“ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ...”, ସାଇଙ୍କୁ ଚେତାବନୀ ଦେଲେ ତୁଳସୀ ମାଲିକ

NEWS7
ମହିଳାଙ୍କ-ଗର୍ଭାଶୟରୁ-ବାହାର

ଭୁବନେଶ୍ୱର: ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ ସାଇ । ଯଦି ମୋ ପାର୍ଟିରେ ଯାତ୍ରା ନ କରେ ତେବେ ତା ନାଁରେ ମୁଁ କେସ କରିବି । ମୋର ବାକି ଟଙ୍କା ସହ ସମସ୍ତ କ୍ଷତିପୁରଣ ଦେବା ପାଇଁ ବାଧ୍ୟ ହେବ । ମୁଁ ସବୁବେଳେ ଭଲ କଳାକାରଙ୍କୁ ତିଆରି କରିଛି । ମୋ ସହ ବେଇମାନି କରିବାକୁ ଚେଷ୍ଟା କରୁଛି ସାଇ । ଅଭିନେତା ସାଇଙ୍କ ଦ୍ୱାରା ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଏପରି ଚେତାବନୀପୂର୍ଣ୍ଣ ବୟାନ ଦେଇଛନ୍ତି ।

ସେ କହିଛନ୍ତି, ସାଇ ମୋ ସହ ସେ ୫ ବର୍ଷ ପାଇଁ ରାଜିନାମା କରିଛି । ତେଣୁ ଆଗାମୀ ଯାତ୍ରା ଋତୁରେ ମୋ ସହ ରହିବାକୁ ବାଧ୍ୟ । ଅଧିକ ଟଙ୍କା ଲୋଭରେ ସେ ମୋ ନାଁରେ ମିଛ ଅଭିଯୋଗ ଆଣି ଅନ୍ୟ ପାର୍ଟି ଯାଉଛି । ଦେହ ଖରାପ ହେବାର ମିଛ ନାଟକ କରୁଛି ସାଇ । ତାର କୌଣସି କ୍ଷତି କରିବା କେବେ ମୁଁ ଭାବିନି । ସେ ମୋ ନାଁରେ ମିଛ କହୁଛି । ମୁଁ କାହାକୁ କେବେ ମାରିବାକୁ ଚେଷ୍ଟା କରେନାହିଁ । ମୋ ପାର୍ଟିର ଯାହା କ୍ଷତି ହବ ସେଥିପାଇଁ ଦାୟୀ ରହିବ ସାଇ ।

ଉଲ୍ଲେଖଯୋଗ୍ୟ, ମାଆଙ୍କ ପରେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା । ପ୍ରଥମେ ସାଇଙ୍କ ମାଆ ନାଣ୍ଡୁ ବାବୁଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ । ପରେ ସାଇ ନିଜେ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ନାଣ୍ଡୁ ବାବୁ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ରହିଛି । ସେ ପର୍ସନାଲ କିଛି ନକଲେ ବି ଲୋକ ଲଗାଇ ସବୁ କରାଉଛନ୍ତି । କିଛି ଲୋକ ତାଙ୍କୁ ଧମକ ଚମକ ଦେଉଥିବା ସାଇ ସତ୍ୟଜିତ୍ ଅଭିଯୋଗ ଆଣିଥିଲେ । ଏମିତି କି ଲୋକ ଲଗାଇ ଉଠେଇନେବା, ମାରିଦେବା ଭଳି ଧମକ ମଧ୍ୟ ଦେଉଛନ୍ତି । ପରିବାର ଲୋକେ ସାଇଙ୍କ ଜୀବନ ବିପଦରେ ଥିବା ଅନୁଭବ କରୁଛନ୍ତି । ଯେଉଁଥି ପାଇଁ ଆଗାମୀ ଦିନରେ ତାଙ୍କୁ ଯାତ୍ରା କରିବାକୁ ବାରଣ କରୁଛନ୍ତି ପରିବାର ଲୋକେ । ସାଇ ଅନ୍ୟ ଏକ ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ମଧ୍ୟ ଆଣିଛନ୍ତି ଯାହା ବିଷୟରେ ନାଣ୍ଡୁ ବାବୁ ଜାଣିଛନ୍ତି । ତେଣୁ ତାଙ୍କୁ ପୁନର୍ବାର ନିଜ ପାର୍ଟିରେ ରହିବାକୁ ନାଣ୍ଡୁ ବାବୁ ବାଧ୍ୟ କରୁଛନ୍ତି ।

Also Read: ମୋତେ ହାରାସ୍ କରାଯାଉଥିଲା, ବାବୁ ପର୍ସନାଲ୍ କିଛି ନକଲେ ବି ଲୋକ ଲଗାଇ କରାଉଥିଲେ...