ନୂଆଦିଲ୍ଲୀ: ୟୁକ୍ରେନ୍ ବିରୁଦ୍ଧରେ ଋଷର ଆକ୍ରମଣ ରୋକିବାକୁ ହେଲେ ପ୍ରଥମେ ଭାରତକୁ ଅଟକାଇବାକୁ ପଡ଼ିବ। ଏହି ଚିନ୍ତାଧାରା ସହିତ ଆମେରିକା ବର୍ତ୍ତମାନ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଋଷ ଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣିଲେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଆମେରିକା ଧମକ ଦେଇଛି। ଆମେରିକାର ସାଂସଦ ରିଚାର୍ଡ ବ୍ଲୁମେନ୍ଥାଲ ଏହି ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ସପ୍ତାହରେ ଏହା ଉପରେ ଆଲୋଚନା ହୋଇପାରେ। ସେପଟେ ଷ୍ଟୀଲ ଉପରେ ମଧ୍ୟ ଟ୍ରମ୍ପ ସରକାର ୫୦ ପ୍ରତିଶତ ଶୁଳ୍କ ବୃଦ୍ଧି ଭାରତୀୟ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ପଢନ୍ତୁ ରିପୋର୍ଟ।
ଋଷ ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି। ଯୁଦ୍ଧ ବନ୍ଦ କରି ବାହା ବାହା ନେବାକୁ ଚାହୁଁଥିବା ଆମେରିକାର ଉଦ୍ଦେଶ୍ୟ ପୂରା ହୋଇପାରୁନି। ତେଣୁ ଔଷଧ ରାଗରେ ତାଟିଆ କାମୁଡ଼ିବା ଭଳି ଏବେ ଆମେରିକା ଭାରତ ଉପରେ ଟାର୍ଗେଟ୍ କରୁଛି। ଭାରତ ଋଷ ଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣୁଛି, ଆଉ ଏଇ ପଇଶାରେ ଋଷ ବଳିଆନ ହେଉଛି ବୋଲି ଆମେରିକା ଭାବୁଛି। ତେଣୁ ଭାରତକୁ ଅଟକାଇବାକୁ ଟାରିଫକୁ ଅସ୍ତ୍ର କରିଛି ଆମେରିକା। ଋଷ ଠାରୁ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣିଲେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ସାଂସଦ ରିଚାର୍ଡ ବ୍ଲୁମେନ୍ଥାଲ୍। ବିଶେଷ କରି ଚୀନ ଓ ଭାରତ ଉପରେ ଚାପ ପକାଇବାକୁ ସେ ଏପରି କହିଛନ୍ତି।
ତେବେ ଏପ୍ରିଲରେ ଆମେରିକା ସାଂସଦ ଲିଣ୍ଡସେ ଗ୍ରାହାମଙ୍କ ଦ୍ୱାରା ଏକ ଦ୍ୱିପାକ୍ଷିକ ପ୍ରତିବନ୍ଧକ ବିଲ୍ ଆଗତ ହୋଇଥିଲା। ଯେଉଁଥିରେ ବ୍ଲୁମେନ୍ଥାଲ୍ ୫୦୦ ପ୍ରତିଶତ ଶୁଳ୍କ ପ୍ରସ୍ତାବ ଦେଇଥିଲେ। ଆସନ୍ତା ସପ୍ତାହରେ ଏହି ବିଲ୍ ନେଇ ଆଲୋଚନା ହୋଇପାରେ। ଭାରତ ଓ ଚୀନ ଋଷ ଠାରୁ ୭୯ ପ୍ରତିଶତ ତେଲ, ପେଟ୍ରୋଲ, କିମ୍ବା ପେଟ୍ରୋକେମିକାଲ୍ସ କିଣୁଛନ୍ତି। ପ୍ରତିବନ୍ଧକ ସତ୍ତ୍ୱେ ବି ଭାରତ ମେ ମାସରେ ଋଷ ଠାରୁ ୧୯ ଲକ୍ଷ ୬୦ ହଜାର ବ୍ୟାରେ ଆଶୌଧିତ ତେଲ କିଣିଛି।
ପଢ଼ନ୍ତୁ- ଖୁବଶୀଘ୍ର ହୋଇପାରେ ଇଣ୍ଡିଆ- ୟୁଏସ ଟ୍ରେଡ ଡିଲ୍, ଆମେରିକା ବାଣିଜ୍ୟ ମନ୍ତ୍ରୀ କହିଲେ- ଉଭୟ ଦେଶ ପାଇଁ ହେବ ଲାଭଦାୟକ ହେଲେ ଏସବୁ ଭିତରେ ମଙ୍ଗଳବାର ଆମେରିକା ବାଣିଜ୍ୟ ମନ୍ତ୍ରୀ ହାଓ୍ବର୍ଡ ଲୁଟନିକ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଶୁଭ ସଂକେତ ଦେଇଛନ୍ତି। ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଡିଲ୍ ହୋଇପାରେ ବୋଲି ସେ କହିଛନ୍ତି।
ସେପଟେ ଷ୍ଟୀଲ ଓ ଆଲୁମିନିମୟ ଆମଦାନୀ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଯାହାକୁ ଭାରତ ବିରୋଧ କରିଛି। ୨୦୧୮ରେ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଆମେରିକା ଷ୍ଟୀଲ ଉପରେ ୨୫ ପ୍ରତିଶତ ଓ ଆଲୁମିନିୟମ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲା। ଫଳରେ ଭାରତକୁ ୭.୬ ଆରବ ଡଲାରର କ୍ଷତି ସହିବାକୁ ପଡ଼ିଥିଲା। ଜବାବରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାରସ୍ଥ ହୋଇଥିଲା। ଟ୍ୟାକ୍ସ କମାଇବା ପାଇଁ ୨୦୧୮ରୁ ୨୦୨୫ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ବି ବିଫଳ ହୋଇଛି। ତେଣୁ ବର୍ତ୍ତମାନ ଭାରତ ଆମେରିକାର ୨୯ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛି। ଯଦି ଏହା ହୁଏ ତେବେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇପାରେ। ତେବେ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀ କିନ୍ତୁ ଆଶ୍ୱାସନା ଦେଇଛନ୍ତି। ଷ୍ଟିଲ ଓ ଆଲୁମିନିୟମ ଉପରେ ଟ୍ରମ୍ପଙ୍କ ଟ୍ୟାକ୍ସ ଭାରତକୁ ସେତେ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି।