ନ୍ୟୁଜିଲ୍ୟାଣ୍ଡରେ ଶିଖ ସମୂଦାୟର ନଗର କିର୍ତ୍ତନକୁ ବିରୋଧ, ଭାରତକୁ ସହାୟତା ନିବେଦନ କଲା ସଙ୍ଗଠନ

NEWS7
-car-falls-into-ditch-in-bageshwar-several-dead

ଅକଲ୍ୟାଣ୍ଡ ୨୧।୧୨: ନ୍ୟୁଜିଲ୍ୟାଣ୍ଡ ସାଉଥ ଅକଲାଣ୍ଡରେ ଶିଖ ସମୂଦାୟର ନଗର କିର୍ତ୍ତନକୁ ବିରୋଧ କରାଯାଇଛି। ନିଜକୁ ‘ଟ୍ରୁ ପାଟ୍ରିୟଟସ୍ ଅଫ ନ୍ୟୁଜିଲ୍ୟାଣ୍ଡ’ ବୋଲି ଦାବି କରୁଥିବା ଏକ ସଙ୍ଗଠନର ସଦସ୍ୟମାନେ ନଗର କିର୍ତ୍ତନର ରାସ୍ତା ରୋକିବା ସହିତ ବିରୋଧ ପ୍ରଦର୍ଶନ କରିଛନ୍ତି ଏ ଏହା ଭାରତ ନୁହେଁ ନ୍ୟୁଜିଲ୍ୟାଣ୍ଡ ବୋଲି ପ୍ଲାକାର୍ଡ ଦେଖାଇଛନ୍ତି। ନଗର କିର୍ତ୍ତନ ଶିଖ ଧର୍ମର ଏକ ପବିତ୍ର ଓ ପାରମ୍ପରିକ ଧାର୍ମିକ ପରମ୍ପରା। ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ।

ଏହି ଆୟୋଜନ ଗୁରୁଗ୍ରନ୍ଥ ସାହିବ ନେତୃତ୍ୱରେ ଶାନ୍ତି, ସେବା, ସମାନତା ଓ ଭାଇଚାରାର ବାର୍ତ୍ତା ଦେଇଥାଏ। ବିଶ୍ୱର ଅନେକ ଦେଶରେ ଶିଖ ସମୂଦାୟ ଏହି ପରମ୍ପରାକୁ ସ୍ଥାନୀୟ ଆଇନ ଓ ପ୍ରଶାସନିକ ଅନୁମତିରେ ଅନୁଷ୍ଠିତ କରିଆସୁଛନ୍ତି। ତେବେ ଏହି ଘଟଣା କାଳରେ କୌଣସି ପ୍ରକାରର ହିଂସାର ସୂଚନା ମିଳି ନାହିଁ। ହେଲେ ବିରୋଧ ପ୍ରଦର୍ଶନକାରୀ ସମୂହ ଓ ସେମାନଙ୍କ ଆଚରଣ ନଗର କିର୍ତ୍ତନରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ମାନସିକ ରୂପେ ବ୍ୟଥିତ କରିଛି। ଅନେକ ଶିଖ ପରିବାର ଓ ବୟଷ୍କ ଲୋକେ ଏହାକୁ ଧାର୍ମିକ ଗାରିମା ଓ ସୁରକ୍ଷା ଭାବନା ଉପରେ ଆଘାତ ବୋଲି କହିଛନ୍ତି।

ତେବେ ଏହି ଘଟଣା ପରେ ନ୍ୟୁଜିଲ୍ୟାଣ୍ଡର ‘ଫ୍ରିଡମ ଆଣ୍ଡ ରାଇଟ୍ କୋଏଲିସନ’ ନେତା ବ୍ରାୟନ ତମାକୀ ସୋସିଆଲ ମିଡିଆରେ ଲାଗଲାଗ କେତେକ ପୋଷ୍ଟ କରିଛନ୍ତି। ଏଥିରେ ସେ ନଗର କିର୍ତ୍ତନରେ କଥିତ ରୂପେ ‘ଖାଲିସ୍ତାନ ପତାକା’ ଉପଯୋଗ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଏଣୁ ସେ ଆତଙ୍କୀ ସଙ୍ଗଠନର ପତାକା ଅକଲ୍ୟାଣ୍ଡ ସଡକରେ କାହିଁକି ଦେଖାଗଲା ବୋଲି ପ୍ରଶ୍ନ କରିଛନ୍ତି। ସେ ଧର୍ମ ସହିତ ଖାଲିସ୍ତାନ ଭଳି ରାଜନୈତିକ ପ୍ରସଙ୍ଗକୁ ଏକାଠି ପ୍ରସ୍ତୁତ କରାଯିବାକୁ ବିରୋଧ କରିଛନ୍ତି। ତେବେ ଶିଖ ସମୂଦାୟ ଏହି ଘଟଣାକୁ ବିରୋଧ କରିଛନ୍ତି ଓ ଭାରତ ସରକାର ବିଶେଷ କରି ବିଦେଶ ମନ୍ତ୍ରାଳୟକୁ ମାମଲାରେ ଦଖଲ ଦେବାକୁ ଅନୁରୋଧ କରିଛନ୍ତି। ତେବେ ସ୍ଥାନୀୟ ଶିଖ ଓ ରାଜନୈତିକ ଲୋକେ ଏପରି ବୟାନବାଜୀ ଧାର୍ମିକ ପରିଚୟ ଓ ରାଜନୈତିକ ବିଚାରଧାରାକୁ ଜାଣିଶୁଣି ମିଶାଇବାକୁ ଏକ ଉଦ୍ୟମ ବୋଲି କହିଛନ୍ତି। ଏଥି ଯୋଗୁ ଭ୍ରମ, ଘୃଣା ଓ ସାମାଜିକ ଉତ୍ତେଜନା ବଢିପାରେ ବୋଲି ଆଶଙ୍କା କରିଛନ୍ତି। ତେବେ ଶିଖ ସଙ୍ଗଠନ ସ୍ପଷ୍ଟ କରିଛି ଯେ ଏହା ବିଶୁଦ୍ଧ ରୂପେ ଧାର୍ମିକ ଆୟୋଜନ ଓ ଏହାର ବିଛିନ୍ନତାବାଦୀ ରାଜନୀତି ସହ କୌଣସି ସମ୍ପର୍କ ନାହିଁ।