କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ, ଅଯୋଗ୍ୟ ଘୋଷିତ ହେଲେ, ଜାଣନ୍ତୁ କାହିଁକି?

NEWS7
-if-trumps-trade-war-continues-gold-will-cross-rs-1-lakh-by-diwal

ତିରୁଅନନ୍ତପୁରମ ୪।୧: ନେଦୁମଙ୍ଗଡ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ପୂର୍ବତନ ପରିବହନ ମନ୍ତ୍ରୀ ତଥା ଏଲଡିଏଫ ବିଧାୟକ ଏଣ୍ଟନୀ ରାଜୁଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ୧୯୯୦ ମସିହାରେ ଏକ ଡ୍ରଗସ୍ ଜବତ ମାମଲାରେ ଅଭିଯୁକ୍ତ ଜଣେ ବିଦେଶୀ ନାଗରିକକୁ ସହାୟତା କରିବା ପାଇଁ ସେ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା। କୋର୍ଟଙ୍କ ଏହି ରାୟ ପରେ ରାଜୁଙ୍କୁ ଲୋକ ପ୍ରତିନିଧିତ୍ୱ ଅଧିନିୟମରେ ଅଯୋଗ୍ୟ ଘୋଷିତ କାରଯାଇଛି।

ତେବେ ବିଧାନସଭା ସଚିବାଳୟ ଏ ବାବଦେ ଆଇନଗତ ପରାମର୍ଶ କରିବା ପରେ ଏନେଇ ଔପଚାରିକ ନିର୍ଦ୍ଦେଶ ଜାରି କରିବେ। ତିରୁଅନନ୍ତପୁରମ ବିଧାନସଭା ନିର୍ବାଚନମଣ୍ଡଳିରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଥିବା ରାଜୁ ୨୦୨୬ ବିଧାନସଭା ନିର୍ବାଚନରେ ଲଢିବା ଲାଗି ଅଯୋଗ୍ୟ ଘୋଷିତ ହେବେ। ସେ କ୍ଷମତାସୀନ ଏଲଡିଏଫର ମେଣ୍ଟ ଦଳ ଜନାଧିପତ୍ୟ କେରଳ କଂଗ୍ରେସର ନେତା ଅଟନ୍ତି। ତିରୁଅନନ୍ତପୁରମର ପୂର୍ବତନ କୋର୍ଟ କ୍ଲର୍କ କେ.ଏସ.ଜୋସଙ୍କୁ ମଧ୍ୟ କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାଜୁଙ୍କୁ ଧାରା ୧୨୦-ବି ଅନୁସାରେ ୬ ମାସ, ଧାରା ୨୦୧ ଅନୁସାରେ ୩ ବର୍ଷ, ଧାରା ୧୯୩ ଅନୁସାରେ ୩ ବର୍ଷ ଓ ୪୬୫ରେ ୨ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି। ଏହି ସବୁ ଦଣ୍ଡ ରାଜୁ ଏକାଠି ଭୋଗିବେ। ସେହିପରି ଜୋସଙ୍କୁ ଧାରା ୪୦୯ ଅନୁସାରେ ୧ ବର୍ଷ ଜେଲଦଣ୍ଡାଦେଶ କରାଯାଇଥିବା ବେଳେ ଅନ୍ୟ ଦଣ୍ଡ ମଧ୍ୟ ଦିଆଯାଇଛି। କୋର୍ଟ ଜୋସଙ୍କ ଉପରେ ୧୫ ହଜାର ଟଙ୍କା ଜରିମନା କରିଛନ୍ତି। ରାଜୁଙ୍କୁ ୧୦ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି। ତେବେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ସେମାନେ ମାସକ ମଧ୍ୟରେ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଅପିଲ ଦାୟର କରିପାରିବେ ବୋଲି କୋର୍ଟ କହିଛନ୍ତି।

ଏହି ମାମଲା ୪ ଏପ୍ରିଲ ୧୯୯୦ ମସିହାର। ଅଷ୍ଟ୍ରେଲିୟ ନାଗରିକ ଏଣ୍ଡ୍ରୟୁ ସାଲଭାଟୋର ସେର୍ୱେଲିଙ୍କୁ ତିରୁଅନନ୍ତପୁରମ ବିମାନ ବନ୍ଦରରେ ୨ପ୍ୟାକେଟ୍ ହାସିସ ସହିତ ଗିରଫ କରାଯାଇଥିଲା। ମାମଲାରେ ଦୌରାଜଜ କୋର୍ଟ ଅଷ୍ଟ୍ରେଲିୟ ନାଗରିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଥିଲେ।ତେବେ କେରଳ ହାଇକୋର୍ଟ ତାଙ୍କୁ ୧୯୯୪ ମସିହାରେ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ। ଏଣୁ ବିଦେଶୀ ନାଗରିକ ସ୍ୱଦେଶ ଫେରିଯାଇଥିଲେ। ତେବେ ଅଭିଯୋଗକାରୀ କେ.କେ. ଜୟମୋହନ ମାମଲାର ପ୍ରମାଣ ନଷ୍ଟ କରାଯାଇଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ସାକ୍ଷ ସହ ସୂଚନା ଦେଇଥିଲେ। ହାଇକୋର୍ଟର ଭିଜିଲାନ୍ସ ଶାଖା ଓ ପରେ ପୋଲିସ ଯାଞ୍ଚରେ ରାଜୁ ଓ ଜୋସ କଥିତ ରୂପେ ପ୍ରମାଣ ହେରଫେର କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡିଥିଲା।