୍ଥାନରେ ଅଛନ୍ତି । ଇନଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଳେକଣି ୩୦୭ କୋଟି ଟଙ୍କା ଦାନ କରି ଷଷ୍ଠ, ସପ୍ତମରେ କ୍ରିଷ୍ଣା ଚିବୁକୁଲା (୨୨୮ କୋଟି ଟଙ୍କା), ଅଷ୍ଟମ ସ୍ଥାନରେ ଅନିଲ ଅଗ୍ରୱାଲ୍ ଏବଂ ପରିବାର (୧୮୧ କୋଟି ଟଙ୍କା), ନବମ ସ୍ଥାନରେ ସୁସ୍ମିତା ଏବଂ ସୁବ୍ରତ ବାଗଚୀ (୧୭୯ କୋଟି ଟଙ୍କା) ଏବଂ ରୋହିଣୀ ନିଳେକଣି ୧୫୪ କୋଟି ଟଙ୍କା ଦାନ ସହ ୧୦ମ ସ୍ଥାନରେ ଅଛନ୍ତି ।
ଦେଶର ଶୀର୍ଷ ୧୦ ଦାନୀ ବ୍ୟବସାୟୀ ମୋଟ ୪୬୨୫ କୋଟି ଟଙ୍କା ଦାନ କରିଛନ୍ତି । ଏଥିରୁ ୬ ଜଣ ବ୍ୟବସାୟୀ ନିଜ ସିଏସଆର୍ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାର ଉନ୍ନତି ଉପରେ କାମ କରିଛନ୍ତି ।