ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ଯୁଦ୍ଧ ସାରା ଦୁନିଆରେ ଚିନ୍ତାର ବିଷୟ ହୋଇ ରହିଛି । ଭାରତର ଅଧିକାଂଶ ଅଶୋଧିତ ତୈଳ ବି ମଧ୍ୟପ୍ରାଚ୍ୟ ଦେଶରୁ ଆମଦାନୀ ହୁଏ । ତେଣୁ ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ଭାରତ ପାଇଁ ଉର୍ଜା ସଂକଟ ସୃଷ୍ଟି କରିପାରେ । ଏଭଳି ସ୍ଥିତିରେ ଭାରତ କିପରି ନିଜ ଉର୍ଜା ଆବଶ୍ୟକତାକୁ ପୂରଣ କରିବ ଓ ଭାରତ ପାଖରେ କେତେ ପରିମାଣର ତେଲ ମହଜୁଦ ଅଛି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଏହି ପ୍ରଶ୍ନର ଜବାବ ବି ଏବେ ମିଳିଛି । ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ପରିସ୍ଥିତି ଅତ୍ୟଧିକ ଖରାପ ହେବା ସ୍ଥିତିରେ ବି ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ମହଜୁଦ ଅଛି ।
ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଦେଶର ଜନତାଙ୍କୁ ଭରସା ଦେଇଛନ୍ତି । ସେ କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ତେଲ ମହଜୁଦ ଅଛି । ହିଁ, ଯଦି ଷ୍ଟ୍ରିଟ୍ ଅଫ୍ ହୋର୍ମୁଜ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ, ତେବେ ଚିନ୍ତାର ବିଷୟ ହୋଇପାରେ । ଏହା ବ୍ୟତୀତ ପରିସ୍ଥିତି ଯେତେ ଖରାପ ହେଲେ ବି ଆମକୁ ତେଲ ଜଡିତ କୌଣସି ଅସୁବିଧା ହେବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ହୋର୍ମୁଜ ଷ୍ଟ୍ରିଟ୍ ଯାହା ଓମାନ ଓ ଇରାନ ମଧ୍ୟ ଦେଇ ଯାଇଛି, ତାହାକୁ ଦୁନିଆର ସବୁଠୁ ବଡ଼ ଚେକ୍ ପଏଣ୍ଟ କୁହାଯାଏ । ଭାରତ ପାଇଁ ଏହା ସବୁଠୁ ଅଧିକ ମହତ୍ୱ ରଖୁଛି । କାରଣ ଏହା ଦେଇ ଭାରତ ପ୍ରାୟ ୫.୫ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥାଏ । ଏଥିରୁ ପ୍ରାୟ ୧.୫ ମିଲିୟନ ବ୍ୟାରେଲ ତୈଳ ହୋର୍ମୁଜ ରାସ୍ତା ଦେଇ ଆସିଥାଏ । ତେଣୁ ଇରାନରେ ସଂଘର୍ଷ ବଢିଲେ ହୋର୍ମୁଜ ଉପରେ ବି ପ୍ରଭାବ ପକାଇପାରେ ।
କେନ୍ଦ୍ରମନ୍ତ୍ରୀ ପର୍ଯ୍ୟାପ୍ତ ତେଲ ଥିବା ଭରସା ଦେବା ସହ ଯୁଦ୍ଧରେ ମୂଲ୍ୟବୃଦ୍ଧି ଉପରେ ବି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଚିନ୍ତା ଶବ୍ଦ ବ୍ୟବହାର କରିବି, ବିଚଳିତ ନୁହେଁ । ଗତ ୫୦ ବର୍ଷରେ ହୋର୍ମୁଜ କେବେ ବି ବନ୍ଦ ହୋଇଛି । ତେଣୁ ଏହା ବନ୍ଦ ହେଉ ବୋଲି କୌଣସି ଦେଶ ଚାହିଁବେନି । ଏହି ଅଞ୍ଚଳ ଅନେକ ଉତ୍ତେଜନା ଦେଖିଛି, କିନ୍ତୁ ଉର୍ଜା ଯୋଗାଣ ଶୃଙ୍ଖଳା କେବେ ବି ବାଧାପ୍ରାପ୍ତ ହୋଇନି । ତୈଳ ଦର ବୃଦ୍ଧି ଉପରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମ ପାଖରେ ପର୍ଯ୍ୟାପ୍ତଠାରୁ ଅଧିକ ତୈଳ ଅଛି । ଏହା ବ୍ୟତୀତ ଆମର ଘରୋଇ ଉତ୍ପାଦନ ବି ଅଛି ।