ଶତ୍ରୁଘ୍ନ ସିହ୍ନାଙ୍କ ସଂଳାପର ହୋଇ ପାରିବନି ନକଲ, ଆଦେଶ ଜାରି କଲେ କୋର୍ଟ

NEWS7
ରାମେଶ୍ୱରପୁରରେ-ଭୟାଭୟ-ଅଗ୍ନ

ମୁମ୍ବାଇ ୨୨।୨: ବଲିଉଡ ଦିଗ୍ଗଜ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ପରିଚୟ ତଥା ପ୍ରସିଦ୍ଧ ସଂଳାପ ‘ଖାମୋସ’କୁ ନେଇ ଆଇନଗତ ଲଢେଇ ଜିତିଯାଇଛନ୍ତି। ବମ୍ବେ ହାଇକୋର୍ଟ ଏକ ଆଦେଶ ଜାରି କରି କହିଛନ୍ତି ଯେ ଅଭିନେତାଙ୍କ ସିଗ୍ନେଚର ଡାଇଲଗ ‘ଖାମୋସ’ ବିଶେଷ କରି ତାଙ୍କ ପରିଚୟ ସହ ସମ୍ପୃକ୍ତ ଓ ଏହାର ଅନାଧିକାରୀକ ବ୍ୟବସାୟୀକ ଉପଯୋଗ କରାଯାଇ ପାରିବନି। ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଶର୍ମିଲା ଦେଶମୁଖଙ୍କ ଏକକ ପୀଠ ଏହି ଅନ୍ତରୀଣ ଆଦେଶ ଜାରି କରିଛନ୍ତି।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଶତ୍ରୁଘ୍ନ ସିହ୍ନାଙ୍କ ନାମ, ତାଙ୍କ କଣ୍ଠ ସ୍ୱର, ଛବି ଓ ତାଙ୍କ କହିବାର ଅନନ୍ୟ ଶୈଳୀ ତାଙ୍କ ‘ପର୍ସନାଲ ରାଇଟସ୍’ ଅଂଶବିଶେଷ। କୋର୍ଟ ମାନିଛନ୍ତି ଯେ ହୁଏତ ‘ଖାମୋସ’ ସାମାନ୍ୟ ଏକ ହିନ୍ଦୀ ଶବ୍ଦ ହୋଇପାରେ, ହେଲେ ସିହ୍ନା ଯେଉଁ ଖାସ ଅନ୍ଦାଜରେ ଏହା କହନ୍ତି ତାହା ଜନତାଙ୍କ ମଧ୍ୟରେ କେବଳ ତାଙ୍କର ପରିଚୟ ରୂପେ ସ୍ଥାପିତ। ଏଣୁ କୋର୍ଟ ସବୁ ୱେବସାଇଟ୍ ଓ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏପରି କଣ୍ଟେଣ୍ଟ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସିହ୍ନାଙ୍କ ଛବିକୁ ମର୍ଫ କରିବା, ତାଙ୍କ ସ୍ୱରର ନକଲ କରିବା ଅଥବା ଡିପଫେକ ଭିଡିଓ କରିବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି।

ପିଟିସନରେ କୁହାଯାଇଥିଲା ଯେ ଅଭିନେତାଙ୍କ ଛବିକୁ ଅଶ୍ଳୀଳ ମିମସ, ଫେକ୍ ବିଜ୍ଞାପନ ଓ ଅନାଧିକାରୀକ ବ୍ୟବସାୟୀକ ଲାଭ ପାଇଁ ଉପଯୋଗ କରାଯାଉଛି, ଯାହା ତାଙ୍କ ପ୍ରତିଷ୍ଠାକୁ ଠେସ୍ ପହଞ୍ଚାଉଛି। ଶତ୍ରୁଘ୍ନ ସିହ୍ନା ତାଙ୍କ ପୁଅ ଲବ ସିହ୍ନାଙ୍କ ମାଧ୍ୟମରେ ହାଇକୋର୍ଟରେ ଏହି ପିଟିସନ ଦାୟର କରିଥିଲେ। ଏଥିରେ ସୋସିଆଲ ମିଡିଆରେ ଥିବା ଫେକ୍ ପ୍ରୋଫାଇଲ, ଏଆଇ ଜେନେରେଟେଡ କଣ୍ଟେଣ୍ଟ ଓ ତାଙ୍କ ନାମରେ ବିକ୍ରି ହେଉଥିବା ମର୍ଚେଣ୍ଡାଇଜ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା। ଏହା ଛଡା ଅଭିନେତା ତାଙ୍କ ପ୍ରତିଷ୍ଠାର ହୋଇଥିବା କ୍ଷତି ଲାଗି ୨୦ କୋଟି ଟଙ୍କାର କ୍ଷତିପୂରଣ ଦାବି ମଧ୍ୟ କରିଛନ୍ତି। ତେବେ ଶତ୍ରୁଘ୍ନ ସିହ୍ନାଙ୍କ ପୂର୍ବରୁ ଅନେକ ବଲିଉଡ ଦିଗ୍ଗଜ ସେମାନଙ୍କ ପରିଚୟ ସୁରକ୍ଷିତ କରାଇ ସାରିଛନ୍ତି। ଏମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଅନିଲ କପୁର, ଅରିଜିତ ସିଂହ ଓ ଆଶା ଭୋଂସଲେଙ୍କ ନାମ ମଧ୍ୟ ରହିଛି।

ଏହା ବି ପଢନ୍ତୁ :-ରଣବୀରଙ୍କୁ ଧମକ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ବଡ଼ ଆକ୍ସନ ! ସନ୍ଦିଗ୍ଧ ଚିହ୍ନଟ, ଲୁକ୍ ଆଉଟ୍ ନୋଟିସ୍ ଜାରି