ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ୍ ଗିରଫ

NEWS7
rajesh-bhushan-appointed-as-new-health-secretary

ଭୁବନେଶ୍ଵର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ୍ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଶତ୍ରୁଘ୍ନଙ୍କ ଚାକିରିରୁ ବହିଷ୍କାର କରିଛି ରାଜ୍ୟ ସଂସ୍କୃତି ବିଭାଗ। ଶତ୍ରୁଘ୍ନଙ୍କ ବିରୋଧରେ ୧୦ରୁ ୧୨ ଜଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ଗୁରୁବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏହା ପୂର୍ବରୁ ଅଧ୍ୟାପକଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀ ରାଜରାସ୍ତା ଅବରୋଧ କରିଥିଲେ।

ସୂଚନାଯୋଗ୍ୟ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ନେଇ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନଙ୍କ ନାଁରେ ଏହି ଅଭିଯୋଗ ଆସିଥିଲା। ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଛାତ୍ରଛାତ୍ରୀ । ଏହି ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତା ଅବରୋଧ କରିଥିଲେ । ପୋଲିସ ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଜଣେ ଆନ୍ଦୋଳନରତ ଛାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

​​​​​​​

ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଥିଲା । ଶତ୍ରୁଘ୍ନ ଜଣେ ଅତିଥି ଅଧ୍ୟାପକ ଥିଲେ । ସେ ଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଖରାପ ଇଙ୍ଗିତ କରିଥିବା ଅଭିଯୋଗ ହୋଇଥିଲା। ଜଣେ ନୁହେଁ ଅନେକ ଛାତ୍ରୀଙ୍କ ପ୍ରତି ଏଭଳି କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଅଧ୍ୟାପକଙ୍କ ଡରରେ ଅଭିଯୋଗରେ କରିନଥିଲେ । ଆଜି କଲେଜ ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇଥିଲା । ୧୦ରୁ ୧୨ ଜଣ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାରଠୁ ସୁରୁଖୁରୁରେ ଡ୍ରାମା କ୍ଲାସ୍ ଚାଲିବ ବୋଲି କଲେଜ ପକ୍ଷରୁ ସୂଚନା ମିଳିଛି ।