ସରିନି ମାର୍ଚ୍ଚ, କଲବଲ କଲାଣି ତାତି: ଝାରସୁଗୁଡାରେ ୪୦ ଡିଗ୍ରୀ ପାର୍ ପାରଦ

NEWS7
ବିହାରର-ଗୟା-ବିମାନବନ୍ଦରରେ

ଭୁବନେଶ୍ୱର,୧୩/୦୩: ଆସନ୍ତା ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।ଗୁରୁବାର ରାଜ୍ୟର ବହୁ ସ୍ଥାନରେ ପ୍ରବଳ ଖରା ସହ ତାତି ଅନୁଭୂତ ହୋଇଥିଲା ।

ବାହାରକୁ ବାହାରିଲେ ଗରମ ଝାଞ୍ଜି ପବନ ବାଜୁଥିଲା । ଦେହ ପୋଡ଼ି ପକାଇବା ଭଳି ଅନୁଭବ ହେଉଥିଲା । ଅପରାହ୍ନ ୪ଟା ଯାଏ ଗରମ ସ୍ଥିତିରେ ସୁଧାର ଆସିନଥିଲା । ପରେ ଗରମ ହାୱାରୁ ଆଶ୍ୱସ୍ତି ମିଳିଥିଲା । ଆଗକୁ ବି ଗ୍ରୀଷ୍ମପ୍ରବାହ ସ୍ଥିତି ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୦.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୯.୨, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୯, ଭୁବନେଶ୍ୱରରେ ୩୮.୬, ରାଉରକେଲାରେ ୩୮.୪, ଟିଟିଲାଗଡ଼ ଓ ତାଳଚେରରେ ୩୮ ଡିଗ୍ରୀ ଥିଲା ।

ସେହିଭଳି କାଳବୈଶାଖୀ ପ୍ରଭାବରେ ୧୫ ଓ ୧୬ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୧୫ ତାରିଖ (ରବିବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଝଡ଼ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ । ୧୬ ତାରିଖ (ସୋମବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ସମେତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ୧୭ ଓ ୧୮ ତାରିଖରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।