ଟି୨୦ ସୁପର-୮ ମୁକାବିଲା : ପାକିସ୍ତାନକୁ ଭେଟିବ ଇଂଲଣ୍ଡ

NEWS7
two-youth-held-by-villagers-in-nimapara

କଲମ୍ବୋ, ୨୪/୦୨: ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡରେ ମଙ୍ଗଳବାର ଗ୍ରୁପ-୨ରୁ ପାକିସ୍ତାନ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ଇଂଲଣ୍ଡ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ପୂର୍ଣ୍ଣ ୨ ପଏଣ୍ଟ ଅର୍ଜନ କରିଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ବର୍ଷା ଯୋଗୁଁ ଉକ୍ତ ମ୍ୟାଚ ବାତିଲ ହୋଇଯାଇଥିଲା । ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ । ଏଥର ପୂର୍ଣ୍ଣ ପଏଣ୍ଟ ପାଇଁ ଆଶାୟୀ ପାକିସ୍ତାନ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଇଂଲଣ୍ଡ ମଧ୍ୟ ବିଜୟଧାରାକୁ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଏହି ଖବରଟି ପଢନ୍ତୁ...  ପାଠ ପାଇଁ ହତ୍ୟା ! ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ, ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଡ୍ରମରେ ପୂରାଇଦେଲା...

ଇଂଲଣ୍ଡ ଦଳ ଲିଗ୍ ରାଉଣ୍ଡରେ ସଂଘର୍ଷ କରିଥିଲେ ହେଁ ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲା । ପ୍ରଥମ ୩ଟି ଯାକ ମ୍ୟାଚରେ ବିଫଳ ହୋଇଥିବା ଫିଲ ସଲ୍ଟ ଶ୍ରୀଲଙ୍କା ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିବା ସହ ଫର୍ମକୁ ଫେରିବାର ସଂକେତ ଦେଇଥିଲେ । ବୋଲରମାନେ ବାକି କାର୍ଯ୍ୟ ତୁଲାଇଥିଲେ । ପାକିସ୍ତାନ ମଧ୍ୟ ଲିଗ୍ ପର୍ଯ୍ୟାୟରେ ସେଭଳି ସ୍ଥିର ପ୍ରଦର୍ଶନ କରିନଥିଲା । ଭାରତ ବିପକ୍ଷରେ ଦଳ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ବର୍ଷା ଧୋଇ ନେବାରୁ ପାକିସ୍ତାନର ଅସଲ ଦକ୍ଷତା ନଜରକୁ ଆସି ନାହିଁ ।

ମଙ୍ଗଳବାର ମୁକାବିଲାରେ ବୋଲରମାନେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ନିଶ୍ଚିତ । ପାକିସ୍ତାନ ଓପନର ସାହିବଜାଦା ଫରହାନ ଚମତ୍କାର ଫର୍ମରେ ରହିଛନ୍ତି । ବାକି ମଧ୍ୟ କ୍ରମ ବ୍ୟାଟର ସଂଘର୍ଷ କରୁଛନ୍ତି । ଇଂଲଣ୍ଡ ପକ୍ଷରୁ କେବଳ ସାମ କୁରାନ ଓ ଟମ ବାଣ୍ଟନ କିଛି ମ୍ୟାଚ ବିଜୟୀ ପ୍ରଦର୍ଶନ କରିଛନ୍ତି । ସଲ୍ଟ ଫର୍ମକୁ ଫେରିଥିବାରୁ ଇଂଲଣ୍ଡ ସାମାନ୍ୟ ଆଶ୍ୱସ୍ତ । ତଥାପି ଜୋସ ବଟଲର, ହ୍ୟାରୀ ବ୍ରୁକ୍, ଜାକବ ବେଥେଲଙ୍କ ଭଳି ଖେଳାଳି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ପଲ୍ଲେକେଲେ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ବର୍ଷା ଯୋଗୁଁ ଖେଳରେ ବାଧା ଉପୁଜିବାର ଆଶଙ୍କା ରହିଛି । ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇ ପାରନ୍ତି ।