ନୂଆଦିଲ୍ଲୀ : ଅନେକ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ସାମରିକ ସଂଘର୍ଷ ପରେ ଭାରତ – ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଅପରେସନ ସିନ୍ଦୂରର କ୍ଷତରୁ ଏବେ ବି ପାକିସ୍ତାନ ଧିରେ ଧିରେ ମୁକ୍ତ ହେଉଛି। ସିନ୍ଧୁ ଜଳ ଚୁକ୍ତି ନିଲମ୍ୱନକୁ ନେଇ ସେ ଛଟପଟ ହେଉଛି। ଏହାର ଝଲକ ବୁଧବାର ସେତେବେଳେ ସାମ୍ନାକୁ ଆସିଛି, ଯେବେ ପାକିସ୍ତାନ ପୁଣି ଥରେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି। ଏହାର ଡେପୁଟୀ ସିଏମ୍ ତଥା ବିଦେଶ ମନ୍ତ୍ରୀ ଇଶାକ୍ ଡାର୍ କହିଛନ୍ତି ଯେ, ତାଙ୍କର ଦେଶ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ, ଯେତେବେଳେ ବି ଭାରତ କହିବ , ଆମେ ହାଜର ହୋଇଯିବୁ , କିନ୍ତୁ ଆମେ ଅସ୍ଥିର ହେଉ ନାହୁଁ।
୨୨ ଅପ୍ରେଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ଜୀବନ ଯାଇଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଭାରତ ଏହି ହମଲା ପଛରେ ପାକିସ୍ତାନ ସମର୍ଥିତ ଆତଙ୍କୀଙ୍କୁ ଦାୟି କରାଇ ଥିଲା ଏବଂ ଅପରେସନ ସିନ୍ଦୂରରେ ଆତଙ୍କୀଙ୍କ ବିରୋଧରେ ଐତିହାସିକ ଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନ ଏବେ ବି ଭାରତର ଅଭିଯୋଗକୁ ଲଗାତାର ଏଡ଼େଇ ଚାଲିଛି। ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ଦିନ ଯାଏ ସୀମାରେ ଜୋରଦାର ସେନା ସଂଘର୍ଷ ହୋଇଛି, ଯେଉଁଥିରେ ଦୁଇ ପକ୍ଷ ମିସାଇଲ , ଡ୍ରୋନ୍, ତୋପ ଓ ଫାଇଟର ପ୍ଲେନ୍ ଆଦିର ବ୍ୟବହାର କରିଥିଲେ। ୧୦ ମେ’ ରେ ପାକିସ୍ତାନର ଆକୁଳ ଅନୁରୋଧ ପରେ ଯୁଦ୍ଧ ବିରତି ଲାଗୁ ହେଲା।
ଏବେ ପାକିସ୍ତାନ ଆଲୋଚନା ପାଇଁ ଇଚ୍ଛା ତ କରିଛି , କିନ୍ତୁ ସେ ଚାହେଁ କି, ଏଥିରେ ପାଣି ଭଳି ମାମଲା ମଧ୍ୟ ସାମିଲ ହେଉ। ଭାରତ ପକ୍ଷରୁ ଏହି ମାମଲାରେ ଏବେ କୌଣସି ପ୍ରତିକ୍ରିୟା ଆସି ନାହିଁ। ପିଏମ୍ ନରେନ୍ଦ୍ର ମୋଦି ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ , ଆତଙ୍କ ଓ ଆଲୋଚନା ଏକାଠି ହୋଇ ପାରିବ ନାହିଁ। ଡାର କହିଛନ୍ତି , ଯେବେ ବି ଭାରତ ଆଲୋଚନା ପାଇଁ ପ୍ରସ୍ତୁତ , ଆମେ ହାଜର ହୋଇଯିବୁ ... କିନ୍ତୁ ଆମେ କୌଣସି ଅସ୍ଥିର ହେଉ ନାହୁଁ।
ଏପଟେ, ଡାର କହିଛନ୍ତି ଯେ ଭାରତ କେବଳ ଆତଙ୍କବାଦ ବିଷୟରେ କଥା ହେବାକୁ ଚାହୁଁଛି , ହେଲେ ପାକିସ୍ତାନ ବ୍ୟାପକ ଭାବେ ଆଲୋଚନା ଚାହୁଁଛି। ସେ ଏହା ମଧ୍ୟ ଅଭିଯୋଗ ଲଗାଇଛି ଯେ ଭାରତ ସିନ୍ଧୁ ଜଳ ସନ୍ଧିକୁ ନିଲମ୍ୱିତ କରିଦେଇଛି, ଯେଉଁଥିରେ ପାକିସ୍ତାନର ଚାଷ ଉପରେ ପ୍ରଭାବ ପଡ଼ୁଛି। ଏହି ସନ୍ଧି ଅନୁସାରେ ପାକିସ୍ତାନର ୮୦ ପ୍ରତିଶତ ଚାଷ ତିନି ଭାରତୀୟ ନଦୀ ଉପରେ ନିର୍ଭରଶୀଳ।