HIVକୁ ରୋକିବ ଏହି ଇଞ୍ଜେକ୍ସନ, ୨୦ ବର୍ଷର ରିସର୍ଚ୍ଚକୁ ମିଳିଲା FDAର ମଞ୍ଜୁରି

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ: ଏଚ୍‌ଆଇଭି ଏକ ମାରାତ୍ମକ ଭୂତାଣୁ । ଆଜି ସୁଦ୍ଧା ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ କୌଣସି ଔଷଧ କିମ୍ୱା ଭ୍ୟାକ୍ସିନ ତିଆରି ହୋଇନି । ତେବେ ଏହି ଭୂତାଣୁକୁ ରୋକିବା ଦିଗରେ ମେଡିକାଲ୍ ସାଇନ୍ସକୁ ମିଳିଛି ଏକ ବଡ଼ ସଫଳତା । ଆମେରିକାର ଏଫ୍‌ଡିଏ ଲେନାକାପାଭିର (ztugo)କୁ ପ୍ରି-ଏକ୍ସପୋଜର ପ୍ରୋଫିଲେକ୍ସିସ (PrEP)ରୂପେ ମଞ୍ଜୁରି ଦିଆଯାଇଛି । ଏହା ଦୁନିଆର ପ୍ରଥମ ଏପରି ଇଞ୍ଜେକ୍ସନ ଯାହାକୁ ପ୍ରତି ଛଅ ମାସରେ ଦୁଇ ଥର ନେବା ପରେ ଏଚ୍‌ଆଇଭି ସଂକ୍ରମଣରୁ ଏକ ପ୍ରକାର ସଂପୂର୍ଣ୍ଣ ସୁରକ୍ଷା ଦିଏ । ତେବେ ଏହି ଇଞ୍ଜେକ୍ସନ ଏଚ୍‌ଆଇଭିର ସମ୍ପୂର୍ଣ୍ଣ ଚିକିତ୍ସା କରେ ନାହିଁ । ଏହା ନେବା ଦ୍ୱାରା କେବଳ ରୋକଯାଇପାରିବ । 

ଏହି ଇଞ୍ଜେକ୍ସନକୁ ନେଇ ରସର୍ଚ୍ଚ କରାଯାଇଥିଲା । ତିନି ପ୍ରମୁଖ ନୈଦାନିକ ପରୀକ୍ଷଣର ଫଳାଫଳରୁ ଜଣାପଡ଼ିଥିଲା ଯେ ଇଞ୍ଜେକ୍ସନ ନେବା ଦ୍ୱାରା ମହିଳାଙ୍କ ପାଖରେ ସଂକ୍ରମଣ ଶୂନ୍ୟ ଓ ପୁରୁଷଙ୍କ ପାଖରେ କେବଳ ୦.୧ ହିଁ ସଂକ୍ରମଣ ଦେଖାଯାଇଥିଲା । ଲେନାକାପାଭିର ଏକ କ୍ୟାପ୍ସିଡ ଇନ୍‌ହିବିଟର୍‌ । ଏହା ଏଚ୍‌ଆଇଭି ଭୂତାଣୁର ବାହାର ପରସ୍ତ (CAPSID)କୁ ଦୁର୍ବଳ କରି ଭାଇରସ୍‌ର ଶରୀରରେ ବ୍ୟାପିବା ପ୍ରକ୍ରିୟାକୁ ରୋକିଥାଏ ।

ଇଞ୍ଜେକ୍ସନର ଦୁଇଟି ଡୋଜ୍ ଚର୍ମ ତଳେ ଦିଆଯାଏ, ଫଳରେ ଏହା ଧୀରେ ଧୀରେ ନିର୍ଗତ ହୁଏ ଏବଂ ଶରୀରରେ ୬ ମାସ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଛଅ ମାସ ପରେ ଆଉ ଏକ ଡୋଜ୍ ନେବାକୁ ପଡ଼ିଥାଏ । ଏହି ଇଞ୍ଜେକ୍ସନର ଲାଭ ପାଇବା ପାଇଁ, ପ୍ରତି ଛଅ ମାସରେ HIV ନେଗେଟିଭ୍ ପରୀକ୍ଷା କରିବା ଆବଶ୍ୟକ । ତା'ପରେ ହିଁ ପରବର୍ତ୍ତୀ ଡୋଜ୍ ଦିଆଯାଏ । ଏହି ଇଞ୍ଜେକ୍ସନ ଉପରେ କରାଯାଇଥିବା ତିନୋଟି ପରୀକ୍ଷଣ ସଫଳ ହୋଇଛି । ଏହା ପରେ ହିଁ FDA ଏହାକୁ ଅନୁମୋଦନ କରିଛି ।

ଏହି ଇଞ୍ଜେକ୍ସନର ଲାଭ ସେହି ଲୋକଙ୍କୁ ମିଳିବ ଯେଉଁମାନଙ୍କୁ ଏଚ୍‌ଆଇଭି ହେବାର ଅଧିକ ବିପଦ ରହିଛି । ଇଞ୍ଜେକ୍ସନ ନେବା ପାଇଁ ବ୍ୟକ୍ତିଙ୍କ ଓଜନ ୩୫ କେଜିରୁ ଅଧିକ ରହିବା ଦରକାର ଏବଂ ତାଙ୍କ ପାଖରେ ଏଚ୍‌ଆଇଭିର କୌଣସି ଲକ୍ଷଣ ନଥିବ । ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଏହି ଇଞ୍ଜେକ୍ସନ ନିଅନ୍ତି ତେବେ ତାଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚିପାରେ ।

ପବ୍ଲିକ୍ ହେଲ୍ଥ ଏକ୍ସପର୍ଟ ଡ.ଯୁଗଳ କିଶୋର କହିଛନ୍ତି, ଲେନାକାପାଭିର ଏକ ବୈଜ୍ଞାନିକ ଓ ସାର୍ବଜନୀନ ସ୍ୱାସ୍ଥ୍ୟରେ ମାଇଲ ଖୁଣ୍ଟ । ଏହା ଏଚ୍‌ଆଇଭି ରୋକିବା ଦିଗରେ କ୍ରାନ୍ତି ଆଣିପାରେ । କିନ୍ତୁ ଲୋକଙ୍କ ପାଖରେ ଶସ୍ତାରେ ଉପଲବ୍ଧ ହେବା ଦ୍ୱାରା ହିଁ ଏହାର ଲାଭ ମିଳିପାରିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.