ଦୁବାଇ ଭଲ ଲାଗୁନି, ଯୁଦ୍ଧ ଭିତରେ ସହର ଛାଡିଲେଣି ୧୦୦୦ ଧନୀ : ଭୁଶିଡିବ ଅର୍ଥବ୍ୟବସ୍ଥା !

NEWS7
stringent-law-for-rapists-injections-are-being-forced-to-make-impotent

ନୂଆଦିଲ୍ଲୀ, ୧୭ /୦୩:ମଧ୍ୟପ୍ରାଚ୍ୟରେ ବଢୁଥିବା ଅଶାନ୍ତି ମଧ୍ୟରେ ଉପସାଗରୀୟ ଦେଶଗୁଡ଼ିକରେ ଅସ୍ଥିର ମାହୋଲ । ଏକଦା ବିଳାସ ଜୀବନର ପ୍ରତୀକ ଭାବେ ଗଣାଯାଉଥିଲା ଦୁବାଇ ।ଶୂନଆୟକର,ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ରାଜନୈତିକ ସ୍ଥିରତା ପାଇଁ ଏହା ଧନୀମାନଙ୍କୁ ଆକର୍ଷିତ କରିଆସୁଥିଲା । କିନ୍ତୁ ବର୍ତ୍ତମାନ ଯୁଦ୍ଧ ଭୟରେ ଏହା ନିଜର ଚମକ ହରାଇବସିଛି । ଧନୀମାନଙ୍କ ଆଡ୍ଡାସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ସହରରୁ ଏବେ ଧନକୁବେରମାନେ ପଳାୟନ କରୁଛନ୍ତି ।

ଛାଡୁଛନ୍ତି ଦୁବାଇ

ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟ ଦୁବାଇରେ ରହିଥାଏ । ଏବେ କମ୍ପାନିଗୁଡ଼ିକ ନିଜ ନିଜର କାର୍ଯ୍ୟାଳୟକୁ ସେଠାରୁ ସ୍ଥାନାନ୍ତର କରୁଛନ୍ତି । କାରଣ ହେଉଛି ଯୁଦ୍ଧ ଭୟ । ଏଠାରେ ରହିବାକୁ ସେମାନେ ଆଉ ସୁରକ୍ଷିତ ମଣୁନାହାନ୍ତି । ଅଧିକାଂଶ ଓମାନର ରାଜଧାନୀ ମସ୍କାଟ ଦେଇ ଲଣ୍ଡନ ଏବଂ ଅନ୍ୟ ୟୁରୋପୀୟ ସହରଗୁଡ଼ିକୁ ପଳାଇ ଯାଉଛନ୍ତି । ଦୈନିକ ମସ୍କାଟ ବିମାନ ବନ୍ଦରରୁ ପାଖାପାଖି ୩୦ ଘରୋଇ ଜେଟ୍ ଏବଂ ଚାର୍ଟର୍ଡ ଫ୍ଲାଇଟ୍ ଛାଡୁଛି । ପ୍ରତି ବିମାନରେ ଅନ୍ୟୁନ ୮ ଯାତ୍ରୀ ଯାଉଛନ୍ତି । ଇରାନ ଉପରେ ହମଲା ଆରମ୍ଭ ହେବା ପରଠାରୁ ୧୦୦୦ରୁ ଅଧିକ ଧନୀ ପରିବାର ଦୁବାଇ ଛାଡ଼ିସାରିଲେଣି । ୮୧,୨୦୦ ନିୟୁତପତି ଥିବା ଏହି ସହରରୁ ଏକସଙ୍ଗେ ଏତେ ମାତ୍ରାରେ ଧନୀ ପଳାୟନ କରିବା ଏହାର ଅର୍ଥବ୍ୟବସ୍ଥାକୁ ବାଧିବା ଆରମ୍ଭ କଲାଣି ।

​​​​​​​ଏହି ଖବରଟି ପଢନ୍ତୁ... ଚାବହାର ନିକଟରେ ଆମେରିକାର ଏୟାରଷ୍ଟ୍ରାଇକ୍, ଚିନ୍ତାରେ ଭାରତ : ପ୍ରଭାବିତ ହେବ ବ୍ୟବସାୟ !

ବାଧୁଛି ବିମାନ ଟିକେଟ୍

ମସ୍କାଟ ବିମାନ ବନ୍ଦରରେ ଭିଡ଼ ସ୍ଥିତି । ଘରୋଇ ଜେଟ୍ରେ ଯାତ୍ରା ପାଇଁ ଅଧିକ ଦାମ ଦେବାକୁ ପଡୁଛି । ସିଟ୍ ପିଛା ପ୍ରାୟ ୨୦,୦୦୦ ଡଲାର ବା ୧୬ ଲକ୍ଷ ଟଙ୍କା ଦେବାକୁ ପଡୁଛି । ଉଚ୍ଚ ଦର ସତ୍ତେ୍ୱ ସମ୍ଭ୍ରାନ୍ତ ପରିବାରଗୁଡ଼ିକ ୟୁରୋପକୁ ଚାଲିଯିବାକୁ ଚାହୁଁଛନ୍ତି । ମସ୍କାଟ ବିମାନ ବନ୍ଦରରେ ଭିଡ଼ ଯୋଗୁ ଅଧିକାଂଶ ସାଉଦି ଆରବସ୍ଥିତ ରିୟାଧ ଏବଂ ଡାମମ ବିମାନ ବନ୍ଦର ବ୍ୟବହାର କରି ଆମେରିକା ଦେଇ ୟୁରୋପ ଉଡ଼ିଯାଉଛନ୍ତି । ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏୟାର୍ ଇଣ୍ଡିଆ ଲଣ୍ଡନ,ପ୍ୟାରିସ୍ ଏବଂ ନ୍ୟୁୟର୍କ ସମେତ ପ୍ରମୁଖ ସହରଗୁଡ଼ିକୁ ଅତିରିକ୍ତ ବିମାନ ଯୋଡ଼ିଛି । ଧନୀ ପ୍ରବାସୀଙ୍କ ପାଇଁ ଦୁବାଇ ଦୀର୍ଘଦିନ ଧରି ଏକ ଅନ୍ତରାଷ୍ଟ୍ରୀୟ ହବ୍ ରହିଆସିଥିଲା । କିନ୍ତୁ ବର୍ତ୍ତମାନ ଯୁଦ୍ଧ ସ୍ଥିତିରେ ଦୁବାଇ,ଆବୁଧାବି ଏବଂ ସାରଜା ଭଳି ସହରରେ ଅସ୍ଥିରତା ଦେଖାଦେଇଛି । ଧନୀମାନେ ସହରରୁ ପଳାୟନ କରିବା ଫଳରେ ସଂପୃକ୍ତ ସହରଗୁଡ଼ିକର ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ସ୍ଥାନୀୟ ନିବେଶ ଏବଂ ବିକାଶକୁ ଲାଗିଛି ଶକ୍ତ ଧକ୍କା ।