ଭୁବନେଶ୍ୱର ୦୪।୦୫ : ସିଦ୍ଧାନ୍ତ ମହାପାତ୍ର ବା ମୁନ୍ନା ଭାଇ । କାହାକୁ ଅଛପା ଏହି ନାଁ । ଓଲିଉଡ୍ର ସବୁଠୁ ସଫଳ ଅଭିନେତାଙ୍କ ମଧ୍ୟରେ ଏହି ନାଁଟି ବେଶ ପରିଚିତ। ପ୍ରତି ଓଡିଆଙ୍କ ଘରେ ଘରେ ଫେମସ ସିଦ୍ଧାନ୍ତ ମହାପାତ୍ର । ଇତିମଧ୍ୟରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ୫୮ ବର୍ଷରେ ପାଦ ଥାପିଛନ୍ତି । ଆଜି ମାନେ ମେ ୪ ତାରିଖ ଦିନ ଏହି ସୁପରଷ୍ଟାର ତଥା ବ୍ରହ୍ମପୁରର ପୂର୍ବତନ ସାଂସଦଙ୍କ ଜନ୍ମଦିନ ।
୧୯୬୬ ମସିହା ମେ ୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ସିଦ୍ଧାନ୍ତ ମହାପାତ୍ରଙ୍କ ଜନ୍ମ। ପିତା ମାତା ଥିଲେ ଡକ୍ଟର ଥିବାରୁ ସିଦ୍ଧାନ୍ତଙ୍କ ପାଠ ପଢା ଓଡିଶାର ବିଭିନ୍ନ ସ୍ଥାନମାନଙ୍କରେ ହୋଇଛି । ଯେପରି ପ୍ରଥମେ ବ୍ରହ୍ମପୁର, କେନ୍ଦୁଝର ଏବଂ ନୂଆଦିଲ୍ଲୀରେ ପାଠ ପଢିଥିଲେ । ପାଠ ପଢା ପରେ ପରିବାରର ଜଣେ ସଂପର୍କୀୟଙ୍କ କଥା ମାନି ଓଲିଉଡ୍ରେ କରିଥିଲେ ଡେବ୍ୟୁ । ୧୯୯୨ରେ ଶ୍ରଦ୍ଧାଞ୍ଜଳି ଫିଲ୍ମ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ । ଏହାପରେ ଆଉ ପଛକୁ ଫେରିନଥିଲେ । କରିଚାଲିଲେ ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଉ ଦେଇଚାଲିଲେ ହିଟ୍ ଫିଲ୍ମ ପରେ ହିଟ୍ । ଅଭିନୟ ଏବଂ ଡ୍ୟାନ୍ସରେ ଅଭିଜ୍ଞତା ନଥାଇ ଓଲିଉଡ୍ରେ ନିଜର ଜଲଓ୍ୱା ଦେଖାଇ ଚାଲିଥିଲେ ସିଦ୍ଧାନ୍ତ । ଏବେ ସୁଦ୍ଧା ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ସିଦ୍ଧାନ୍ତ ।
ଶେଷରେ ୨୦୦୯ରେ ପେଶାଗତ ଅଭିନୟ ଜଗତରୁ ଯାଇ ରାଜନୀତି ପାଦ ଥାପିଥିଲେ । ଆଉ ବିଜେଡି ଟିକେଟ ବ୍ରହ୍ମପୁର ଲୋକସଭା ଆସନରେ ଲଢିଲେ ନିର୍ବାଚନ । ବିଜୟୀ ମଧ୍ୟ ହେଲେ । ଏହାପରେ ୨୦୧୪ରେ ମଧ୍ୟ ସମାନ ଆସନରୁ ଜିତି ୨ୟ ଥର ସାଂସଦ ଭାବେ ହୋଇଥିଲେ ନିର୍ବାଚିତ । ଲଗାତର ଦୁଇଟି ପାଳିରେ ବିଜେଡି ସାଂସଦ ଭାବେ ଲୋକସଭାକୁ ହୋଇଥିଲା ନିର୍ବାଚିତ । ହେଲେ ୨୦୧୯ରେ ସିଦ୍ଧାନ୍ତଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କ ଟିକେଟ୍ ଦେଇଥିଲେ ଦଳ । ଏବେ ମାନେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ହୋଇଛନ୍ତି ସାମିଲ । ଆଉ ବିଜେପି ଟିକେଟ୍ରୁ ଦିଗପହଣ୍ଡି ବିଧାନସଭା ଆସନରେ ଲଢୁଛନ୍ତି ନିର୍ବାଚନ ।