ନୂଆଦିଲ୍ଲୀ : ଭାରତରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସେମାନଙ୍କୁ ତଲାସ କରି ଧରା ଯାଉଛି। ଏବେସୁଦ୍ଧା ଗିରଫ ହୋଇଥିବା ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସଙ୍କୁ ପଚରାପଚରି କରିବା ବେଳେ ଏକ ବଡ଼ ଖୁଲାସା ହୋଇଛି। ପାକସ୍ତାନରେ ରହୁଥିବା ଜଣେ ମହିଳାଙ୍କ ନାଁ ସାମନାକୁ ଆସିଛି। ଏହି ମହିଳାଙ୍କୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ, ମ୍ୟାଡାମ୍ ଏନ୍ ନାମ ଦେଇଛି। ଏହି ମହିଳାଙ୍କୁ କଥିତ ଭାବେ ଭାରତ ବିରୋଧରେ ଗୁପ୍ତଚର ନେଟୱର୍କ ଚଲାଇବାର ଦାୟିତ୍ୱ ଦିଆ ଯାଇଛି। ଏହି ମହିଳା ପାକିସ୍ତାନର ଜଣାଶୁଣା ଉଦ୍ୟୋଗୀ ମହିଳା ‘ନୌଶାବା ଶହଜାଦ’।
ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର
ସୂତ୍ର ମୁତାବିକ , ନୌଶାବା ଲାହୋରରେ ‘ଜୟାନା ଟ୍ରାଭେଲ ଆଣ୍ଡ ଟୁରିଜିମ୍’ ନାମକ ଏକ ଟ୍ରାଭେଲ୍ ଏଜେନ୍ସି ଚଲାନ୍ତି। ଆଇଏସଆଇର ଇସାରାରେ ଭାରତରେ ପାଖାପାଖି ୫୦୦ ସ୍ଲିପର ଏଜେଣ୍ଟଙ୍କର ନେଟୱର୍କ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁ ଥିଲେ। ତାଙ୍କର କମ୍ପାନୀ ଭାରତୀୟ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କୁ ଟାର୍ଗେଟ୍ କରିଥିଲା, ତାଙ୍କୁ ପାକିସ୍ତାନ ଆସିବା ପାଇଁ ନିମନ୍ତ୍ରିତ କରିଥିଲା –ତୀର୍ଥଯାତ୍ରା ଓ ସାଂସ୍କୃତିକ କାମ ବାହାନାରେ। ହେଲେ ପ୍ରକୃତ ଉଦ୍ଦେଶ୍ୟ ଥିଲା ଗୁପ୍ତଚର ପାଇଁ ଗ୍ରାଉଣ୍ତ ପ୍ରସ୍ତୁତ କରିବା।
ପଚରାପଚରିରେ ସାମ୍ନାକୁ ଆସିଛି ଯେ, ଆଇଏସଆଇ ମ୍ୟାଡାମ୍ ଏନ୍ଙ୍କୁ ଭାରତରେ ଏକ ସ୍ଲିପର ସେଲ୍ ନେଟୱର୍କ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଥିଲା, ଯେଉଁଥିରେ ସେ ଯୁବବର୍ଗଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଡ଼ୁ ଥିଲେ। ଗତ ୬ ମାସରେ ସେ ୩ ହଜାର ଭାରତୀୟ ଓ ୧,୫୦୦ NRIଙ୍କୁ ପାକସ୍ତାନ ଡକାଇ ଥିଲେ। ଅନେକଙ୍କୁ ଆଇଏସଆଇ ଅଫିସର ଓ ପାକିସ୍ତାନୀ ସେନା ସହ ଭେଟ କରାଇ ଥିଲେ। ବିଶେଷତଃ ହିନ୍ଦୁ ଓ ଶିଖ ସଂପ୍ରଦାୟର ଯୁବବର୍ଗଙ୍କୁ ଟାର୍ଗେଟ୍ କରାଯାଇ ଥିଲା।
କେବଳ ଗୋଟିଏ କଲ୍ରେ ଭିସା !
‘ମ୍ୟାଡାମ୍ ଏନ୍ ‘ଙ୍କର ସଂପର୍କ ଏତେ ଭଲ ଥିଲା ଯେ, ପାକିସ୍ତାନ ହାଇ କମିଶନର ଭିସା ବିଭାଗରେ କାହାକୁ ମଧ୍ୟ ଭିସା ଦେଇ ପାରୁଥିଲେ କେବଳ ଗୋଟିଏ ଫୋନ୍ କଲ୍ରେ। ସେ ପାକ୍ ଦୂତାବାସରେ ମୁତୟନ ଆଇଏସଆଇ ଏଜେଣ୍ଟ ଡାନିସ୍ ଓରଫ ଏହସାନ –ଉର-ରହମାନଙ୍କ ସଂପର୍କରେ ଥିଲେ, ଯାହାଙ୍କୁ ଭାରତ ମେ ମାସରେ ବହିଷ୍କୃତ କରି ଦେଇ ଥିଲା।
ତୀର୍ଥଯାତ୍ରା ଆଳରେ ଫଣ୍ଡିଂ –
‘ ମ୍ୟାଡାମ୍ ଏନ୍‘ଙ୍କର କମ୍ପାନୀ ପାକିସ୍ତାନ ସରକାରଙ୍କର ‘ଶରଣାର୍ଥୀ ଟ୍ରଷ୍ଟ ସଂପତ୍ତି ବୋର୍ଡ ' ସହ ମିଶି ଶିଖ୍ ଓ ହିନ୍ଦୁ ଯାତ୍ରା ଗୁଡ଼ିକର ଆୟୋଜନ କରିଥାଏ। ହେଲେ ପରଦା ପଛରେ, ସେ ଏହି ଯାତ୍ରା ଗୁଡ଼ିକ ମାଧ୍ୟମରେ ମୋଟା ଅଙ୍କର ଆୟ କରିଥାନ୍ତି ଏବଂ ତାଙ୍କୁ ଆଇଏସଆଇର ପ୍ରୋପାଗେଣ୍ଡା ଓ ଅପରେସନ୍ସରେ ନିୟୋଜିତ କରନ୍ତି। ଏହି ଖୁଲାସା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଆଲର୍ଟ ମୋଡରେ। ସୋସିଆଲ ମିଡ଼ିଆ ମାଧ୍ୟମରେ ହେଉଥିବା ଗୁପ୍ତଚର କାର୍ଯ୍ୟ ଏବେ କେବଳ ସ୍କ୍ରିପ୍ଟ ନୁହେଁ , ଏକ ବିପଜ୍ଜନକ ବାସ୍ତବତାରେ ପରିଣତ ହୋଇ ସାରିଛି।