ସୁରକ୍ଷା, ଅର୍ଥବ୍ୟବସ୍ଥା, ଆତ୍ମନିର୍ଭରତା, ବୈଷୟିକ ପ୍ରଗତି; ପିଏମ୍‌ଙ୍କ ୧୦ ଘୋଷଣା ଯାହା ଭାବିଷ୍ୟତର ଭାରତକୁ ଦେବ ରୂପ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ଲାଲ୍ କିଲ୍ଲାର ଐତିହାସିକ ପ୍ରଚୀରରେ ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ୱୋଧନ କରିଥିଲେ । ୧୦୩ ମିନିଟର ସବୁଠୁ ବଡ଼ ଭାଷଣରେ ସେ ସୁରକ୍ଷା, ଅର୍ଥବ୍ୟବସ୍ଥା, ଆତ୍ମନିର୍ଭରତା, ବୈଷୟିକ ପ୍ରଗତି ଓ ଯୁବ ବର୍ଗଙ୍କ ସଶକ୍ତିକରଣ ପରି ପ୍ରସଙ୍ଗରେ ଦେଶର ଦିଗ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବାର ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ତେବେ ଆସନ୍ତୁ ଜାଣିବା ଭାଷଣର ୧୦ ଗୁରୁତ୍ୱପୂର୍ଣ୍ଣ କଥା....

ଅପରେସନ୍ ସିନ୍ଦୂରର ବୀର ଯବାନଙ୍କୁ ସଲାମ- ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ୍ ସିନ୍ଦୂରର ଯବାନଙ୍କ ସାହସୀକତାକୁ ନମନ କରି କହିଛନ୍ତି, ଆତଙ୍କୀଙ୍କୁ ସେମାନଙ୍କ କଳ୍ପନା ବାହାରେ ସଜା ଦେଇଛନ୍ତି । 

ପରମାଣୁ ଧମକ ଉପରେ କଠୋର ଆଭିମୁଖ୍ୟ- ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ପରମାଣୁ ଧମକକୁ ଏବେ ଆଦୌ ବରଦାସ୍ତ କରିବ ନାହିଁ ଓ ଆତଙ୍କୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଏକ ବୋଲି ଧରାଯିବ । 

ବିକଶିତ ଭାରତ@୨୦୪୭ର ସଂକଳ୍ପ- ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ସଂକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦୋହରାଇଛନ୍ତି । ଏହାସହ ସବୁ ଦେଶବାସୀଙ୍କୁ ଏଥିରେ ଯୋଗଦାନ ପାଇଁ ଅପିଲ୍ କରିଛନ୍ତି । 

ଆତ୍ମନିର୍ଭର ଭାରତ ଓ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର- ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଦେଶୀ ନିର୍ଭରତା, ମୁଖ୍ୟତଃ ଆମେରିକାର ଟାରିଫ୍ ପରି ଖବର, ବିନାଶକାରୀ ହୋଇପାରେ । ଏଥିପାଇଁ ମେକ୍ ଇନ୍ ଇଣ୍ଡିଆ ଓ ‘ଦମ୍ ଅଧିକ, ଦାମ କମ’ର ମନ୍ତ୍ର ସହ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଜରୁରି ଅଟେ ।

ମେଡ୍ ଇନ୍ ଇଣ୍ଡିଆ ଜେଟ୍, ସେମିକଣ୍ଡକ୍ଟର ମିଶନ ଓ ମହାକାଶରେ ଷ୍ଟେସନ- ପିଏମ୍ ମୋଦୀ କହିଛନ୍ତି ଯେ ଭାରତରେ ଲଢୁଆ ବିମାନ ପାଇଁ ନିଜର ଜେଟ୍ ଇଞ୍ଜିନ, ସେମିକଣ୍ଡକ୍ଟର ମିଶନ ଓ ନିଜର ସ୍ପେସ୍ ଷ୍ଟେସନ ପ୍ରସ୍ତୁତ କରିବା ପାଇଁ ମହାତ୍ୱାକାଂକ୍ଷୀ ଯୋଜନା ଉପରେ କାମ କରାଯାଉଛି । ଏଥିପାଇଁ ନେକ୍ସଟ୍ ଜେନରେସନ୍ ରିଫର୍ମର ଟାସ୍କ ଫୋର୍ସ ଗଠନ କରାଯାଇଛି ।

ଯୁବ ଶକ୍ତିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା- ପ୍ରଧାନମନ୍ତ୍ରୀ ବିକାଶଶୀଳ ଭାରତ ରୋଜଗାର ଯୋଜନା ଆରମ୍ଭରେ ପ୍ରଥମ ଥର ଚାକିରି ପାଇଥିବା ଯୁବକଙ୍କୁ 15 ହଜାର ଟଙ୍କା ମିଳିବ ଓ କମ୍ପାନିକୁ ଅଧିକ ରୋଜଗାର ଦେବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ ।             

ନୂତନ ପିଢିର ଜିଏସଟି ସଂସ୍କାର- ପିଏମ୍ ମୋଦୀ ଆଗାମୀ ସ୍ତରର ଜିଏସଟି ସଂସ୍କାର ନେଇ ଘୋଷଣା କରିଛନ୍ତି । ଯାହାକୁ ସେ ଜନତାଙ୍କ ପାଇଁ ଦୀପାବଳି ଗିଫ୍ଟ ବୋଲି କହିଛନ୍ତି ।

କୋଭିଡ୍ ଓ ଆତଙ୍କୀଙ୍କ ଲଢେଇରେ ଆତ୍ମନିର୍ଭରର ମହତ୍ୱ- ସେ କହିଛନ୍ତି ଯେ ଆତ୍ମନିର୍ଭରତା ଭାରତକୁ ମହାମାରୀ ଓ ସୁରକ୍ଷା ଆହ୍ୱାନ ସହ ଲଢିବାରେ ସକ୍ଷମ କରିଛି ।

ଶାନ୍ତି, କିନ୍ତୁ ସାର୍ବଭୌମତ୍ୱ ଉପରେ କୌଣସି ସାଲିସ୍ ନାହିଁ- ରାଷ୍ଟ୍ରକୁ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ଭାରତ ଶାନ୍ତିପ୍ରିୟ କିନ୍ତୁ ନିଜର ସାର୍ବଭୌମତ୍ୱର ରକ୍ଷାରେ କୌଣସି ବୁଝାମଣା କରିବ ନାହିଁ ।

ଖେଳ ଓ କୃଷି କ୍ଷେତ୍ରରେ ଉପଲବ୍ଧି- ଖେଲୋ ଭାରତ ନୀତି ଜରିଆରେ ଖେଳକୁ ପ୍ରୋତ୍ସାହିତ କରିବା କଥା କହିଛନ୍ତି । ଏହା ସହ ଭାରତକୁ ଗହମ, ଚାଉଳ, ଫଳ ଓ ପନିପରିବା ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ଅଛି । ଏହା ସହ ୪ ଲକ୍ଷ କୋଟି ଟଙ୍କା ଆଗ୍ରୋ ଉତ୍ପାଦର ରପ୍ତାନୀ ହୋଇଛି ।  

   


   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.