ରୋହିତ ଶର୍ମାଙ୍କୁ ପଞ୍ଜାବ କିଙ୍ଗ୍ସର କ୍ୟାପ୍ଟେନ୍ ବନାଇବା ଖବରକୁ ନେଇ ତାତିଲେ ପ୍ରୀତି ଜିଣ୍ଟା

Published By : Prameya-News7 Bureau | April 19, 2024 IST

indiatoday

ନୂଆଦିଲ୍ଲୀ: ରୋହିତଙ୍କୁ ନେଇ ଭାଇରାଲ୍ ହେଉଥିବା ଖବର ଉପରେ ଅସନ୍ତୋଷ ପ୍ରକାଶ କଲେ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଖବର ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ପ୍ରୀତି କହିଛନ୍ତି। 

ପ୍ରକୃତରେ ସୋସିଆଲ୍ ମିଡିଆରେ ପ୍ରୀତିଙ୍କ ନାଁରେ ଏକ ପୋଷ୍ଟ ଭାଇରାଲ୍ ହେଉଛି। ଯେଉଁଥିରେ ପ୍ରୀତି ରୋହିତ ଶର୍ମାଙ୍କୁ ପଞ୍ଜାବ ଟିମ୍‌କୁ ଆଣିବା ପାଇଁ ତାଙ୍କ ଜୀବନ ବାଜି ଲଗାଇ ଦେବେ ବୋଲି କହିଛନ୍ତି। ରୋହିତଙ୍କୁ ଆଣିବା ପରେ ତାଙ୍କୁ ପଞ୍ଜାବର କ୍ୟାପ୍ଟେନ୍ କରିବେ ବୋଲି ପ୍ରୀତି କହିଥିବା ଖବର ପ୍ରକାଶ ପାଇଛି। ଯାହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ପ୍ରୀତି ଜିଣ୍ଟା। ଏଭଳି କିଛି ମିଛ ଖବର ଓ ପୋଷ୍ଟକୁ ଏକ୍ସରେ ପୋଷ୍ଟ କରି ଏହା ସମ୍ପୂର୍ଣ୍ଣ ମିଛ, ମୁଁ ଏପରି କିଛି କହି ନାହିଁ ବୋଲି ପ୍ରୀତି କହିଛନ୍ତି। 

ଗୁରୁବାର ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଭିତରେ ଲଢ଼େଇ ହେବା ଦିନ ଏହି ପୋଷ୍ଟ ଭାଇରାଲ୍ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଶୁକ୍ରବାର ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ଏକ୍ସରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। 

ପଢ଼ନ୍ତୁ-ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ପରଲୋକ, କ୍ରିକେଟ ଜଗତରେ ଶୋକ

ପ୍ରୀତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ପ୍ରକାଶ ପାଇଥିବା ଏହି ସମସ୍ତ ଖବର ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ମୁଁ ରୋହିତ ଶର୍ମାଙ୍କୁ ଖୁବ୍ ସମ୍ମାନ କରେ। ମୁଁ ତାଙ୍କର ବଡ଼ ଫ୍ୟାନ୍। କିନ୍ତୁ ମୁଁ ଏ ବିଷୟର ତାଙ୍କ ସହିତ ନା କଥା ହୋଇଛି ନା କୌଣସି ଇଣ୍ଟରଭ୍ୟୁରେ କହିଛି। ଶିଖର ଧୱନଙ୍କୁ ବି ମୁଁ ବହୁତ ସମ୍ମାନ କରେ। ସେ ବର୍ତ୍ତମାନ ଆହତ ଅଛନ୍ତି। ଏହି ସମୟରେ ଏଭଳି ଖବର ଖୁବ୍ ନିମ୍ନ ସ୍ତରରକୁ ସୂଚାଉଛି ବୋଲି ପ୍ରୀତି ତାଙ୍କ ପୋଷ୍ଟରେ ଲେଖିଛନ୍ତି। 

ସେ ଆହୁରି ଲେଖିଛନ୍ତି ଯେ  ବିନା କୌଣସି ଯାଞ୍ଚ ଓ ପରଖରେ ଅନଲାଇନରେ କିପରି ଭୁଲ ତଥ୍ୟ ପ୍ରଚାର କରାଯାଇପାରେ, ଏହା ତାର ଏକ ଉତ୍ତମ ଉଦାହରଣ। ତେଣୁ ଏଭଳି ତଥ୍ୟକୁ ପ୍ରଚାର ନ କରିବାକୁ ସମସ୍ତ ମିଡିଆଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି ବୋଲି ପ୍ରୀତି ଲେଖିଛନ୍ତି।  

  

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.