ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ବ୍ରହ୍ମୋସ୍ ମିସାଇଲ୍କୁ ନେଇ ବହୁତ ଚର୍ଚ୍ଚା ଦେଖିବାକୁ ମିଳୁଛି। କାରଣ ଭାରତ ପାକିସ୍ତାନର ଯେଉଁ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା, ତାହା ଏହି ମିସାଇଲ୍ ଦ୍ୱାରା ହିଁ କରିଥିଲା। ତେଣୁ ସମସ୍ତଙ୍କ ନଜର ବର୍ତ୍ତମାନ ବ୍ରହ୍ମୋସ୍ ଉପରେ ରହିଛି। ଭାରତରେ ତିଆରି ହୋଇଥିବା ଏହି ମିସାଇଲ୍ କିଣିବାକୁ ବର୍ତ୍ତମାନ ୧୭ଟି ଦେଶ ଲାଇନ୍ ଲଗାଇଛନ୍ତି। ଦକ୍ଷିଣ ପୂର୍ବ ଏସିଆ ଠାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ବ୍ରହ୍ମୋସ୍ ମିସାଇଲ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଏହାରି ଭିତରେ ଆମେରିକାର ଯୁଦ୍ଧ ଏକ୍ସପର୍ଟ ବି ବ୍ରହ୍ମୋସ୍ ମିସାଇଲ୍ର ତାରିଫ କରିଛନ୍ତି। ଏହି ମିସାଇଲ୍ ଆଗରେ ଚୀନ ଓ ପାକିସ୍ତାନର ଅସ୍ତ୍ର କାମ କରିବ ନାହିଁ ବୋଲି ଆମେରିକା ଯୁଦ୍ଧ ବିଶେଷଜ୍ଞ କର୍ଣ୍ଣେଲ (ଅବସରପ୍ରାପ୍ତ) ଜନ୍ ସ୍ପେନ୍ସର କହିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍କାର ଦେଇ ସେ ଅପରେସନ ସିନ୍ଦୂରର ତାରିଫ କରିଛନ୍ତି।
କର୍ଣ୍ଣେଲ(ଅବସରପ୍ରାପ୍ତ) ଜନ୍ ସ୍ପେନ୍ସର କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ବ୍ୟବହୃତ ଚୀନ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଭାରତର ବ୍ରହ୍ମୋସ୍ ମିସାଇଲ ସହିତ କୌଣସି ତୁଳନା ନାହିଁ। ଭାରତ ପାକିସ୍ତାନର ଟାର୍ଗେଟ୍ ଏରିଆଗୁଡ଼ିକୁ ଆକ୍ରମଣ କରିବାରେ ଏବଂ ପାକିସ୍ତାନୀ ଡ୍ରୋନ ଆକ୍ରମଣ ଏବଂ ହାଇସ୍ପିଡ୍ ମିସାଇଲ ବିରୋଧରେ ନିଜକୁ ସୁରକ୍ଷା ଦେବାରେ ସଫଳ ହୋଇଛି ବୋଲି ସ୍ପେନ୍ସର କହିଛନ୍ତି।
ପଢ଼ନ୍ତୁ- ଭୁଜ୍ ଏୟାରବେସ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାୟୁ ସେନାଙ୍କ ସାହାସିକତାକୁ କଲେ ପ୍ରଶଂସା
ମଡର୍ଣ୍ଣ ୱାର ଇନଷ୍ଟିଚ୍ୟୁଟରେ ସହରାଞ୍ଚଳ ଯୁଦ୍ଧ ଅଧ୍ୟୟନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ସ୍ପେନ୍ସର କହିଛନ୍ତି “ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ କ୍ଷେପଣାସ୍ତ୍ର ଭାରତର ବ୍ୟବସ୍ଥା ତୁଳନାରେ ନିମ୍ନମାନର। ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଚୀନ ଏବଂ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିପାରିଥିଲା। ତେଣୁ ଭାରତ ଏହା ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ସେ ପାକିସ୍ତାନର ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଆକ୍ରମଣ କରିପାରିବ।”
ଅପରେସନ ସିନ୍ଦୂରରେ ଭାରତ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଥିଲେ ବି ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତ ମେ ୧୦ ତାରିଖରେ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତ ଏହି ଆକ୍ରମଣ କରିଥିଲା।
ଭାରତ ସହିତ ଯୁଦ୍ଧ କରି ତଳିତଳାନ୍ତ ହେଲା ପାକିସ୍ତାନ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ଅସ୍ତ୍ର ବିରତି ଘୋଷଣା ହୋଇଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ୩ ଦିନରୁ ସାମାନ୍ୟ ଅଧିକ ଚାଲିଥିବା ଏହି ଯୁଦ୍ଧରେ ପାକିସ୍ତାନକୁ ୪ ବିଲିୟନ ଡଲାର(୩୩,୪୦୦ କୋଟି)ର କ୍ଷତି ସହିବାକୁ ପଡ଼ିଛି। ଏଭଳି ସ୍ଥିତିରେ ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କିମ୍ବା ବିଶ୍ୱର ଅନ୍ୟ ପ୍ରମୁଖ ଏଜେନ୍ସିଙ୍କ ସାମ୍ନାରେ ଅର୍ଥ ଲାଗି ହାତ ପାତିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।
ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ଏହି ସଂଘର୍ଷରେ ପାକିସ୍ତାନକୁ ପ୍ରାୟ ୪ ବିଲିୟନ ଡଲାରର କ୍ଷତି ହୋଇଛି। ମିଲିଟାରି ଅପରେସନରେ ପାକିସ୍ତାନ ପ୍ରତିଦିନ ୨୫ ନିୟୁତ ଡଲାର ଖର୍ଚ୍ଚ କରିଛି। ସେହିଭଳି ଡ୍ରୋନ ଏବଂ ମିଶାଇଲ ଅପରେସନ ଲାଗି ୩୦୦ ନିୟୁତ ଡଲାର, ଶେୟାର ବଜାରରେ ହ୍ରାସ ଯୋଗୁ ୨.୫ ବିଲିୟନ ଡଲାର, ପିଏସ୍ଏଲ୍ ନିଲମ୍ବନ ଯୋଗୁ ୧୦ ନିୟୁତ ଡଲାର ଏବଂ ଏୟାରସ୍ପେଶ ବନ୍ଦ ହେବା ଯୋଗୁ ୨୦ ନିୟୁତ ଡଲାର କ୍ଷତି ସହିଛି। ପାକିସ୍ତାନର ସ୍ଥିତି ଏବେ ଖରାପ ରହିଛି।
ମୁଡିଜ୍ ରିପୋର୍ଟ ମୁତାବକ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦୁର୍ବଳ ରହିଛି। ପାକିସ୍ତାନ ନିକଟରେ ୧୫ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି। ଯାହା ବିଦେଶୀ ଋଣ ସୁଝିବାରେ ଅସମର୍ଥ। ଏପଟେ ଆଇଏମ୍ଏଫ୍ ଏକ୍ସଟେଣ୍ଡେଡ୍ ଫଣ୍ଡ୍ ଫେସିଲିଟି ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଆମେରିକୀୟ ଡଲାରର ଏକ କିସ୍ତି ପ୍ରଦାନ କରିବାକୁ ଅନୁମୋଦନ କରିଛି।