୧୦୦୦ ପୃଷ୍ଠାର ଚାର୍ଜସିଟ୍, ୩୦୦ ସାକ୍ଷୀ, ୪ ବର୍ଷ ପରେ କେମିତି ନିର୍ଦ୍ଦୋଷରେ ମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ?

NEWS7
transport-organizations-strike-in-protest-against-new-traffic-rules-school-colleges-closed-vacation-in-many-offices

ନୂଆଦିଲ୍ଲୀ ୨୭।୨: ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ୨୩ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ସ୍ୱତନ୍ତ୍ର କୋର୍ଟଙ୍କ ଜଜ୍ ଜଷ୍ଟିସ୍ ଜିତେନ୍ଦ୍ର ସିଂହ ସିବିଆଇ ଦ୍ୱାରା ଉପସ୍ଥାପିତ ପ୍ରମାଣ ଅପୁଷ୍ଟ ପାଇଥିଲେ। ଜଜ କହିଛନ୍ତି ଯେ ଉପସ୍ଥାପିତ ପ୍ରମାଣ କେବଳ ବୟାନ ଆଧାରିତ।

ବିଚାରପତି କହିଛନ୍ତି ଯେ ସିବିଆଇ ପାଖରେ ଏହି ମାମଲାରେ କୌଣସି ମଜଭୁତ ପ୍ରମାଣ ନାହିଁ। ଆମେ ଅପେକ୍ଷା କରିଥିଲୁ, ହେଲେ ସିବିଆଇ ମାମଲାରେ ମଜଭୁତ ପ୍ରମାଣ ଆଣି ପାରିଲା ନାହିଁ। ୨୦୨୨ ମସିହାରେ ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲା ସାମନାକୁ ଆସିବା ପରେ ସିବିଆଇ ଏହି କେସରେ ୫ଟି ଚାର୍ଜସିଟ୍ ଦାଖଲ କରିଛି। ଏହା ଛଡା ୩୦୦ରୁ ଅଧିକ ସାକ୍ଷଙ୍କୁ ହାଜର କରିଛି। ହେଲେ ନ୍ୟାୟ ନିମନ୍ତେ ଏହା ସମ୍ପୂର୍ଣ୍ଣ ନଥିଲା। ଏଣୁ କୋର୍ଟ ସିବିଆଇ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ପ୍ରଶ୍ନ ଉଠୁଛି ସିବିଆଇର ସବୁ ଅଭିଯୋଗ କୋର୍ଟରେ ଭୁଲ ପ୍ରମାଣିତ ହେଲା କିପରି?

ଦିଲ୍ଲୀ ଏକ୍ସାଇଜ ପଲିସି କେସ୍ ରେ ୫ଟି ଚାର୍ଜସିଟ୍ ଫାଇଲ କରିଛି ସିବିଆଇଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ମୋଟ ୫ଟି ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଗୋଟିଏ ମୁଖ୍ୟ ଓ ଅନ୍ୟ ୪ଟି ସପ୍ଲିମିଣ୍ଟାରୀ ଚାର୍ଜସିଟ୍ ଥିଲା। ସିବିଆଇ ତାର ପ୍ରଥମ ଚାର୍ଜସିଟ୍ ୨୫ ନଭେମ୍ବର ୨୦୨୨ରେ ଦାଖଲ କରିଥିଲା। ଏହା ପରେ ସିବିଆଇ ଏପ୍ରିଲ ୨୦୨୩ ଓ ଜୁଲାଇ ୨୦୨୩ରେ ଅନ୍ୟ ଦୁଇଟି ସପ୍ଲିମିଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ପରେ ସିବିଆଇ ୨୦୨୪ ମସିହାରେ ଆଉ ୨ଟି ଚାର୍ଜସିଟ୍ ଦାଖଲ କରିଥିଲା। ମୋଟ ଉପରେ ସିବିଆଇ ମାମଲାରେ ୧ ହଜାର ପୃଷ୍ଠାରୁ ଅଧିକ ଚାର୍ଜସିଟ୍ ଫାଇଲ କରିଥିଲା।

ମୋକଦ୍ଦମା ଆରମ୍ଭ କାଳରେ କେସ୍ ରେ ୧୭ ଜଣ ଅଭିଯୁକ୍ତଙ୍କ ନାମ ଥିଲା। ପରେ ଏହା ବଢି ୨୩ ହୋଇଯାଇଥିଲା। ଏହି କେସ୍ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, କେ. କବିତା ଓ ଦୁର୍ଗେସ ପାଠକଙ୍କ ଭଳି ଜଣାଶୁଣା ନେତାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଏଜେନ୍ସୀ ତଦନ୍ତ କରିଥିଲେ। ମନିଷ ସିସୋଦିଆଙ୍କୁ ଅଭିଯୁକ୍ତ ନମ୍ବର ୮ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅଭିଯୁକ୍ତ ନମ୍ବର ୧୮ କରାଯାଇଥିଲା।

ସିବିଆଇଙ୍କ ଦାବି ଓ କୋର୍ଟଙ୍କ ନିଷ୍ପତ୍ତି

୧-ଚାର୍ଜସିଟ୍ ରେ ସିବିଆଇର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆରୋପ ଥିଲା ଯେତେବେଳେ ଦିଲ୍ଲୀ ପାଇଁ ନୂଆ ମଦନୀତି ତିଆରି ହେଉଥିଲା ହୋଲସେଲରଙ୍କୁ ଲାଭବାନ କରିବାକୁ ୫% ଲାଭ ମାର୍ଜିନକୁ ବଢାଇ ୧୨% କରାଯାଇଥିଲା। ଚାର୍ଜସିଟ୍ ରେ କୁହାଯାଇଛି ଯେ ନୀତି ନିର୍ଦ୍ଧାରଣ ବେଳେ ଏହା ଧାର୍ଯ୍ୟ କରାଯାଇଥିଲା ଯେ ଏହି ୧୨% କମିସନରୁ ୬% ଶାସକ ଦଳକୁ ଯିବ। ତେବେ କୋର୍ଟ ସିବିଆଇର ଅଭିଯୋଗକୁ ଖାରଜ କରି ଦେଇଛନ୍ତି ଓ କହିଛନ୍ତି ଯେ ସିବିଆଇ ମଜଭୁତ ପ୍ରମାଣ ଦେବାରେ ବିଫଳ ହୋଇଛି ଏବଂ ସେ ନିଜର ଅଭିଯୋଗକୁ କେବଳ ବୟାନ ଆଧାରରେ ଆଣିଛି।

୨-ସିବିଆଇ ଚାର୍ଜସିଟ୍ ଅନୁସାରେ ବିଜୟ ନାୟରଙ୍କ କହିବା ମୁତାବକ ମେ ୨୦୨୧ରେ ଦିଲ୍ଲୀର ଗୌରୀ ଆପାର୍ଟମେଣ୍ଟରେ ଏକ ମିଟିଂ ହୋଇଥିଲା। ଏଥିରେ ଦିନେଶ ଆରୋରା, ଅରୁଣ ପିଲ୍ଲଇ ଓ ଅଭିଷେକ ବୋନିପଲ୍ଲୀ ଭାଗ ନେଇଥିଲେ। ସିବିଆଇ ଦିନେଶ ଆରୋରାଙ୍କ ଉଦାହରଣ ଦେଇ ଏହି ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ତେବେ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତକୁ ସାକ୍ଷ କରି ମୋକଦ୍ଦମା ରୁଜୁ କରିବା ଠିକ୍ ହୋଇ ନାହିଁ। ଏହି ମାମଲାରେ ସିବିଆଇ କୌଣସି ଅନ୍ୟ ପ୍ରମାଣ ଦେଇ ପାରି ନାହିଁ।

୩-ପ୍ରଥମ ସପ୍ଲିମିଣ୍ଟାରୀ ଚାର୍ଜସିଟ୍ ରେ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ତାଙ୍କ ପଦବୀ ର ଭୁଲ ଉପଯୋଗ କରିଥିବା ସିବିଆଇ ଉଲ୍ଲେଖ କରିଛି। ସେ ଏକ୍ସାଇଜ ପଲିସିକୁ ଏପରି ବଦଳାଇଥିଲେ ଯେପରି କିଛି ଖାସ କମ୍ପାନୀଙ୍କୁ ପଲିସିର ଲାଭ ମିଳି ପାରିବ। ଏଥି ପାଇଁ ତାଙ୍କୁ ଲାଞ୍ଚ ଦିଆଯାଇଥିଲା। ଅଭିଯୋଗରେ କୁହାଯାଇଛି ଯେ ମନିଷ ସିସୋଦିଆ ପ୍ରାଇଭେଟ କମ୍ପାନୀଙ୍କୁ ଲାଭ ଦେବା ପାଇଁ ରବି ଧାବନ କମିଟିର ସୁପାରିଶକୁ ଅଣଦେଖା କରିଥିଲେ। ତେବେ ସିବିଆଇ ଲାଞ୍ଚ ଅଭିଯୋଗ ନେଇ କୋର୍ଟରେ କୌଣସି ପ୍ରମାଣ ଉପସ୍ଥାପନା କରିପାରିନଥିଲା।

ଏଣୁ ବିଚାରପତି ଜଷ୍ଟିସ୍ ସିଂହ କେବଳ ବୟାନ ଆଧାରରେ ଅଭିଯୋଗକୁ ସତ୍ୟ ମନେ କରାଯାଇ ପାରିବନି ବୋଲି କହିଛନ୍ତି। କୋର୍ଟ କହିଛନ୍ତି ସିସୋଦିଆ ସେତେବେଳେ ଉପମୁଖ୍ୟମନ୍ତ୍ରୀ ଥିଲେ ଓ ନୀତି ନିର୍ମାଣର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। କୋର୍ଟ ଏହା ବି କହିଛନ୍ତି ଯେ ପଲିସି ତିଆରିରେ ପୁରା ପାରଦର୍ଶିତା ରଖାଯାଇଥିଲା। କୁହାଯାଉଥିବା ମିଟିଂ ଷ୍ଟେକ ହୋଲ୍ଡରଙ୍କ ସହ କରାଯାଇଥିଲା ।

୪-ସିବିଆଇ ଚାର୍ଜସିଟ୍ ରେ ୩୦୦ ସାକ୍ଷଙ୍କ ବୟାନ ଉପସ୍ଥାପିତ କରିଥିଲା। ଏଥିରେ ସିବିଆଇ ଅଭିଯୁକ୍ତ ଦିନେଶ ଆରୋରା ଓ ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ସାକ୍ଷ କରିଥିଲା। ସିବିଆଇ କହିଥିଲା ଯେ ଏହି ଦୁଇ ଜଣ ପୁରା ପ୍ରକ୍ରିୟାରେ ସାମିଲ ଥିଲେ। ତେବେ କୋର୍ଟ ସାକ୍ଷଙ୍କ ସାକ୍ଷୀକୁ ଅଣଦେଖା କରିଛନ୍ତି। କୋର୍ଟ କହିଛନ୍ତି ସିବିଆଇ ଏହି ମାମଲାରେ ଆପାତତଃ ପ୍ରମାଣ (ପ୍ରାଇମାଫେସି)ରେ କ୍ରିମିନାଲ ଷଡ଼ଯନ୍ତ୍ର ପ୍ରମାଣିତ କରି ପାରି ନାହିଁ।

୫-ସିବିଆଇ କହିଥିଲା ଯେ ସାଉଥ ଗ୍ରୁପ ମାଧ୍ୟମରେ ୧୦୦କୋଟି ଟଙ୍କାର ଲାଞ୍ଚ ମିଳିଥିଲା। ଏଥି ପାଇଁ ଅରବିନ୍ଦ କେଜରିୱାଲ ଓ ମନିଷ ସିସୋଦିଆଙ୍କ ସମେତ ଆପର ବଡ଼ ନେତାମାନେ ହୱାଲା ଉପଯୋଗ କରିଥିଲେ। ତେବେ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସିବିଆଇ ଏହା ପ୍ରମାଣିତ କରିବାରେ ବିଫଳ ହୋଇଛି ଯେ ଏହି ପଇସା ସେମାନଙ୍କୁ କିପରି ମିଳିଲା। ସିବିଆଇ କେବଳ ଅନ୍ଦାଜ କରି ଏହି ଅଭିଯୋଗ କରିଥିଲା ଓ ଏହା ଭୁଲ ଥିଲା।

୬-ସିବିଆଇ ଏହି ମାମଲାରେ ସାଉଥ ଗ୍ରୁପ ଓ ସମ୍ପର୍କିତ କମ୍ପାନୀଙ୍କୁ ମାମଲାରେ ଅଭିଯୁକ୍ତ କରିଥିଲା। ସିବିଆଇ କହିଥିଲା ଯେ ଦକ୍ଷିଣ ଗ୍ରୁପ କମ୍ପାନୀମାନେ ଦିଲ୍ଲୀ ମଦ ଦୁର୍ନୀତି ପାଇଁ ପଇସା ଦେଇଥିଲେ। ଚାର୍ଜସିଟରେ ଦକ୍ଷିଣ ଗ୍ରୁପର ଅନେକବାର ଉଲ୍ଲେଖ କରିଥିଲେ ହେଁ ଏହି ଗ୍ରୁପ ପଇସା ଦେଇଥିଲା ବୋଲି ପ୍ରମାଣିତ କରିପାରି ନାହିଁ।

Also read..

କେଜରିୱାଲ ନିର୍ଦ୍ଦୋଷରେ ମୁକ୍ତ ହେବା ପରେ ନ୍ୟାୟପାଳିକାଙ୍କୁ ଉଚ୍ଚ ପ୍ରଶଂସା କଲେ ଆନ୍ନା ହଜାରେ