ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ଆୟୋଗ ବଦଳାଇଲେ EVM-VVPAT ସମ୍ପର୍କିତ ପ୍ରୋଟୋକଲ, ଦେଲେ ଏହି ନିର୍ଦ୍ଦେଶ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୧।୫: ଲୋକସଭା ନିର୍ବାଚନ ମଧ୍ୟରେ ସୁପ୍ରିମକୋର୍ଟ ଏପ୍ରିଲ ୨୬ ତାରିଖ ଦିନ ଇଭିଏମ ଓ ଭିଭିପିଏଟି ସ୍ଲିପର ୧୦୦ ପ୍ରତିଶତ କ୍ରସ୍ ଚେକିଂ କରାଇବାକୁ ଆବେଦନ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ଏହା ସହିତ ଭିଭିପିଏଟିକୁ ନେଇ ନିର୍ବାଚନ ଆୟୋଗଙ୍କୁ କିଛି ପରିବର୍ତ୍ତନ କରିବାକୁ ଆଦେଶ ଦେଇଥିଲେ। ଏବେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ସିମ୍ବଲ ଲୋଡିଂ ୟୁନିଟ୍ ହ୍ୟାଣ୍ଡଲିଂ (ଏସଏଲୟୁ) ଓ ଲୋଡିଂ ସହିତ ଷ୍ଟୋରେଜ ନିମନ୍ତେ ପ୍ରୋଟୋକଲରେ ପରିବର୍ତ୍ତନ କରିଛନ୍ତି। 

ନିର୍ବାଚନ ଆୟୋଗ ୧ ମେ ବୁଧବାର ଜାରି କରିଥିବା ପ୍ରେସ୍ ନୋଟ୍‌ରେ କୁହାଯାଇଛି ଯେ ସବୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନୂଆ ପ୍ରୋଟୋକଲ ଲାଗୁ କରିବା ପାଇଁ ଜରୁରି ଭିତ୍ତିଭୂମି ଓ ପ୍ରାବଧାନର ବ୍ୟବସ୍ଥା କରନ୍ତୁ। ସିମ୍ବଲ ଲୋଡିଂ ୟୁନିଟ ମେମୋରି ୟୁନିଟ୍ ଅଟେ, ଯାହା ମାଧ୍ୟମରେ କୌଣସି ଖାସ ସିଟ୍‌ରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାମ ଓ ତାଙ୍କ ପାର୍ଟିର ସଂକେତ ଭିଭିପିଏଟି ବା ପେପର ଟ୍ରେଲ ମେସିନରେ ଅପଲୋଡ ହୋଇଥାଏ। 

ନିର୍ବାଚନ ଆୟୋଗ କହିଛନ୍ତି ଯେ ସୁପ୍ରିମକୋର୍ଟ ଯେପରି ନିର୍ଦ୍ଦେଶ ଦେଇଛନ୍ତି ସେହି ଅନୁସାରେ ସମ୍ବଦ୍ଧିତ ପ୍ରୋଟୋକଲ ୧ ମେ ବା ଏହା ପରେ ଭିଭିପିଏଟି ସିମ୍ବଲ ଲୋଡିଂ ପ୍ରକ୍ରିୟା ପୁରଣ ହେବାର ସବୁ ମାମଲାରେ ଲାଗୁ ହେବ। ସୁପ୍ରିମକୋର୍ଟଙ୍କ ଆଦେଶ ପୂର୍ବରୁ ଏସଏଲୟୁକୁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଦେଇ ଦିଆଯାଉଥିଲା। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଖନ୍ନା ତାଙ୍କ ରାୟରେ ନିର୍ବାଚନ ଆୟୋଗଙ୍କୁ ମତଦାନ ପରେ ଇଭିଏମ ଚିହ୍ନ ଲୋଡ କରୁଥିବା ଷ୍ଟୋର ୟୁନିଟ୍ କୁ ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

କାରଣ କୌଣସି ବ୍ୟକ୍ତି ନିର୍ବାଚନ ସରିବାର ୪୫ ଦିନ ମଧ୍ୟରେ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ନିର୍ବାଚନ ଆବେଦନ ଦାୟର କରିପାରନ୍ତି। ଏଣୁ ଇଭିଏମ ଓ ଚିଠାକୁ ୪୫ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖା ଯାଏ। ଯାହା ଦ୍ୱାରା କୋର୍ଟ ରେକର୍ଡ ମାଗିଲେ ଉପଲବ୍ଧ କରାଯାଇ ପାରିବ। ଶୀର୍ଷ ନ୍ୟାୟାଳୟ ଇଭିଏମ ନିର୍ମାତା ଓ ଇଞ୍ଜିନିୟରଙ୍କୁ ଏହି ଅନୁତି ଦେଇଛନ୍ତି ଯେ ଫଳାଫଳ ଘୋଷଣା ପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ଅନୁରୋଧରେ ମେସିନର ମାଇକ୍ରୋ କଣ୍ଟ୍ରୋଲରକୁ ସତ୍ୟାପିତ କରିପାରିବେ। 

ସୁପ୍ରିମକୋର୍ଟ କହିଛନ୍ତି ଯେ ମାଇକ୍ରୋ କଣ୍ଟ୍ରୋଲରର ଭେରିଫିକେସନ ନିମନ୍ତେ ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ଅପିଲ କରାଯାଇପାରେ, ତେବେ ଏଥି ପାଇଁ ପ୍ରଥମେ ଫି ଦେବାକୁ ପଡିବ। ବେଞ୍ଚ କହିଥିଲେ ଯେ ଯଦି ଭେରିଫିକେସନ କାଳରେ ଏହା ଜଣାପଡିଲା ଯେ ଇଭିଏମ ଟାମ୍ପର ହୋଇଛି ତେବେ ପ୍ରାର୍ଥୀ ଦାଖଲ କରିଥିବା ଫି ଫେରାଇ ଦିଆଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.