ପୁଅକୁ ଛାଡି ବାପା ପ୍ରେମରେ ଫସିଛି ଜିନ୍ନତ, ଏବେ ମା' ହେବାର ଖୁସି ଖବର

Published By : Prameya-News7 Bureau | July 02, 2025 IST

ବାରିପଦା: ମା' ହେବ ଜିନ୍ନତ । ସେପ୍ଟେମ୍ବରରେ ପ୍ରସବ କରିବ ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳ ଛଡାଯାଇଥିବା ଏହି ବାଘୁଣୀ। ମେ’ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡ଼ାଯିବା ପରେ ଜିନ୍ନତ ଏବେ ମା ହେବାକୁ ଯାଉଛି । ତେବେ ମରାଠା ବାଘୁଣୀ ସୁନ୍ଦରୀ ଜିନ୍ନତର ପ୍ରେମ କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ ପୁଅକୁ ଛାଡି ବାପା ପ୍ରେମରେ ଫସିଛି ଜିନ୍ନତ । ଜିନ୍ନତ ବାଘୁଣୀର ଏହି ପ୍ରେମ କାହାଣୀର ଅସଲି ହିରୋ ଶିମିଳିପାଳର ଟାଇଗର- ୩୧ ନୁହଁ ବରଂ ଟାଇଗର -୧୨ ମହାବଳ ବାଘ ।  ସ୍ବତନ୍ତ୍ର ଏନ୍‌କ୍ଲୋଜରରୁ ମୁକୁଳିବା ପରେ ଯମୁନାଗଡ଼ରେ ଜିନ୍ନ‌ତ ସହ ପ୍ରଥମେ ଭେଟ ହୋଇଥିଲା ମହାବଳ ବାଘ 'ଟି-୩୧' ର । ମରାଠା ସୁନ୍ଦରୀ ଚେହେରା ଦେଖି ପ୍ରେମରେ ପଡିଗଲା ଟି-୩୧ । ଢେର ଦିନ ପଛରେ ଗୋଡ଼ାଇଲା । କିନ୍ତୁ ଏହି ଯୁବ ମହାବଳର ଯୌବନକୁ ପସନ୍ଦ କଲାନି ଜିନ୍ନତ । ଶେଷରେ ହତାଶ ହୋଇ ଶିମିଳିପାଳର କୋର ଏରିଆକୁ ପଳାଇଲା ଟି-୩୧ । ବାସ୍ ତାର ସପ୍ତାହେ ପରେ ଏଣ୍ଟ୍ରି ମାରିଥିଲା ଶିମିଳିପାଳର ଜଣାଶୁଣା ମେଲାନିଷ୍ଟିକ୍ ପ୍ରଜାତିର ମହାବଳ 'ଟି-୧୨' ।ଟି-୧୨ ହେଉଛି ଟି-୩୧ ରା ପିତା । ବୟସ ୧୧ ଟପିବା ସତ୍ବେ ବି ଟି-୧୨ର ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା ଦେଖି ମନ ଦେଇ ବସିଲା ସାଢ଼େ ୩ ବର୍ଷୀୟା ଚୁଲ୍‌ବୁଲି ଜିନ୍ନତ। ଦୁହେଁ ଢେର୍ କିଛି ଦିନ ଜଙ୍ଗଲରେ ଏକାଠି ଘୁରି ବୁଲିଲେ ।ଆଉ ଏବେ ମରାଠା ବାଘୁଣୀ ଆସନ୍ତା ସେପ୍ଟେମ୍ବରରେ ମା' ହେବାକୁ ଯାଉଛି ବୋଲି କହିଛି ବନ ବିଭାଗ । 

ଜିନ୍ନତ ମା ହେବା ଖବର ସାମ୍ନାକୁ ଆସିବାପରେ ଗର୍ଭବତୀ ବାଘୁଣୀର ଦେଖାଶୁଣା ପାଇଁ ଯତ୍ନଶୀଳ ହୋଇଉଠିଛି ବନ ବିଭାଗ । ଜିନ୍ନତର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଏକ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି । ପ୍ରତି ମୁହୂର୍ତ୍ତରେ ଜିନ୍ନତର ଗତିବିଧି ଉପରେ ନଜର ରଖାଯାଉଛି । ଟି-୧୨ ମହାବଳର ପ୍ରାୟ ୮ରୁ ଅଧିକ ଛୁଆ ଶିମିଳିପାଳ ଜଙ୍ଗଲରେ ବୁଲୁଛନ୍ତି । ଟି-୩୧ ହେଉଛି ଏହି ହୃଷ୍ଟପୃଷ୍ଟ ମହାବଳର ପ୍ରଥମ ଛୁଆ । ବୟସ ୬ ଟପିଲାଣି । କିନ୍ତୁ ଜିନ୍ନତକୁ ପଟେଇବାରେ ବିଫଳ ହୋଇଛି ଟି-୩୧ । ପୁଅକୁ ଛାଡି ବାପା ପ୍ରେମରେ ଜିନ୍ନତ ଫସିବା ପରେ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜିନ୍ନତ ବେକରେ ଏକ ସ୍ବତନ୍ତ୍ର ରେଡିଓ କଲାର ବନ୍ଧାଯାଇଛି । ଏହି ରେଡିଓ କଲାରରେ ସାଟେଲାଇଟ୍ ଟ୍ରାକିଂ ସହ ଏକ ମିନି ଭିଏଚ୍ଏଫ୍ ମେସିନ୍ ଖଞ୍ଜାଯାଇଛି । ଜିନ୍ନତ ଯମୁନାଗଡ଼ରୁ ଗୁଡୁଗୁଡ଼ିଆ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛି । ଭୋକ ମେଣ୍ଟାଇବା ପାଇଁ ହରିଣ, ବାରହା ଶିକାର କରୁଛି । ବର୍ତ୍ତମାନ ବାଘୁଣୀର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବନ ବିଭାଗ ସୂଚନା ଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.