ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେବି ଆଉ ଜଣେ ଫେରାର

NEWS7
ମାଲକାନଗିରିରେ-ଜଗନ୍ନାଥ-ମନ୍

ଭୁବନେଶ୍ବର ୧୬।୧: ଭୁବନେଶ୍ବର ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି । ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ । ସାଗର ଜେନାକୁ ବରଗଡ ଅଞ୍ଚଳରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଗତ ୧୦ ତାରିଖରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସାଗରକୁ ମିଶାଇ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ବାଙ୍କୁଆଳ ନଦୀ ପଠାରେ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଯେଉଁମାନେ ଜେଲ୍ ଫେରନ୍ତା ବୋଲି ପୋଲିସ ଜାଣିବାକୁ ପାଇଥିଲା । ପରେ ମାଷ୍ଟରମାଇଣ୍ଡକୁ ବାନ୍ଧିଥିଲା ପୋଲିସ ।

ପ୍ରଥମେ ପୀଡ଼ିତା ପୁରୁଷ ବନ୍ଧୁଙ୍କ ସହ ଧଉଳି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ବି ପୋଲିସ ଏକ ଅସଦାଚରଣ ମାମଲା ରୁଜୁ କରି ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କୁ ବିଦା କରି ଦେଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ବର ଡିସିପି ଧଉଳି ଥାନା ଅଧିକାରୀଙ୍କୁ ବଦଳି କରି ଅନ୍ୟ ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ କମିଶନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଥିଲା । ତେବେ ଫେରାର ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଶୁକ୍ରବାର ଜଣେ ଧରାପଡିଥିବା ବେଳେ ଏବେବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ତାଙ୍କୁ ମଧ୍ୟ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଛାନଭିନ ଜାରି ରଖିଛି ।

ଏହି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ ଶିଶୁ କମିସନ । ଧଉଳି ଥାନାରେ ଶିଶୁ କମିସନ ସଦସ୍ୟା ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶିଶୁ କମିସନଙ୍କ ସଦସ୍ୟ କ୍ରାଇମ ସ୍ପଟ୍‌କୁ ଯାଇଥିଲେ । ଏହାପରେ ପୀଡ଼ିତାଙ୍କୁ ଭେଟି ତାଙ୍କୁ କାଉନସେଲିଂ କରିଥିଲେ । ମହିଳା କମିଶନ ମଧ୍ୟ ଧଉଳି ଥାନା ଓ କ୍ରାଇମ୍ ସ୍ପଟ୍‌କୁ ଯାଇ ମାମଲାର ଯାଞ୍ଚ କରିଥିଲା ।