ଅଭାବନୀୟ ଘଟଣା, ମେଡିକାଲରେ ବିଚରାଧୀନ କଏଦୀ ମୃତ

Published By : Prameya-News7 Bureau | April 18, 2024 IST

ବାଲିଗୁଡ଼ା ୧୮।୦୪ : କନ୍ଧମାଳ ଜିଲ୍ଲା କାରାଗାରରେ ଘଟିଛି ଅଭାବନୀୟ ଘଟଣା । ବିଚରାଧୀନ କଏଦୀ ଅଭିରାମ ଦିଗଲଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ଗଞ୍ଜେଇ ମାମଲାରେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । 

ଖବର ଅନୁଯାୟୀ,  କିଛିଦିନ ତଳେ ଯୁବକ ଜଣକ ନାଁରେ ଫୁଲବାଣୀ ଟାଉନ ଥାନାରେ ଏକ ଗଞ୍ଜେଇ ଚାଲାଣ ମାମଲା ହୋଇଥିଲା । ଏହି ମାମଲାରେ ସେ ଜେଲ ଯାଇ ଜାମିନରେ ମଧ୍ୟ ଆସିଥିଲେ I ଏହି ମାମଲାରେ ସେ ଜାମିନ ପାଇବା ପରେ କୋର୍ଟର ତାରିଖକୁ ଯାଇନଥିଲେ I ଯାହାପାଇଁ ତାଙ୍କ ନାଁରେ ମାନ୍ୟବର କୋର୍ଟ ଏକ ଜାମିନ ବିହୀନ ପରୱାନା ଜାରି କରାଯାଇଥିଲା । ମଙ୍ଗଳବାର ଦିନ ଯୁବକ ନିଜ ଓକିଲାଙ୍କ ଜରିଆରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ମାନ୍ୟବର ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ବୁଧବାର ସକାଳୁ ହଠାତ୍‌ ଦେହ ଖରାପ ହୋଇଛି କହି ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଜେଲ୍‌ରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ପକ୍ଷରୁ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.