ବିଧାନସଭାରେ ସାଂଘାତିକ ତଥ୍ୟ : ପେଟ୍ରୋଲ୍ ପମ୍ପ୍‌ରେ ଗ୍ରାହକଙ୍କୁ ଠକେଇ ନେଇ ୧୦୯ କେସ୍, ୮ ହଜାର ୬୫ ସୁନା ଦୋକାନରେ ଚଢ଼ାଉ

NEWS7
rajesh-bhushan-appointed-as-new-health-secretary

ଭୁବନେଶ୍ବର ୧୧।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭାରତରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଛି । ପେଟ୍ରୋଲ ଡିଜେଲ୍‌କୁ ନେଇ ସାଧାରଣରେ ଚିନ୍ତା ବଢ଼ିଲାଣି । ହେଲେ ପେଟ୍ରୋଲ ପମ୍ପ ଓ ସୁନା ଦୋକାନରେ ମାପ ଓଜନରେ ଠକେଇ କରି ମାଲେମାଲ୍ ହେଉଛନ୍ତି ଅସାଧୁ ବ୍ୟବସାୟୀ । ବିଧାନସଭାରେ ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି ଖୋଦ୍ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ଗଲା ୩ ବର୍ଷରେ ପେଟ୍ରୋଲ୍ ପମ୍ପରେ ଗ୍ରାହକଙ୍କୁ ଠକେଇ ନେଇ ୧୦୯ କେସ୍ ସାମ୍ନାକୁ ଆସିଛି । ସେହିଭଳି ଏହି ୩ବର୍ଷରେ ୮ହଜାର ୬୫ ସୁନା ଦୋକାନରେ ଚଢ଼ାଉ ହୋଇଥିବା ବେଳେ ମାପ ଓଜନରେ ଠକେଇ ନେଇ ୧୬ଟି କେସ୍ ସାମ୍ନାକୁ ଆସିଛି ।

ଲୋକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ଓ ସୁନା ଦୋକାନୀ । ଓଜନ ମାପରେ ଚାଲିଛି ଠକେଇର ମହାଘୋଟାଲା । ସାବଧାନ ହୋଇଯାଆନ୍ତୁ ଗ୍ରାହକ । ଆପଣ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ୫ଶହ କି ୨ଶହ ଟଙ୍କା ବଢ଼ାଇ ଦେଇ ଗାଡ଼ିରେ ତେଲ ପକାଉଛନ୍ତି । କିନ୍ତୁ ଆପଣଙ୍କ ଗାଡ଼ି ଟାଙ୍କିରେ ସେତିକି ଟଙ୍କାର ତେଲ ପଡ଼ୁନି । ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ଏକଥା ଆମେ କହୁନି, ବିଧାନସଭାରେ ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି ଖୋଦ୍ ଯୋଗାଣ ମନ୍ତ୍ରୀ । ଯାହା ସମସ୍ତଙ୍କୁ ତାଜୁବ୍ କରିଛି । ମନ୍ତ୍ରୀଙ୍କ କହିବା ଅନୁସାରେ ଗତ ୩ବର୍ଷରେ ପେଟ୍ରୋଲ ପମ୍ପରେ ଠକେଇ ନେଇ ୧୦୯ଟି କେସ୍ ସାମ୍ନାକୁ ଆସିଛି । ୨୦୨୩-୨୪ରେ ୬୯କେସ, ୨୦୨୪-୨୫ରେ ୧୫ଟି କେସ୍ ଓ ୨୦୨୫ରୁ ୨୦୨୬ ଫେବ୍ରୁଆରୀ ପର୍ଯ୍ୟନ୍ତ ୨୫ କେସ୍, ଏମିତି ୧୦୯ଟି କେସ୍ ଧରାପଡ଼ିଛି । ଓଜନ ମାପରେ ଠକୁଥିବା ପେଟ୍ରୋଲ ପମ୍ପ ଗୁଡ଼ିକରୁ ୧୩ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଛନ୍ତି ସରକାର । ହେଲେ ଏସବୁ ପେଟ୍ରୋଲ ପମ୍ପରେ ତେଲ ପକାଇ ଠକାମୀର ଶିକାର ହୋଇଥିବା ଲୋକେ ପାଇଲେ କ’ଣ ? ତାହା ହେଉଛି ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ । କାରଣ ଲୋକଙ୍କୁ ଠକି ପେଟ୍ରୋଲ ପମ୍ପ ମାଲିକ ମାଲେମାଲ ହେଉଛନ୍ତି । ଦିନେ ଅଧେ ଧରାପଡ଼ିଲେ ଫାଇନ୍ ଗଣି ଦେଇ ପୁଣି ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲୁଛନ୍ତି । କିନ୍ତୁ ଲୋକଙ୍କୁ ଠକେଇ ଉପରେ ଲାଗୁନି ଲଗାମ୍ । ସବୁ ଦିନ ସବୁ ପେଟ୍ରୋଲ ପମ୍ପରେ ମାପ ଓଜନ ଯାଞ୍ଚ କରିବେ କି ସରକାର ?

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

ଖାଲି କ’ଣ ପେଟ୍ରୋଲ ପମ୍ପରେ ଠକେଇ ହେଉଛି ବଡ଼ ବଡ଼ ସୁନା ଦୋକାନରେ ବି ଓଜନ ମାପରେ ଗ୍ରାହକଙ୍କୁ ବେଧଡ଼କ ଠକେଇ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଯେତେବେଳେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଛି । ସେତେବେଳେ ମାପ ଓଜନରେ ଠକେଇ କରି ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ । ମନ୍ତ୍ରୀ କହିଛନ୍ତି ଗଲା ୩ ବର୍ଷରେ ରାଜ୍ୟର ୮ହଜାର ୬୫ ସୁନା ଦୋକାନ ଉପରେ ଚଢ଼ାଉ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬ଟି ଠକେଇ କେସ ସାମ୍ନାକୁ ଆସିଛି । ଏଠି ବି ଠକେଇ କରୁଥିବା ସୁନା ଦୋକାନୀଙ୍କ ଠାରୁ ଗଲା ୩ବର୍ଷରେ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର । ତା’ ପରେ ବି ସୁନା ଦୋକାନୀଙ୍କ ଠକେଇ ବନ୍ଦ ହୋଇଛି କି ନାହିଁ ତା’ର ଉତ୍ତର କାହା ପାଖରେ ନାହିଁ ।

ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ବଡ଼ ବଡ଼ ସୁନା ଦୋକାନୀ ସମସ୍ତେ ଗ୍ରାହକଙ୍କୁ ଠକୁଛନ୍ତି, ଏକଥା ଖୋଦ୍ ସରକାର ବି ଜାଣିଛନ୍ତି । ହେଲେ କେବଳ କିଛି ଚଢ଼ାଇ ଓ ଜରିମାନା ଆଦାୟ କରିଦେଇ ଯିଏ ଯେଝା ବାଟରେ ବସିଛନ୍ତି । ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାରମ୍ବାର ସେମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ଆଉ ଠକାମୀର ଶିକାର ହେଉଥିବା ଗ୍ରାହକ କାନମୁଣ୍ଡା ଆଉଁସି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ।