ପାକିସ୍ତାନ ହିନ୍ଦୁ ନାଗରିକମାନଙ୍କୁ ଦୀର୍ଘକାଳୀନ ଭିସା କଟକଣାରୁ ଛାଡ଼ କଲା ଭାରତ: ଅନ୍ୟମାନଙ୍କ ପାଇଁ ନିୟମ ଲାଗୁ

Published By : Prameya-News7 Bureau | April 25, 2025 IST

indiatoday

ନୂଆଦିଲ୍ଲୀ: ପାକିସ୍ତାନ ବିସା ରଦ୍ଦ କରିବାର ନିର୍ଦ୍ଦେଶକୁ ସଂଶୋଧନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପାକିସ୍ତାନୀ ହିନ୍ଦୁ ନାଗରିକମାନଙ୍କୁ ଜାରି କରାଯାଇଥିବା ଦୀର୍ଘକାଳୀନ ଭିସା ବୈଧ ରହିବ ବୋଲି ଭାରତ ସ୍ପଷ୍ଟ କରିଛି। ହେଲେ ଏପ୍ରିଲ ୨୭ ତାରିଖରୁ ପାକିସ୍ତାନର ଅନ୍ୟ ନାଗରିକମାନଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ ହୋଇଯିବ।

ସାଧାରଣତଃ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ନାଗରିକମାନଙ୍କୁ ଭାରତ ପକ୍ଷରୁ ଦୀର୍ଘକାଳୀନ ଭିସା ପ୍ରଦାନ କରାଯାଏ। ଯେଉଁମାନେ ଦୀର୍ଘକାଳୀନ ଭାବରେ ଭାରତୀୟ ନାଗରିକତା ହାସଲ କରିବା ଉଦ୍ଦେଶ୍ୟରେ ସ୍ୱଳ୍ପକାଳୀନ ଭିସାରେ ଭାରତ ଆସନ୍ତି। ତେବେ ପାଞ୍ଚ ବର୍ଷର ଦୀର୍ଘକାଳୀନ ଭିସା ପାଇଁ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର - ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଯୋଗ୍ୟ ହୁଅନ୍ତି। ସେମାନେ ହିଁ ଆବେଦନ କରନ୍ତି। ତେବେ ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତ ଏହାକୁ ବି ବନ୍ଦ କରିଦେଇଛି। 

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି “ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଜାରି ରଖି, ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ତୁରନ୍ତ ପ୍ରଭାବରୁ ଭିସା ସେବା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।” ସେହିପରି ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନ ଯିବାକୁ ଓ ପାକିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ଭାରତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। 

ପଢନ୍ତୁ-ସିନ୍ଧୁ ଜଳସନ୍ଧି ରଦ୍ଦ ପାକିସ୍ତାନ ଉପରେ ବଡ଼ ଛାଟ; ଚାଷ ବୁଡ଼ିଲେ ଭୁଶୁଡ଼ିବ ଅର୍ଥ ବ୍ୟବସ୍ଥା, ବଢ଼ିବ ସାମାଜିକ ଅଶାନ୍ତି

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗତି ରଖିବା ଠାରୁ ଅଟାରୀ ଲ୍ୟାଣ୍ଡ-ଟ୍ରାନ୍ସଜିଟ୍ ପୋଷ୍ଟକୁ ବନ୍ଦ କରିବା ପର୍ଯ୍ୟନ୍ତ ଏକାଧିକ ପଦକ୍ଷେପ ନେଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଶୀର୍ଷ କେନ୍ଦ୍ର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହାର କିଛି ସମୟ ପରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଘୋଷଣା କରାଯାଇଥିଲା। 

ସେପଟେ ଗତକାଲି ହୋଇଥିବା ସର୍ବଦଳୀୟ ବୈଠକରେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ସମର୍ଥନ ମିଳିଛି। ବୈଠକରେ ଯୋଗ ଦେଇ ଫେରିବା ପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦେଶ ହିତରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ଆମେ ସେଥିରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେବୁ। ଏହା ବାଦ ବୈଠକରେ ପହଲଗାମ ଘଟଣାରେ ନିଜ ଦୋଷ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ସୁରକ୍ଷା ତ୍ରୁଟି ଯୋଗୁ ଏଭଳି ହେଲା ବୋଲି ସରକାର କହିଥିବା ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି। 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.