ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର ଶେଷ, ୧୩ ରାଜ୍ୟର ୮୮ ଲୋକସଭା ଆସନ ନିମନ୍ତେ ୨୬ ଏପ୍ରିଲରେ ହେବ ଭୋଟ

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ ୨୪।୪: ଲୋକସଭା ନିର୍ବାଚନ ୨୦୨୪ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନିମନ୍ତେ ଅବଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ବୁଧବାର ସନ୍ଧ୍ୟା ୬ଟା ବେଳେ ପ୍ରଚାର ଶେଷ ହୋଇଛି। ଏପ୍ରିଲ ୨୬ ତାରିଖ ଦିନ ୧୩ ରାଜ୍ୟର ୮୮ ଲୋକସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଏହି ସବୁ ଆସନର ନିର୍ବାଚନ ପରିଣାମ ଜୁନ ୪ରେ ଘୋଷଣା ହେବ। ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ହେଉ ସେଥି ପାଇଁ ନିର୍ବାଚନ ଆୟୋଗ ପୁରା ପ୍ରସ୍ତୁତି କରି ନେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାନରେ କେତେକ ହାଇପ୍ରୋଫାଇଲ ସିଟ୍ ମଧ୍ୟ ରହିଛି, ଯେଉଁଥିରେ ମଥୁରା ଯେଉଁଠୁ ହେମାମାଲିନୀ ତାଙ୍କର ତୃତୀୟ ବିଜୟ ଆଶା ରଖୁଛନ୍ତି। ସେହିପରି ମିରଟ ଯେଉଁଠୁ ରାମାୟଣର ରାମ ଅର୍ଥାତ ଅରୁଣ ଗୋଭିଲ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏହାଛଡା ବିହାରର ପୂର୍ଣ୍ଣିଆ ମଧ୍ୟ ଏହି ପର୍ଯ୍ୟାୟର ସବୁଠୁ ଚର୍ଚ୍ଚିତ ଲୋକସଭା ଆସନ ମଧ୍ୟରୁ ଅନ୍ୟତମ, କାରଣ ପପୁ ଯାଦବ ଜେଡିୟୁ ସାଂସଦ ସନ୍ତୋଷ କୁମାର କୁଶୱାହଙ୍କ ବିରୋଧରେ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀତା ନିମନ୍ତେ ନିର୍ବାଚଣ ରଣକ୍ଷେତ୍ରକୁ ପ୍ରବେଶ କରିଛନ୍ତି। 

ସେହିପରି କେରଳର ୱାଇନାଡ ଆସନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ସିପିଆଇର ଏନି ରାଜା ଓ କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମର ୫, ବିହାରର ୫, ଛତିଶଗଡର ୩, ଜମ୍ମୁ-କାଶ୍ମୀରର ଗୋଟିଏ, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୮, ରାଜସ୍ଥାନର ୧୩, ତ୍ରିପୁରାର ୧, ଉତ୍ତରପ୍ରଦେଶର ୮ ଓ ପଶ୍ଚିମବଙ୍ଗର ୩ଟି ଆସନରେ ଭୋଟ ଗ୍ରହଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.