BIG BREAKING: ଦଳ ବିରୋଧୀ ଆଚରଣ ପଡ଼ିଲା ମହଙ୍ଗା, ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ

NEWS7
today-horoscope-prediction

ଭୁବନେଶ୍ଵର: ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ଆଜି ବିଜେଡି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ। ସେ ପରୋକ୍ଷରେ ଦଳର କାର୍ଯ୍ୟଶୈଳୀକୁ ସମୋଲଚନା କରିଥିଲେ। ତାକ୍ତ ବକ୍ତବ୍ୟ ଏବଂ ଆଚରଣକୁ ନେଇ ବେଶ ଖପ୍ପା ଥିଲେ ଦଳ ସଭାପତି ନବୀନ ପଟ୍ଟନାୟକ। ଆଉ ପ୍ରଭାତଙ୍କୁ ଆଜି ଦଳରୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ।

ଏହା ପୂର୍ବରୁ ଆଜି ବିଜେଡି ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହା ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇଥିଲେ ପ୍ରଭାତ। ସେ କହିଥିଲେ ମୋ ମନରେ ଦୀର୍ଘ ସମୟ ଧରି ଅସନ୍ତୋଷ ରହିଛି। ବିଜେଡି ଦଳର କର୍ମୀକୁ ଦେଖି ଦଳରେ ଠିକ୍ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି। ଏ କଥା ମୁଁ ବହୁବାର କହି ଆସିଛି। ହେଲେ ଆଜି ମୋତେ ବହୁତ ଦୁଃଖ ଲାଗୁଛି। ଦଳର ପ୍ରିୟ ଲିଡରଙ୍କୁ ଲାଗିଲା ଯେ, ମୁଁ ଦଳର କାଚ ଭାଙ୍ଗି ଦେଇଛି। କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ନବୀନଙ୍କ ପାଇଁ ସୋରଡ଼ାରେ ୧୬ ଦିନ ରହି ପ୍ରଚାର କରିଛି। କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ଯୋବ୍ରାରେ ଏକ କାର୍ଯ୍ୟକ୍ରମ ପାଇଁ ମୁଁ ଲୋକ ଯୋଗାଡ଼ କରିଥିଲି। ଓଲଟା ମାଡ଼ ଖାଇଥିଲି। ନବୀନ କହିଲେ ମୁଁ ଶିଶା ଭାଙ୍ଗି ଦେଇଛି। ମୋ ପ୍ରତି ତାଙ୍କର ଧାରଣା ସର୍ବଦା ସେମିତି ରହିଲା। ସେ ଯାହା ବି ହେଉ କର୍ମୀଙ୍କ ପାଇଁ ଦଳ ନିଷ୍ପତ୍ତି ନେବା ଉଚିତ୍। ​​​​​​​

​​​​​​​ସେ ଏହା ମଧ୍ୟ କହିଛନ୍ତି ଯେ, ଦଳ ପାଇଁ ନିଷ୍ଠାର ସହ କାମ କରିଛି। ଅନେକ ଦିନ ରାତି ଅନିଦ୍ରା ହୋଇଛି। ଦଳର ବରିଷ୍ଠ ନିଷ୍ପତ୍ତି ନେବା ଉଚିତ୍। ମୁଁ କେବେ ବି ମୋ ଆଦର୍ଶକୁ ବନ୍ଧା ପକାଇନି କି ପକାଇବି ନାହିଁ। ଆଜି ମୋତେ ଯେମିତି ଧଳା ପୋଷାକରୁ ଲାଲ ପୋଷାକ ପିନ୍ଧାଇ ଦିଆଯାଇଛି ତାହା ଦୁର୍ଭାଗ୍ୟଜନକ। ପରିଶ୍ରମ କରିଥିବା ନେତାଙ୍କୁ ସୁଯୋଗ ଦିଆଯାଉ। ଦଳରେ ପରିଶ୍ରମ କରି ନ ଥିବା ଅନେକ ନେତା  ଅଛନ୍ତି। ଏସବୁ ବହୁତ ମର୍ମାହତ କରୁଛି। ତାଙ୍କର ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା।

​​​​​​​

ସୂଚନାଯୋଗ୍ୟ, ପ୍ରଭାତ ବିଶ୍ଵାଳ ୨୦୦୪ରେ ସ୍ଵାଧୀନ ପ୍ରାର୍ଥୀ ଭାବେ କଟକ ସଦରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ପରେ ସେ ବିଜେଡିରେ ମିଶିଥିଲେ। ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ଚୌଦ୍ଵାରରୁ ନିର୍ବାଚନ ଲଢି କ୍ରମାଗତ ବିଧାନସଭା ଯାଇଥିଲେ। ସେ ଦଳର ସଂଗଠନରେ ଅନେକ ପଦରେ ରହି କାମ କରିଛନ୍ତି। ତେବେ ଚିଟ୍ ଫଣ୍ଡ ଦୁର୍ନୀତିରେ ବିବାଦ ଘେରରେ ରହିଥିଲେ ପ୍ରଭାତ। ତାଙ୍କ ଘରେ ସିବିଆଇ ରେଡ୍ ହୋଇଥିଲା। ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ଏବଂ ପରେ ହଟାଇ ଦିଆଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କ ପୁଅ ସୌଭିକ ବିଶ୍ଵାଳ ବିଜେଡିରେ ମିଶିଥିଲେ। ୨୦୧୯ ନିର୍ବାଚନରେ ପ୍ରଭାତଙ୍କ ବଦଳରେ ପୁଅ ସୌଭିକ ନିର୍ବାଚନ ଲଢି ଜିତିଥିଲେ। ପୁଣି ୨୦୨୪ରେ ପାର୍ଟି ବିରୋଧୀ ଲହର ପରେ ବି ସୌଭିକ ନିର୍ବାଚନ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦଳରେ ଏକ ଘରିଆ ହେବାରେ ଲାଗିଥିଲେ ପ୍ରଭାତ ବିଶ୍ଵାଳ। ଏହା ସହ ପାର୍ଟି ଆଭିମୁଖ୍ୟ ବିପରୀତ ବୟାନ ଦେଇ ଚାଲିଥିଲେ ପ୍ରଭାତ ବିଶ୍ଵାଳ। ଯାହାର ପରିଣାମ ଆଜି ତାଙ୍କୁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ବିଦା କରାଯାଇଛି। ପ୍ରଭାତଙ୍କ  ବହିଷ୍କାର ଦଳର ରାଜନୀତିକୁ ସରଗରମ କରିଛି।​​​​​​​