LIVE TV

ବାକି ଲୁହ ଝରେ ଆଜି ତୁ ଚାଲିଗଲା ପରେ...ଅଫେରା ରାଇଜରେ ହ୍ୟୁମାନ ସାଗର

NEWS7
ପାଣି-କଳରେ-ଲାଗିଗଲା-ପିନ୍ଧା

ଭୁବନେଶ୍ବର: ‘କିଛି ଲୁହ ଝରିଥିଲା ଖୁସିରେ ତୋତେ ପାଇଗଲା ପରେ, ବାକି ଲୁହ ଝରେ ଆଜି ତୁ ଚାଲିଗଲା ପରେ । ଆଜି ସତରେ ଲୁହରେ ଭିଜାଇ ଦେଇ ଆରପାରିକୁ ଚାଲିଗଲେ ପ୍ରତି ଓଡ଼ିଆର ହୃଦୟରେ ଘର କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ । ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଛି । ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ପରେ ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଥିଲା । ଶେଷରେ ଭୁବନେଶ୍ବର ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯୁବପୀଢ଼ିଙ୍କୁ ପ୍ରେମ ରସରେ ଭିଜାଇଥିବା ସିଙ୍ଗର ହ୍ୟୁମାନ ସାଗର ।

ତାଙ୍କ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ହ୍ୟୁମାନଙ୍କ କଣ୍ଠରୁ ଝରିଆସିଥିବା ପ୍ରତ୍ୟେକଟି ଗୀତ ଯୁବପୀଢ଼ିଙ୍କୁ ମତୁଆଲା କରେ । ପ୍ରେମ, ବିରହ, ପ୍ରତରଣାକୁ କୋହଭରା ହୃଦୟରେ ଉତାରିବାରେ ସେ ଥିଲେ ସିଦ୍ଧହସ୍ତ । ହ୍ୟୁମାନଙ୍କ ଅସମୟରେ ବିୟୋଗ କେବଳ ଯେ, ମନୋରଞ୍ଜନ ଦୁନିଆକୁ ଦୋହାଲଇ ଦେଇଛି ତାନୁହେଁ, ସାରା ଓଡ଼ିଶା ଆଜି ସ୍ତବ୍ଧ । ଏତେ କମ୍ ବୟସରେ ପ୍ରତି ଓଡ଼ିଆଙ୍କୁ ଗୀତ ମାଧ୍ୟମରେ ନିଜର କରିଥିବା ମଣିଷ ଆଜି ଆମ ଗହଣରେ ନାହାନ୍ତି । ସେ ଆଉ କେବେ ଫେରିଆସିବେ ନାହିଁ, ଚିନ୍ତା କରିବା ବି ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି ।

ତାକୁ (ପ୍ରେମିକା) ଭୁଲିବା ପାଇଁ ହୃଦୟକୁ କହୁଥିବା ମଷିଣଟି ଆଜି ସବୁଦିନ ପାଇଁ ବିଦାୟ ନେଇଯାଇଛି । ପ୍ରେମିକାକୁ ମନେ ପକାଉଥିବା ପ୍ରେମିକର ହୃଦୟକୁ ଯାଦୁଗରୀ କଣ୍ଠରେ ଆନ୍ଦୋଳିତ କରୁଥିବା ଗାୟକ ଆଜି ସ୍ମୃତି ହୋଇଯାଇଛନ୍ତି । ଅଭୁଲା ଦିନକୁ କେମିତି ଭୁଲିବି ବୋଲି ଭାବୁଥିବା ମଣିଷ, ଆଜିଠୁ କେବଳ ଭାବନାରେ ହିଁ ଆସିବେ । ପ୍ରିୟାର ଜୀବନରୁ ସବୁଦିନ ପାଇଁ ବିଦାୟ ନେଇ ଯିବାକୁ କହୁଥିବା ପ୍ରେମିକଟା ଆଜି , ନିଜେ ସମସ୍ତଙ୍କ ପାଖରୁ ଦୂରେଇ ଯାଇଛି ।

ନିଷ୍ଠୁର ସମୟ ଆଜି କୋଟି ଓଡ଼ିଆଙ୍କ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଛଡ଼ାଇ ନେଇଛି । ଆଉ ଫେରିବେନି ଲୋକପ୍ରିୟ ରୋମାଣ୍ଟିକ ସିଙ୍ଗର ହ୍ୟୁମାନ ସାଗର । ଆଜି ପରେ ହ୍ୟମୁାନଙ୍କ କଥା ମନେ ପଡ଼ିଲେ ତାଙ୍କୁ ଭଲ ପାଉଥିବା ମଣିଷଟେ ପାଟିକୁ ଆପେ ଆପେ ଚାଲିଆସିବ, ‘ଝରି ଯାଏ ଲୁହ ମୋ ଆଖିରୁ, ମନେ ପଡ଼େ ଯେବେ କଥା ତୋର।’

ଶତାଧିକ ଗୀତକୁ ନିଜ କଣ୍ଠଦାନ କରିଥିବା ହ୍ୟୁମାନ ସାଗର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଆଉ କେବେ ସେ ନିଜ ପ୍ରଶଂସକଙ୍କ ଗହଣକୁ ଫେରି ଆସିବେନି । କେବଳ ରହିଯିବ ତାଙ୍କା ସ୍ମୃତି । ଆଉ ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଯିବ ସେ ଛାଡ଼ିଯାଇଥିବା ତାଙ୍କର କୃତି । ହ୍ୟୁମାନ ସାଗରଙ୍କ ଗୀତର ତାଲିକା ଖୁବ ଲମ୍ବା । ମନେ ତୁ ପଡ଼ୁଛୁ, ମରିଯିବି ଧନ ତୋରି ବିନା, ଏଡ଼େ ବେଇମାନୀ ତୁ, ଚାଲିଯାଉଛି ତୋ ଜୀବନରୁ, କେମିତି ଭୁଲିବି ଭଳି ଆହୁରି ଅନେକ । ଅଲବିଦା ହ୍ୟୁମାନ ସାଗର ।