ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତ ଏମିତି କଡ଼ା ଜବାବ ଦେଇଛି ଯେ, ଏବେସୁଦ୍ଧା ସେ ଏଥିରେ ବିଳିବଳାଉଛି। କେବଳ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଚାଲୁଥିବା ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରାଯାଇ ନାହିଁ , ଏହାସହ ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ୱିତ କରିବା ଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। ଏଥିରେ ପାକିସ୍ତାନକୁ ଏତେ ବଡ଼ ଝଟକା ଲାଗିଛି ଯେ, ସେ ଏହା ଉପରେ ପୁଣି ଥରେ ବିଚାର କରିବା ପାଇଁ ଗୋଟିଏ ନୁହେଁ , ଚାରି ଚାରିଟି ଚିଠି ଭାରତକୁ ଲେଖି ସାରିଛି। ହେଲେ ଭାରତ ପୂର୍ବରୁ ହିଁ ସ୍ପଷ୍ଟ କରି ଦେଇଛି ଯେ , ଯେବେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରି ନାହିଁ, ସେପର୍ଯ୍ୟନ୍ତ ଏହି ଚୁକ୍ତି ନିଲମ୍ୱିତ ରହିବ। ସିନ୍ଧୁ ନଦୀ ମାଧ୍ୟମରେ ପାକିସ୍ତାନର ଏକ ବହୁଳ ଜନସଂଖ୍ୟା ପାଣିକୁ ବ୍ୟବହାର କରି ଥାଏ ଏବଂ ଏହାକୁ ରୋକା ଯିବାରୁ ତାଙ୍କୁ ଆଉ ପାଣି ମିଳୁ ନାହିଁ, ଯେଉଁଥି ପାଇଁ ସେ ପାଣି ପାଇଁ ଚିନ୍ତାରେ ପଡ଼ି ଯାଇଛି।
ପାକିସ୍ତାନ ସିନ୍ଧୁଜଳ ଚୁକ୍ତିରୁ ନିଲମ୍ୱନ ହଟାଇବାର ଦାବି କରି ପ୍ରଥମ ଚିଠି ମେ’ର ଆରମ୍ଭରେ ଲେଖି ଥିଲା, ସେତେବେଳେ ଅପରେସନ ସିନ୍ଦୂର ଲଞ୍ଚ ହୋଇ ନଥିଲା। ଏହାପର ଠାରୁ ପାକିସ୍ତାନ ଦ୍ୱାରା ଆଉ ୩ଟି ଅନୁରୋଧର ଚିଠି ଭାରତକୁ ପଠାଯାଇଛି। ନ୍ୟୁଜ୍ ୧୮ ସୂତ୍ରାନୁସାରେ , କହିଛି ଯେ, ଜଳଶକ୍ତି ମନ୍ତ୍ରଣାଳୟକୁ ମିଳିଥିବା ଏହିସବୁ ଚିଠି ବିଦେଶ ମନ୍ତ୍ରଣାଳୟକୁ ପଠାଯାଇ ସାରିଛି। ପହଲଗାମ ହମଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇ ଥିଲେ ଯେ, ବ୍ୟାଣିଜ୍ୟ ଓ ଆତଙ୍କ , ପାଣି ଓ ରକ୍ତ , ଗୁଳି ଓ ଆଲୋଚନା ଏକାଠି ହୋଇ ପାରିବ ନାହିଁ।
ଅନ୍ୟପଟେ, ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ୱିତ କରିବା ନେଇ ଭାରତର ନିଷ୍ପତ୍ତିରେ ବିଚଳିତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ କହି ଥିଲେ ଯେ , ନୂଆ ଜଳଭଣ୍ଡାର ଗୁଡ଼ିକର ନିର୍ମାଣ କରିବା ଜାତୀୟ ପ୍ରାଥମିକତା। ଜଳ ସୁରକ୍ଷା ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକକୁ ସମ୍ୱୋଧିତ କରି ଶରିଫ୍ ସଂଘ ଓ ରାଜ୍ୟ ଗୁଡ଼ିକୁ ଉଭୟଙ୍କୁ ଏହା ଉପରେ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିବାଦହୀନ ଜଳଭଣ୍ଡାର ଗୁଡ଼ିକର ନିର୍ମାଣ ଖୁବ୍ ଜୋରରେ ପୂରା କରାଯିବା ଉଚିତ୍, ଏହାସହ ସେ ଆଶ୍ୱାସନା ଦେଇଛନ୍ତି ଯେ, ନୂଆ ବନ୍ଧ କେବଳ ସବୁ ରାଜ୍ୟର ସହମତିରେ ତିଆରି କରାଯିବ। ଯୋଜନାକୁ ଆଗକୁ ବଢାଇବା ପାଇଁ, ଉପପ୍ରଧାନମନ୍ତ୍ରୀ ଇଶାକ୍ ଡାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଉଲ୍ଲେଖନୀୟ ଯେ, ଭାରତ ପହଲଗାମରେ ୨୨ ଅପ୍ରେଲରେ ଆତଙ୍କବାଦୀ ହମଲା ପରେ ସିନ୍ଧୁଜଳ ଚୁକ୍ତିକୁ ରୋକିବା ନେଇ ଘୋଷଣା କରିଥିଲା। ଦୁଇ ଦେଶ ମଧ୍ୟରେ ଜଳ ବିବାଦକୁ ସମାଧାନ କରିବା ଓ ସିନ୍ଧୁ ବେସିନର ୬ଟି ମୁଖ୍ୟ ନଦୀର ପାଣିର ବଣ୍ଟନ ପାଇଁ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତିରେ ସ୍ୱାକ୍ଷର କରାଯାଇ ଥିଲା। ଅନ୍ୟପଟେ, ଗତ ମାସର ଶେଷରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏହି ମାମଲାର ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଚେଷ୍ଟା କରି ଥିଲେ। କହିଥିଲେ, ପାକିସ୍ତାନ ଭାରତକୁ ସଂକୀର୍ଣ୍ଣ ରାଜନୀତିକ ଲାଭ ପାଇଁ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପକାଇବାକୁ ଦେବେ ନାହିଁ। ଶରିଫ୍ ତାଜାକିସ୍ତାନର ରାଜଧାନୀ ଦୁଶାମ୍ୱେରେ ଯେବେ ଗ୍ଲାସିୟରର ସଂରକ୍ଷଣ ଉପରେ ତିନି ଦିବସୀୟ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ୱୋଧିତ କରୁଥିଲେ, ସେତେବେଳେ ସେ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ ସିନ୍ଧୁ ଜଳ ଚୁକ୍ତି ( ଆଇଡବ୍ଲ୍ୟୁଟି)ର ମାମଲା ଉଠାଇ ଥିଲେ।