LIVE TV

ଅତିରିକ୍ତ ଚାର୍ଜ ବିନା କ୍ୟାନସେଲ କରିହେବ ବିମାନ ଟିକେଟ୍, ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି DGCA

NEWS7
ରାଜଧାନୀରେ-ରଜ-ମଉଜ

ନୂଆଦିଲ୍ଲୀ ୦୪/୧୧: ଆପଣ ବିମାନରେ ଯାତ୍ରା କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଉତ୍ସାହଜନକ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କିଛି ନିୟମ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ପ୍ରସ୍ତାବ ଦେଇଛି DGCA । ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ଯାତ୍ରୀମାନେ ଶୀଘ୍ର ବୁକିଂର ୪୮ ଘଣ୍ଟା ମଧ୍ୟରେ କୌଣସି ଅତିରିକ୍ତ ଶୁଳ୍କ ବିନା ସେମାନଙ୍କର ଟିକେଟ୍ ବାତିଲ କିମ୍ବା ପରିବର୍ତ୍ତନ କରିପାରିବେ । ପ୍ରସ୍ତାବରେ ରିଫଣ୍ଡ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।

ବିମାନ ନିୟାମକ DGCA ଏକ ପ୍ରସ୍ତାବ ଉପସ୍ଥାପନ କରିଛି । ଯେଉଁଥିରେ ବିମାନ ଟିକେଟ୍ ବାତିଲ ଓ ରିଫଣ୍ଡ ସମ୍ବନ୍ଧୀୟ ନିୟମ ଅନ୍ତର୍ଭୁକ୍ତ ଅଛି । DGCAର ପ୍ରସ୍ତାବ ଅନୁଯାୟୀ, ବିମାନ ଯାତ୍ରୀମାନେ ଶୀଘ୍ର କୌଣସି ଅତିରିକ୍ତ ଶୁଳ୍କ ବିନା ବୁକିଂର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ବିଦ୍ୟମାନ ଟିକେଟ୍ ବାତିଲ କିମ୍ବା ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଅନୁମତି ପାଇପାରିବେ। ପ୍ରସ୍ତାବ ଅନୁଯାୟୀ, ଟିକେଟ୍ ବାତିଲ କରିବା ପରେ ରିଫଣ୍ଡ ରାଶି ବିମାନ କମ୍ପାନୀର କ୍ରେଡିଟ୍ ସେଲ୍ / ୱାଲେଟରେ ଜମା କରିବା ଯାତ୍ରୀଙ୍କ ଚଏସରେ କରାଯିବ । 

ବିମାନ ଯାତ୍ରୀଙ୍କ ପାଇଁ ରିଫଣ୍ଡ ଓ କ୍ୟାନସେଲେସନ ସମ୍ବନ୍ଧୀୟ ଦୀର୍ଘକାଳୀନ ଅସୁବିଧାକୁ ସରଳ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରିଛି। ନୂତନ ପ୍ରସ୍ତାବ ଯାତ୍ରୀମାନଙ୍କୁ ବୁକିଂ ପରେ ୪୮ ଘଣ୍ଟାର "ଲୁକ୍-ଇନ୍" ଅବଧି ପ୍ରଦାନ କରିବ । ଯେଉଁ ସମୟ ମଧ୍ୟରେ ସେମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ଶୁଳ୍କ ନ ନେଇ ସେମାନଙ୍କର ଟିକେଟ୍ ବାତିଲ କିମ୍ବା ସଂଶୋଧନ କରିପାରିବେ। ବର୍ତ୍ତମାନ, ବିଭିନ୍ନ ଏୟାରଲାଇନ୍ସ ଟିକେଟ୍ ବାତିଲକରଣ ପାଇଁ ନିଜସ୍ୱ ଫି ଆଦାୟ କରନ୍ତି।  

ମାଗଣା ଟିକେଟ୍ ବାତିଲକରଣ ଓ ରିଫଣ୍ଡ ପାଇଁ ବିମାନ ନିୟାମକଙ୍କ ପ୍ରସ୍ତାବ ସମସ୍ତ ଏୟାରଲାଇନ୍ସ ପାଇଁ ପ୍ରଯୁଜ୍ୟ ହେବ । ଏଥିପାଇଁ କିଛି ସର୍ତ୍ତାବଳୀ ପ୍ରଯୁଜ୍ୟ ରହିବ । ଘରୋଇ ବିମାନ ପାଇଁ, ପ୍ରସ୍ଥାନ ବୁକିଂ ତାରିଖର ଅତି କମରେ ପାଞ୍ଚ ଦିନ ପୂର୍ବରୁ ହେବା ଆବଶ୍ୟକ । ତେବେ ଅନ୍ତର୍ଜାତୀୟ ବିମାନ ପାଇଁ, ଏହି ସମୟସୀମା ୧୫ ଦିନ ରହିବ । ଏହା ପରେ, ନିର୍ଦ୍ଧାରିତ ବାତିଲକରଣ ଶୁଳ୍କ ପ୍ରଯୁଜ୍ୟ ହେବ । ଏହି ନିୟମ ଏହା ପୂର୍ବରୁ ଯାତ୍ରା କରିବା ପାଇଁ ପ୍ରଯୁଜ୍ୟ ହେବ ନାହିଁ। 

DGCA ଟିକେଟ୍ ବାତିଲକରଣ ଓ ରିଫଣ୍ଡ ନିୟମରେ ପରିବର୍ତ୍ତନ ପ୍ରସ୍ତାବ ଦେଇଛି । ଯଦିଓ ଟିକେଟ୍ ଟ୍ରାଭେଲ୍ ଏଜେଣ୍ଟ/ପୋର୍ଟାଲ୍ ମାଧ୍ୟମରେ କିଣାଯାଇଥିବ ତଥାପି ଟଙ୍କା ଫେରସ୍ତ ପାଇଂ ଦାୟୀ ରହିବ ଏୟାରଲାଇନ୍ସ । ନିୟାମକ କହିଛନ୍ତି ଯେ ଏପରି ଏଜେଣ୍ଟମାନେ ଏୟାରଲାଇନ୍ସର ପ୍ରତିନିଧି ଭାବରେ ନିଯୁକ୍ତ ରହିବେ । ବିମାନ କମ୍ପାନୀଗୁଡ଼ିକ ନିଶ୍ଚିତ କରିବେ ଯେ ରିଫଣ୍ଡ ପ୍ରକ୍ରିୟା ୨୧କାର୍ଯ୍ୟ ଦିବସ ମଧ୍ୟରେ ସମାପ୍ତ ହେବ।