ବିଜୟଙ୍କୁ ଭେଟି ମୋକିମ୍ କଣ କଥା ହେଲେ ? ରାଜଧାନୀରୁ ରାଜ୍ୟ ରାଜନୀତି ହେଲା ସରଗରମ୍

NEWS7
villagers-of-boudh-district-village-taking-help-of-black-magic-to-get-rid-of-unnatural-death

ଭୁବନେଶ୍ୱର : ପ୍ରବଳ ଶୀତରେ ବି ରାଜନୀତି ବେଶ୍ ସରଗରମ୍। ବିଜୟ ମହାପାତ୍ରଙ୍କ ଘରେ ମହମ୍ମଦ ମୋକିମ୍। ଏପଟେ ଆହୁରି ସ୍ପିଡ୍ ଧରିଲା ରାଜ୍ୟରେ ନୂଆ ଦଳର ଚର୍ଚ୍ଚା। ବରିଷ୍ଟ ରାଜନେତା ବିଜୟ ମହାପାତ୍ରଙ୍କ ଭୁବନେଶ୍ୱର ଘରେ ହଠାତ୍ ଗୁରୁବାର ପହଞ୍ଚିଥିଲେ ମହମ୍ମଦ ମୋକିମ୍। ଦୁଇ ନେତା ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ଭେଟଘାଟ୍ ନେଇ ଗଣମାଧ୍ୟମରେ ସ୍ୱଭାବିକ ଉତ୍ସୁକତା ବେଳେ ବରିଷ୍ଠ ନେତା ଦୁହେଁ କିନ୍ତୁ ଘଟଣାଟିକୁ ହାଲୁକାରେ ନେଇଥିବା ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି।

ମୋକିମ୍ ତ ଏବେ ଚର୍ଚ୍ଚାରେ । ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ସୋମବାର ଠୁ ଚର୍ଚ୍ଚା ଥମୁନି। ନିଜେ ମୋକିମ୍ ମଧ୍ୟ ବହିଷ୍କାରଲ କୁ ନେଇ ସେ ଖୁସିଥିବା କହିବା ବେଳେ ନୂଆ ଦଳର ଗଠନ ନେଇ ସୂଚନା ଦେଇ ସାରିଛନ୍ତି। ଯଦିଓ ଏହା ମଧ୍ୟରେ ଦିଲ୍ଲୀରୁ କଂଗ୍ରେସ ନେତା ମାନେ ମୋକିମଙ୍କ ସହ ଫୋନରେ କଥା ହେବା ବେଳେ ବହିଷ୍କାରରେ ଟ୍ୱିଷ୍ଟ ଆସିବା ଆଲୋଚନା ବି ହେଉଛି। ମୋକିମ୍ କଂଗ୍ରେସକୁ ଫେରିବା କଥା କହୁନଥିଲେ ବି ସେ କଂଗ୍ରେସରେ ଏବେ ନାହାନ୍ତି। କିନ୍ତୁ କଂଗ୍ରେସ ବିଚାରାଧାରାରେ ଅଛନ୍ତି ବୋଲି କହୁଛନ୍ତି। ଏହା ସହ ସେ ରାଜନୀତି ଛାଡ଼ିବେ ନାହିଁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆହୁରି ମଧ୍ୟ ପାଗ ଦେଖି ଭବିଷ୍ୟତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତାଙ୍କୁ ଭଲ ପାଉଥିବା କିଛି ନେତା , କର୍ମୀ ଓ ଶୁଭେଚ୍ଛୁଙ୍କ ସହ କଥା ହେବେ, ରାଜ୍ୟରେ ବୁଲିବେ ଏବଂ ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ଆଗରୁ ମତ ରଖିଛନ୍ତି ମୋକିମ୍। ତାଙ୍କର ଏପରି ସବୁ ମତାମତ ନୂଆ ଦଳକୁ ବେଶି ଇସାରା କରୁଥିବାବେଳେ ବିଜୟଙ୍କ ସହ ତାଙ୍କ ସାକ୍ଷାତ ଚର୍ଚ୍ଚାକୁ ଆହୁରି ଖୋରାକ ଦେଇଛି।

ପୂର୍ବରୁ ବରିଷ୍ଠ ରାଜନେତା ଅମର ଶତପଥି, ପ୍ରଭାତ ତ୍ରୀପାଠୀ ଆଦିଙ୍କ କିଛି ମନ୍ତବ୍ୟ । କିଛି ସପ୍ତାହ ତଳେ ଭୁବନେଶ୍ୱର ଉପକଣ୍ଠରେ କିଛି ବରିଷ୍ଠ ରାଜନେତାଙ୍କ ବନ୍ଧୁ ମିଳନ ଘଟଣା ସବୁ ନୂଆ ଆଞ୍ଚଳିକ ଦଳ ଗଠନ ଆଡ଼କୁ ଇଙ୍ଗିତ କରିଥିଲା। ରାଜ୍ୟରେ 24 ବର୍ଷ ପରେ ଶାସନ ପରିବର୍ତ୍ତନ , ବିଜେପିର ପତିଆରା, ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ିରେ ପରାଜୟ, ବିଭିନ୍ନ ସ୍ଥାନରେ ବିଜେଡ଼ି ନେତା ଓ କର୍ମୀଙ୍କ ଦଳ ତ୍ୟାଗ , ଇତ୍ୟାଦି ଘଟଣା ମଧ୍ୟ ଏକ ନୂଆ ରାଜନୈତିକ ସମୀକରଣ ସମ୍ଭାବନାକୁ ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ବିଜୟ ଏବଂ ମୋକିମଙ୍କ ସାକ୍ଷାତ ନିଶ୍ଚିତ ଭାବରେ ଏକ ବଡ଼ ସମ୍ଭାବନାର ସଂକେତ ହୋଇପାରେ। ହୁଏତ ନୂଆ ବର୍ଷରେ ରାଜ୍ୟ ରାଜନୀତିରେ କିଛି ନୂଆ ଘଟିବ।