LIVE TV

ଏକାଥରେ ୨୫ଟି ସ୍କୁଲରେ ଚାକିରୀ : ୧୩ ମାସରେ ୧ କୋଟି ଟଙ୍କା ଦରମା ପାଇଛନ୍ତି ଶିକ୍ଷୟତ୍ରୀ

NEWS7

ଲକ୍ଷ୍ନୌ ୦୫/୦୬ : ଉତ୍ତର ପ୍ରଦେଶରେ ଶିକ୍ଷା ନାଁରେ ଠକେଇ ମାମଲା ଅନେକଥର ସାମ୍ନାକୁ ଆସିଥାଏ | ଏହିଭଳି ଏକ ଠକେଇ ମାମଲା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ମାମଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହ ଜଡିତ | ମେନପୁରୀ ବାସିନ୍ଦା ଅନାମିକା ଶୁକ୍ଲା ଜଣେ ବିଜ୍ଞାନ ଶିକ୍ଷୟତ୍ରୀ | କଥିତ ଭାବେ ସେ ଏକାଥରେ ୨୫ଟି ସ୍କୁଲରେ ଚାକିରୀ କରିଛନ୍ତି | ୧୩ ମାସରେ ସେ ଏହି ୨୫ ସ୍କୁଲରୁ ପାଖାପାଖି କୋଟିଏ ଟଙ୍କା ଦରମା ମଧ୍ୟ ନେଇଛନ୍ତି | ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷୟତ୍ରୀଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି |

ଶିକ୍ଷୟତ୍ରୀଙ୍କ ଡାଟାବେସ ପ୍ରସ୍ତୁତ କଲାବେଳେ ମାମଲା ସାମ୍ନାକୁ ଆସିଥିଲା | ଉତ୍ତର ପ୍ରଦେଶରେ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ଆଟେଣ୍ଡାଣ୍ଟ ରିୟଲ ଟାଇମ ମନିଟରିଙ୍ଗ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି | ଏବେ ସୁଦ୍ଧା ହୋଇଥିବା ଯାଞ୍ଚରୁ ଜଣାପଡିଛି ଯେ, ଅନାମିକା ଶୁକ୍ଲା ୨୫ଟି ସ୍କୁଲରେ ବର୍ଷେରୁ ଅଧିକ ସମୟ ହେବ ନିଯୁକ୍ତ ଅଛନ୍ତି | ସ୍କୁଲ ଶିକ୍ଷା ମହାନିର୍ଦେଶକ ବିଜୟ କିରନ ଆନନ୍ଦଙ୍କ ଅନୁସାରେ, ଅନାମିକା ଶୁକ୍ଲାଙ୍କ ସମ୍ପର୍କରେ ଯାଞ୍ଚ ଆରମ୍ଭ ହୋଇଯାଇଛି | ମାମଲାର ବିସ୍ତୃତ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି | କାରଣ ସବୁ ଶିକ୍ଷକ ପ୍ରେରଣା ପୋର୍ଟାଲରେ ଅନଲାଇନ ନିଜର ଆଟେଣ୍ଡାନ୍ସ ଦରଜ କରୁଥିବାବେଳେ ଏହିଭଳି କିପରି ହେଲା ତାହା ପ୍ରଶ୍ନ ଛିଡା କରୁଛି |

ସୂଚନା ଅନୁଯାୟୀ, ଅନାମିକା ଶୁକ୍ଲାଙ୍କୁ ପ୍ରୟାଗରାଜ, ଆମ୍ବେଦକରନଗର ସହ ସହାରନପୁର, ବାଗପତ, ଅଲିଗଡ଼ ଭଳି ଜିଲ୍ଲାର କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ନିୟୋଜିତ ହୋଇଛନ୍ତି | ଏଠାରେ କଣ୍ଟ୍ରାକ୍ଟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ହୋଇଥାଏ | ଏମାନଙ୍କୁ ମାସକୁ ୩୦ ହଜାର ଦରମା ମିଳିଥାଏ | ଜିଲ୍ଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କସ୍ତୁରବା ଗାନ୍ଧୀ ସ୍କୁଲ ରହିଛି | ଦୁର୍ବଳ ଶ୍ରେଣୀରୁ ଆସୁଥିବା ବାଳିକାଙ୍କ ପାଇଁ ଏଠାରେ ଆବାସ ସୁବିଧା ମଧ୍ୟ ରହିଛି |

କେବଳ ସେତିକି ନୁହେଁ, ବାସ୍ତବିକ ବାସ୍ତବିକ ଭାବେ କେଉଁଠି ନିୟୋଜିତ ହୋଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ | ଶିକ୍ଷା ବିଭାଗ ଅନୁସାରେ, ଅଭିଯୋଗକ୍ରମେ ସବୁ ଜିଲ୍ଲାରେ ଯାଞ୍ଚ କରାଯାଉଛି | ଯାଞ୍ଚ ପରେ ଏଫଆଇଆର ରୁଜ୍ଜୁ କରାଯିବ | ତେବେ କେଉଁ ବ୍ୟାଙ୍କ ଆକାଉଣ୍ଟରୁ ଏହା ଅପରେଟ ହେଉଛି ତାହା ମଧ୍ୟ ଯାଞ୍ଚ କରାଯାଉଛି |

ମାମଲାରେ ରାୟବରେଲୀର ଶିକ୍ଷା ବିଭାଗ ଦ୍ୱାରା ଜଣାପଡିଛି ଯେ ସର୍ବ ଶିକ୍ଷା ଅଭିଯାନ ତରଫରୁ ଏହି ୬ଜିଲ୍ଲାକୁ ଚିଠି ଲେଖି ଅନାମିକା ଶୁକ୍ଲାଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି | ମହିଳା ଜଣକ ରାୟବରେଲୀରେ ମଧ୍ୟ କାମ କରୁଥିବା ଜଣାପଡିଛି | ଅନାମିକା ଶୁକ୍ଲାଙ୍କୁ ଏକ ନୋଟିସ ମଧ୍ୟ ଦିଆଯାଇଛି ଏବଂ ତାଙ୍କ ଦରମା ବନ୍ଦ କରିଦିଆଯାଇଛି | ଏବେ ପର୍ଯ୍ୟନ୍ତ ସେ କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି |