ଅପହରଣ ମାମଲାରେ ଏଚ୍.ଡି.ରେଭନ୍ନାଙ୍କୁ ଗିରଫ କଲା SIT, କୋର୍ଟରେ ଅଗ୍ରୀମ ଜାମିନ ନିବେଦନ ଖାରଜ

Published By : Prameya-News7 Bureau | May 04, 2024 IST

ବେଙ୍ଗାଲୁରୁ ୪।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ପୁଅ ତଥା ଜେଡିଏସ୍ ନେତା ଏଚ୍.ଡି. ରେଭନ୍ନାଙ୍କୁ କର୍ଣ୍ଣାଟକ ପୋଲିସର ଏସଆଟି ଗିରଫ କରିଛି। ତାଙ୍କୁ ଏବେ ଜନୈକା ପୀଡ଼ିତା ମହିଳାଙ୍କ ଅପହରଣ ମାମଲାରେ ପଚରା ଉଚରା କରାଯାଉଛି। ଗତ ଗୁରୁବାର ମୈସୁରରେ ଜଣେ ମହିଳାଙ୍କ ଅପହରଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ସେହି ମହିଳା ମଧ୍ୟ ଯୌନ ଶୋଷଣର ଶିକାର ହୋଇଛନ୍ତି।  ମାମଲା ରୁଜୁ ହେବା ପରେ ପୋଲିସ ରେଭନ୍ନାଙ୍କ ଖାସ ବ୍ୟକ୍ତି ସତୀଶ ବବନ୍ନାଙ୍କୁ ଗିରଫ କରିଥିଲା। ଏବେ ଏସଆଇଟି ଦ୍ୱାରା ଦୁଇଥର ନୋଟିସ୍ ଦିଆଯିବା ପରେ ବି ହଜାର ନ ହେବାରୁ ଏଚ.ଡି.ରେଭନ୍ନାଙ୍କୁ ଗିରଫ କରାଯାଇଛି। 

ପୋଲିସର ଗିରଫରୁ ବର୍ତ୍ତିବା ପାଇଁ ଏଚ.ଡି.ରେଭନ୍ନା କୋର୍ଟରେ ଅଗ୍ରୀମ ଜାମିନ ନିବେଦନ କରିଥିଲେ। ଶନିବାର ଅପରାହ୍ନରେ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜନପ୍ରତିନିଧି କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସନ୍ତୋଷ ଗଜାନନ ଭଟ୍ଟଙ୍କ ପୀଠ ଆବେଦନକୁ ଖାରଜ କରିବା ସହ ମାମଲାର ପରବର୍ତ୍ତି ଶୁଣାଣି ମେ ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଏସଆଇଟି ଏଚ.ଡି.ରେଭନ୍ନା ଓ ତାଙ୍କ ପୁଅ ପ୍ରଜ୍ୱଳଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କରିଥିଲା। 

ଏହା ପୂର୍ବରୁ ଏଚ.ଡି. ରେଭନ୍ନାଙ୍କ ଗିରଫକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ତାଙ୍କୁ ଗୋଟେ ସୁଯୋଗ ଦିଆଯାଇଥିଲା। ତାଙ୍କୁ ଧାରା ୪୧ ଅନୁସାରେ ଏକ ନୋଟିସ୍ ଦିଆଯାଇଥିଲା। ତାଙ୍କୁ ଏସଆଇଟିରେ ହାଜର ହୋଇ ନିଜର ପକ୍ଷ ରଖିବା କଥା। ହେଲେ ସେ ନ ଆସିବାରୁ ତାଙ୍କୁ ଦ୍ୱିତୀୟ ନୋଟିସ୍ ମଧ୍ୟ ଦିଆଯାଇଥିଲା। ଏହି ନୋଟିସ୍ ରେ ତାଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହି ସମୟ ସୀମା ପୂରଣ ହେବା ପରେ ଶନିବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ତାଙ୍କ ରୋଷେୟା ଯୌନ ଶୋଷଣ ଅଭିଯୋଗ କରିଥିଲେ। ସେ ତାଙ୍କ ବୟାନରେ  ଏଚ.ଡି ଓ ପ୍ରଜ୍ୱଳଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.