ଚିନ୍ତାରେ ଇଣ୍ଡିଗୋ ଏୟାରଲାଇନ୍ସ : ତୃତୀୟ ଦିନରେ ୫୫୦ ବିମାନ ବାତିଲ, ସରକାରଙ୍କୁ କଲା ଅନୁରୋଧ

NEWS7
three-tier-panchayat-elections-votes-will-be-counted-in-the-block-instead-of-booths

ନୂଆଦିଲ୍ଲୀ,୦୫ /୧୨: ଇଣ୍ଡିଗୋ ଏୟାରଲାଇନ୍ସର ସଙ୍କଟ ଘନେଇବାରେ ଲାଗିଛି । ଲଗାତାର ତୃତୀୟ ଦିନ ମଧ୍ୟ ଏୟାରଲାଇନ୍ସର ଶହଶହ ବିମାନ ପ୍ରଭାବିତ ହୋଇଛି । ଯାହା ବିମାନ ଯାତ୍ରୀଙ୍କ ଉପରେ ପକାଉଛି ପ୍ରଭାବ । ଗୁରୁବାର କମ୍ପାନୀର ୫୫୦ରୁ ଅଧିକ ବିମାନ ଉଡାଣ ଭରିନଥିବା ଜଣାପଡିଛି ।ତେବେ ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସଙ୍କଟ ଦୂର ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଅନ୍ୟ ଦିଗରେ ମାମଲାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ନିର୍ଦ୍ଦେଶାଳୟ ଇଣ୍ଡିଗୋକୁ ସମନ କରିଥିବା ଜଣାପଡିଛି । ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ବୈଠକରେ ସାମିଲ ହେବାକୁ ଇଣ୍ଡିଗୋ ଅଧିକାରୀଙ୍କୁ କୁହାଯାଇଛି। ବର୍ତ୍ତମାନ ଡିଜିସିଏ ଇଣ୍ଡିଗୋରେ ଚାଲିଥିବା ସମସ୍ୟା ନେଇ ତଦନ୍ତ କରୁଛି। କିନ୍ତୁ ଏୟାରଲାଇନ୍ସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଡିଜିସିଏ ପକ୍ଷରୁ ଏଭଳି କୌଣସି ତଦନ୍ତ ଚାଲୁଥିବାର ଖବର ବିଷୟରେ ସେମାନେ କିଛି ଜାଣି ନଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସେହପରି କମ୍ପୀନର ଅନେକ ଅନୁରୋଧକୁ ସରକାର ଗ୍ରହଣ କରିଥିବା ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଦିଲ୍ଲୀରେ ସର୍ବାଧିକ ବିମାନ ବାତିଲ

ତୃତୀୟ ଦିନ ଅର୍ଥାତ ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ୯୫ ଟି, ମୁମ୍ବାଇରେ ୮୫, ବେଙ୍ଗାଲୁରୁରେ ୭୩, ହାଇଦ୍ରାବାଦ ୬୮, ପୁଣେରେ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୪ଟି ବିମାନ ରହିଛି। ସେପଟେ ଏପରି ଅଚଳାବସ୍ଥାକୁ ନେଇ ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର କହିଛନ୍ତି ଯେ, ପରିଚାଳନାଗତ ସମସ୍ୟା ଯୋଗୁ ଗୁରୁବାର ୪୧ଟି ଆଗମନ ଏବଂ ୩୨ଟି ପ୍ରସ୍ଥାନ ବିମାନ ବାତିଲ କରାଯାଇଛି।

ବୁଧବାର ବାତିଲ ହୋଇଥିଲା ୧୦୦ରୁ ଅଧିକ ବିମାନ

ବୁଧବାର କର୍ମଚାରୀଙ୍କ ଅଭାବ ଯୋଗୁ ବିଭିନ୍ନ ବିମାନବନ୍ଦରରେ ବିମାନ କମ୍ପାନୀ ୧୦୦ ରୁ ଅଧିକ ଉଡ଼ାଣ ବାତିଲ କରିଥିଲା । ଅନେକ ଉଡ଼ାଣ ବିଳମ୍ବ ହୋଇଥିଲା। ଦିଲ୍ଲୀର ୩୮, ବେଙ୍ଗାଲୁରୁର ୪୨, ମୁମ୍ବାଇର ୩୩ ଏବଂ ହାଇଦ୍ରାବାଦର ୧୯ଟି ବିମାନ ଏହି ତାଲିକାରେ ରହିଥିଲା । ସେହିପରି ଗତ ନଭେମ୍ବର ମାସରେ ଏୟାରଲାଇନ୍ସର ୧୨୩୨ଟି ବିମାନ ବାତିଲ ହୋଇଥିବା ବେଳେ ଏକାଧିକ ବିଳମ୍ବରେ ଉଡାଣ ଭରିଥିଲା।

ସୂଚନାଯୋଗ୍ୟ, ଏୟାରଲାଇନ୍ସ ପାଇଁ ଦେଖା ଯାଇଥିବା ସମସ୍ୟା ମଧ୍ୟରେ ଛୋଟ ଛୋଟ ଯାନ୍ତ୍ରୀକ ତ୍ରୁଟି, ଶୀତକାଳୀନ ସମୟସୂଚୀ ସଂଶୋଧନ, ପ୍ରତିକୂଳ ପାଗ, ବିମାନ ଚଳାଚଳ ବ୍ୟବସ୍ଥାରେ ବର୍ଦ୍ଧିତ ଭିଡ଼ ଏବଂ ଅପଡେଟ୍ କ୍ରୁ ରୋଷ୍ଟରିଂ ନିୟମ ପ୍ରଚଳନ ଆଦି ରହିଛି। ଏସବୁ ସମସ୍ୟା ଏୟାରଲାଇନ୍ସକୁ ବିପଦରେ ପକାଇଛି। ସାରା ଦେଶରେ ୨୩୦୦ ଘରୋଇ ବିମାନ ପରିଚାଳନା କରୁଥିବା ଇଣ୍ଡିଗୋ ବିଭିନ୍ନ ସମସ୍ୟା ଯୋଗୁ ହୋଇଥିବା ବ୍ୟାପକ ବ୍ୟାହତ ଯୋଗୁ ଦୁଃଖ ପ୍ରକାଶ କରିଛି। ଏଥିପାଇଁ କମ୍ପାନୀ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ।