ଜୟପୁର ୱାକ୍ସ ମ୍ୟୁଜିୟମରେ ଲାଗିଲା କୋହଲିଙ୍କ ମହମ ପ୍ରତିମୂର୍ତ୍ତି, ଦେଖନ୍ତୁ ଏହାର କିଛି ଚିତ୍ର…

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ ୧୯।୦୪: 'ରନ୍‌ ମେସିନ୍‌' ବିରାଟ କୋହଲି । ସାରା ବିଶ୍ବରେ ରହିଛି ଖୁବ୍‌ ଲୋକପ୍ରିୟତା । ବର୍ତ୍ତମାନ ନିର୍ମାଣ ହୋଇଛି ଷ୍ଟାର ବ୍ୟାଟରଙ୍କର ମହମ ପ୍ରତିମୂର୍ତ୍ତି । ବିଶ୍ବ ଐତିହ୍ୟ ଦିବସ ଅର୍ଥାତ୍‌ ଏପ୍ରିଲ ୧୮ରେ ଜୟପୁରର ନାହରଗଡ଼ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛି  । ୩୫ କିଲୋ ଓଜନର ଏହି ପ୍ରତିମୂର୍ତ୍ତି କୋହଲିଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଆକୃଷ୍ଟ କରିଛି । 

'ଚେଜ୍‌ ମଷ୍ଟର'ଙ୍କ ମହମ ପ୍ରତିମୂର୍ତ୍ତିକୁ ନେଇ ମ୍ୟୁଜିୟମର ସଂସ୍ଥାପକ ଓ ନିର୍ଦ୍ଦେଶକ ଅନୁପ ଶ୍ରୀବାସ୍ତବ କହିଛନ୍ତି, "ବିଗତ କିଛି ବର୍ଷ ଧରି ପର୍ଯ୍ୟଟକଙ୍କ ପକ୍ଷରୁ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି ହେଉଛି । ବିଶେଷ କରି ଛୋଟ ପିଲା ଓ ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କ୍ରେଜ୍‌ । 

ଫ୍ୟାନ୍ସଙ୍କ ଦାବି ଯେ ମ୍ୟୁଜିୟମରେ ନିହାତି ଭାବେ କିଙ୍ଗ୍ କୋହଲିଙ୍କ ମୂର୍ତ୍ତି ରହିବା ଆବଶ୍ୟକ । ତେଣୁ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତିକୁ ମ୍ୟୁଜିୟମରେ ସ୍ଥାନ ପାଇଛି । ଏହି ପ୍ରତିମୂର୍ତ୍ତିକୁ ଗଣେଶ ଓ ଲକ୍ଷ୍ମୀ କାରିଗର ଯୋଡ଼ି ପ୍ରାୟ ୨ ମାସ ପରିଶ୍ରମରେ ତିଆରି କରିଛନ୍ତି । 

ମହମ ନିର୍ମିତ ବିରାଟଙ୍କ ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୩୫ କିଲୋଗ୍ରାମ । ଏହାର ଉଚ୍ଚତା ୫ ଫୁଟ ୯ ଇଞ୍ଚ ରହିଛି । ଏହି ପ୍ରତିମୂର୍ତ୍ତିରେ ବିରାଟଙ୍କ ଭାବମୂର୍ତ୍ତି କ୍ରିକେଟ ପଡ଼ିଆର ଜଣେ ଆକ୍ରାମକ କ୍ରିକେଟର । ତେଣୁ ପ୍ରତିମୂର୍ତ୍ତିର ପୋଜ୍‌ ପାଇଁ ମଧ୍ୟ ତାଙ୍କର ଆକ୍ରମଣାତ୍ମକ ଚିତ୍ରକୁ ଚୟନ କରାଯାଇଛି । ବିରାଟଙ୍କ ପ୍ରତିମୂର୍ତ୍ତିର ବେଶଭୂଷା ବଲିଉଡ୍‌ର ଡିଜାଇନର ବୋଧ ସିଂହ ପ୍ରସ୍ତୁତ କରିଛନ୍ତି । 

ମ୍ୟୁଜିୟମରେ ବର୍ତ୍ତମାନ ଯାଏଁ ୪୪ଟି ମହମ ମୂର୍ତ୍ତି ସ୍ଥାପନ ହୋଇସାରିଛି । ତେବେ ଜୟପୁର ମହମ ସଂଗ୍ରହାଳୟ ହେଉଛି ପ୍ରଥମ ଏପରି ସଂଗ୍ରହାଳୟ ଯାହା ପ୍ରାୟ ୩୦୦ ବର୍ଷ ପୁରୁଣା ଦୁର୍ଗରେ ନିର୍ମିତ । ଏହା ଦୁନିଆର ଅନ୍ୟ ସଂଗ୍ରହାଳୟ ଠାରୁ ଭିନ୍ନ, କାରଣ ଏଠାରେ ପ୍ରତ୍ୟେକ ମୂର୍ତ୍ତି ଏକ ସ୍ୱତନ୍ତ୍ର ନିର୍ମିତ ସେଟ୍‌ ସହିତ ସଂସ୍ଥାପିତ ହୋଇଛି । 

ଜୟପୁର ମହମ ସଂଗ୍ରହାଳୟର ଆଉ ଏକ ବିଶେଷତ୍ବ ହେଉଛି ଏଠାରେ ଜୟପୁର ରାଜପରିବାରର ମୂର୍ତ୍ତି ଗୁଡ଼ିକ ସୁନା କାମ ଖୋଦିତ ରାଜ ଦରବାରରେ ସ୍ଥାପିତ ହୋଇଛି । ଏହାବ୍ୟତୀତ ୫୦ ଲକ୍ଷରୁ ଅଧିକ କାଚ ଖଣ୍ଡ ଏବଂ ଠିକିରି ଦ୍ବାରା ନିର୍ମିତ ଅନନ୍ୟ 'ଶିଷ୍‌ ମହଲ' ସଂଗ୍ରହାଳୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖୁବଶୀଘ୍ର ଆଉ ଦୁଇଟି ଐତିହାସିକ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ରାଜ ଦରବାରରେ ସ୍ଥାପନ ହେବାକୁ ଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.