କଲୋମ୍ବିଆ, କ୍ୟୁବା ଏବଂ ମେକ୍ସିକୋକୁ ଟ୍ରମ୍ପଙ୍କ ଖୋଲା ଧମକ; ଏବେ ତୁମ ପାଳି !

NEWS7
salt-and-clove-can-solve-your-money-problem

ନୂଆଦିଲ୍ଲୀ: ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାଦୁରୋଙ୍କୁ ନ୍ୟୁୟର୍କ ଜେଲରେ ବନ୍ଦୀ ରଖାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି କରିଛି । ଏହି ଦେଶଗୁଡ଼ିକ ଏହି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ସମାଲୋଚନା କରିଛନ୍ତି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ସାର୍ବଜନୀନ ଭାବରେ ଧମକ ଦେଇଛନ୍ତି । କେବଳ କଲୋମ୍ବିଆ ନୁହେଁ, ମେକ୍ସିକୋ ଏବଂ କ୍ୟୁବାକୁ ବି ଧମକ ଦେଇଛନ୍ତି ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଶନିବାର କହିଛନ୍ତି, ମେକ୍ସିକୋ ଏହାର ରାଷ୍ଟ୍ରପତିଙ୍କ ଦ୍ବାରା ନୁହେଁ ବରଂ ଡ୍ରଗ୍ସ ଡିଲରଙ୍କ ଦ୍ବାରା ଚାଲୁଛି । ମେକ୍ସିକୋ ସହିତ କିଛି କରିବାକୁ ପଡ଼ିବ । ଟ୍ରମ୍ପ କ୍ୟୁବା ସଂପର୍କରେ ମଧ୍ୟ ସମାନ କଥା କହିଛନ୍ତି । କ୍ୟୁବା ଗୋଟିଏ ବିଫଳ ରାଷ୍ଟ୍ର, ଏବେ ଆମେ କିଛି ପଦକ୍ଷେପ ଗ୍ରହଣ କରିବୁ । ଦେଶର ଲୋକଙ୍କୁ ଆମେ ସାହାଯ୍ୟ କରିବାକୁ ଚାହୁଁଛୁ ବୋଲି ଟ୍ରମ୍ପ କହିଛନ୍ତି ।

ସେପଟେ କଲୋମ୍ବିଆ ରାଷ୍ଟ୍ରପତି ପେଟ୍ରୋଙ୍କ ସଂପର୍କରେ ଟ୍ରମ୍ପ କହିଛନ୍ତି, ‘ସେ କୋକେନ୍ ତିଆରି କରୁଛନ୍ତି ଏବଂ ଏହାକୁ ଆମେରିକା ପଠାଉଛନ୍ତି । ତେଣୁ ତାଙ୍କୁ ସତର୍କ ରହିବାକୁ ପଡିବ। ଏହା ପୂର୍ବରୁ ମାଦୁରୋଙ୍କ ନାମ ନନେଇ ପେଟ୍ରୋ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଲାଟିନ୍ ଆମେରିକାର ‘ସାର୍ବଭୌମତ୍ୱ ଉପରେ ଆକ୍ରମଣ’ ବୋଲି କହିଥିଲେ। ସେ କହିଥିଲେ, ଏହା ଏକ ମାନବିକ ସଙ୍କଟ ସୃଷ୍ଟି କରିବ।

କାରିବିଆନରେ କଥିତ ନିଶା କାରବାର ଜାହାଜଗୁଡ଼ିକର ମୁକାବିଲା ପାଇଁ ଟ୍ରମ୍ପଙ୍କ ସାମରିକ ନିୟୋଜିତର ଗୁସ୍ତାଭୋ ପେଟ୍ରୋ ଜଣେ କଠୋର ସମାଲୋଚକ । ଟ୍ରମ୍ପ୍ କହିଛନ୍ତି ଯେ, ସେ ତାଙ୍କର ନିଶା ନିବାରଣ ରଣନୀତିର ଅଂଶ ଭାବରେ କଲୋମ୍ବିଆରେ ଡ୍ରାଗ୍ସ ଉତ୍ପାଦନ ପ୍ରୟୋଗଶାଳା ଉପରେ ଆକ୍ରମଣକୁ ଅସ୍ୱୀକାର କରିବେ ନାହିଁ। ପେଟ୍ରୋ ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତିକୁ ଆକ୍ରମଣର ଧମକ ବୋଲି କହିଛନ୍ତି ଏବଂ ନିନ୍ଦା କରିଛନ୍ତି।

ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ କାରାକାସରୁ ଗିରଫ କରାଯିବାର କିଛି ଘଣ୍ଟା ପରେ, ଟ୍ରମ୍ପ ଘୋଷଣା କରିଥିଲେ ଯେ, ଆମେରିକା ଅସ୍ଥାୟୀ ଭାବରେ ଦେଶକୁ ଦଖଲ କରିବ। ଟ୍ରମ୍ପ କହିଛନ୍ତି, ‘ଯେପର୍ଯ୍ୟନ୍ତ ଆମେ ଏକ ସୁରକ୍ଷିତ, ନ୍ୟାୟପୂର୍ଣ୍ଣ କ୍ଷମତା ପରିବର୍ତ୍ତନ ହାସଲ କରିପାରିବା ନାହିଁ, ସେପର୍ଯ୍ୟନ୍ତ ଆମେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିବୁ।’ ଏହା ବ୍ୟତୀତ ସେ କହିଛନ୍ତି, ଆମେରିକା ଦ୍ୱିତୀୟ ଏବଂ ବହୁତ ବଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ।