ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଦ୍ୱିତୀୟ ଦିନ କ୍ରୀଡ଼ା ଇଭେଣ୍ଟରେ ଏକାଧିକ ଭାରତୀୟ ଆକ୍ସନକୁ ଓହ୍ଲାଇବେ । ସୁଟିଂରେ ଭାରତ ନିକଟର ହୋଇଛି । ଦେଶ ପାଇଁ ପଦକ ଖାତା ଖୋଲିବାର ସୁବର୍ଣ୍ଣ ସୁଯୋଗ ରହିଛି । ସେହିପରି ହକି, ବ୍ୟାଡ଼ମିଣ୍ଟନ, ଟେନିସ୍, ଟେବୁଲ ଟେନିସ୍, ବକ୍ସିଂ, ରୋଇଂ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ଅଭିଯାନ ଆରମ୍ଭ । ସୁଟିଂରେ ଶନିବାର ୧୦ମିଟର ଏୟାର ରାଇଫଲ୍ ମିକ୍ସଡ୍ ଟିମ୍ ଇଭେଣ୍ଟର ଯୋଗ୍ୟତା ଏବଂ ପଦକ ରାଉଣ୍ଡ୍ ରହିଛି । ଏଥିରେ ଭାରତର ଅର୍ଜୁନ ବାବୁତା ଓ ରମିତା ଜିନ୍ଦଲ ଏବଂ ଏଲାଭେନିଲ୍ ଭାଲାରିଭାନ୍ ଓ ସନ୍ଦୀପ ସିଂହ ଭାଗ ନେବେ ।
ଯୋଗ୍ୟତା ରାଉଣ୍ଡ୍ ଅପରାହ୍ଣ ୧୨.୩୦ରୁ ଆରମ୍ଭ ହେବ । ଭାରତୀୟ ଯୋଡ଼ିଙ୍କ ନିକଟରୁ ଏକ ପଦକ ଆଶା କରାଯାଉଛି । ଏଥିରେ ମୋଟ ୨୮ଟି ଯୋଡ଼ି ଭାଗ ନେବେ । ଚୀନର ଡୁ’ ଲିଙ୍ଗସୁ-ହାନ୍ ଜିଆୟୁ ଯୋଡ଼ି ଡିଫେଣ୍ଡିଂ ଚାମ୍ପିଅନ୍ ରହିଛନ୍ତି । ସେହିପରି ଆମେରିକାର ମେରୀ କାରୋଲିନ ଟକର ଓ ର୍ୟାନ୍ କିସେଲ ଏବଂ ଫ୍ରାନ୍ଦର ମନୋନ ହର୍ବୋଲ୍ଟ ଓ ରୋମେନ ଔଫ୍ରେରେ ଯୋଡ଼ି ପଦକ ଦାବିଦାରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ସେହିପରି ମହିଳା ୧୦ମିଟର ଏୟାର ପିସ୍ତଲ୍ ଯୋଗ୍ୟତା ରାଉଣ୍ଡ୍ରେ ମନୁ ଭାକର ଓ ରିଦମ ସାଙ୍ଗୱାନ୍ ଏବଂ ପୁରୁଷ ବର୍ଗରେ ସରବଜୋତ ସିଂହ ଓ ଅର୍ଜୁନ ସିଂହ ଚୀମା ଆକ୍ସନକୁ ଓହ୍ଲାଇବେ ।