Live Live
LIVE

ଭୁଶୁଡୁଛି ବାଲେଶ୍ୱର ବିଜେଡି ଗଡ଼, ବିଜେପିରେ ମିଶିବେ ଟାଣୁଆ ନେତା

NEWS7
pre-poll-violence-in-city-bjb-college-campus-12-injured

ଭୁବନେଶ୍ୱର ୧୧/୦୩: ଦୀର୍ଘଦିନ ଧରି ଦଳରୁ ହୋଇଥିଲେ କୋଣଠେସା । କିଛିଦିନ ହେଲା ଦଳର ଗୋଷ୍ଠୀ କନ୍ଦଳ ଚର୍ଚ୍ଚାରେ ଥିଲା । ଏହାକୁ ନେଇ ଦଳ ଦୁଇ ଫାଳ ହୋଇଥିଲା । ହେଲେ ମଙ୍ଗଳବାର ହାଇଭୋଲଟେଜ୍ ନେତା ଭାବେ ଜଣାଶୁଣା ତଥା ବାଲେଶ୍ୱରର ପୂର୍ବତନ ସାଂସଦ, ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା ଦଳ ଛାଡ଼ିଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଇଂ. ଜେନାଙ୍କ ଏଭଳି ନିଷ୍ପତ୍ତି ଜିଲ୍ଲାର ଦଳୀୟ କର୍ମୀଙ୍କୁ ସ୍ତବ୍ଧ କରିଦେଇଛି ।

ଇଂ. ଜେନା ଦଳ ଛାଡ଼ିବା ପରେ ଆଗାମୀ ଦିନରେ ଜିଲ୍ଲାରେ ଦଳ ଦୁର୍ବଳ ହେବନି ବରଂ ଭୁଶୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଜେଡିରୁ ଇଂ. ଜେନା ଇସ୍ତଫା ଦେବା ପରେ ତାଙ୍କର ଆଗାମୀ ଭବିଷ୍ୟତକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ନିଜ ସମର୍ଥକଙ୍କ ସହ ବୁଧବାର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଏନେଇ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ସେଥିରେ ଇଂ. ଜେନା ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଗହଣରେ ଦଳରେ ମିଶିବେ ।

ଏବେ ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବାରୁ ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।ଏକଦା ଇଂ. ଜେନା ଜିଲ୍ଲା ବିଜେଡିରେ ଏକ ପ୍ରମୁଖ ଚେହେରା ଥିଲେ । ୨୦୧୪ରେ ସେ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ଜିଲ୍ଲା ବିଜେଡି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେଇ ଦଳ କ୍ରମାଗତ ୨ ଥର ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲା । ଦଳକୁ ମଜଭୁତ କରିବା ପଛରେ ତାଙ୍କର ଅବଦାନ ମଧ୍ୟ ଥିଲା ।

ଏହିସବୁ ସତ୍ତ୍ୱେ ବିଭିନ୍ନ କାରଣ ପାଇଁ ଇଂ. ଜେନାଙ୍କୁ ନେଇ ଜିଲ୍ଲାରେ ବିଜେଡି ୨ ଫାଳ ହୋଇଯାଇଥିଲା । ଏହାର ପ୍ରଭାବ ୨୦୧୯ ନିର୍ବାଚନ ଉପରେ ପଡ଼ିଥିଲା । ଫଳସ୍ୱରୂପ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ଇଂ. ଜେନା ୨୦୧୯ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟରୁ ମାତ୍ର ୧୨ ହଜାର ୯୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏହି ନିର୍ବାଚନ ପରଠୁ ବାଲେଶ୍ୱରରେ ବିଜେଡି ସମ୍ପୂର୍ଣ୍ଣ ଦୁଇ ଫାଳ ହୋଇଥିଲା । ବିଭିନ୍ନ ସମୟରେ ଏହାର ସମାଧାନ ପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯେତେ ଚେଷ୍ଟା କରିଥିଲେ ହେଁ, ତାହାର ସୁଫଳ ମିଳି ନ ଥିଲା ।

ଏମିତିକି ୨୦୨୪ ନିର୍ବାଚନରେ ଦଳ ଏଥିପାଇଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅବଶ୍ୟ ଏହି ନିର୍ବାଚନରେ ଇଂ. ଜେନାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ବସ୍ତାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋଟ ଉପରେ କହିବାକୁ ଗଲେ ଏହି ନିର୍ବାଚନ ପରଠୁ ଜିଲ୍ଲା ବିଜେଡି ଦୁଇ ଗୋଷ୍ଠୀର ନେତୃତ୍ୱ ଯଥାକ୍ରମେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଇଂ. ଜେନା ହାତରେ ଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଏହାର ପ୍ରଭାବ ଜିଲ୍ଲାର ସଙ୍ଗଠନ ଉପରେ ପଡ଼ିଥିଲା ।

ଏମିତିକି ଗୋଷ୍ଠୀ କନ୍ଦଳ ପାଇଁ ଏବେ ବି ଜିଲ୍ଲା ସଭାପତି ଚୟନ ହୋଇପାରିନି । ଏସବୁ ସତ୍ତେ୍ୱ ବିଜେଡିରୁ କିଛି ମାସ ହେବ ଇଂ. ଜେନା କୋଣଠେସା ହୋଇ ରହିଯାଇଥିଲେ । ପୂର୍ବ ଭଳି ରାଜ୍ୟ ନେତୃବୃନ୍ଦ ତାଙ୍କୁ ଯେପରି ଗୁରୁତ୍ୱ ଦେଉଥିଲେ ତାହା ମିଳୁନଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ଜଣାପଡ଼ୁଥିଲା । ଏହି ସମୟ ଭିତରେ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀଙ୍କର ଗୁରୁତ୍ୱ ବୃଦ୍ଧି ପାଇଥିଲା । ନିକଟରେ ଇଂ. ଜେନାଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା ସିମୁଳିଆ ବିଜେଡି ନେତା ଶଶୀ ସାହୁଙ୍କୁ ନିଲମ୍ବନ କରାଯିବା ଏହା ପ୍ରମାଣିତ କରିଥିଲା ।

ସେବେଠାରୁ ଦଳରେ ଇଂ. ଜେନାଙ୍କ ସ୍ଥିତିକୁ ନେଇ ବିଭିନ୍ନ ଆଲୋଚନା ଲାଗି ରହିଥିଲା । ଇଂ. ଜେନା ବିଜେଡି ଛାଡ଼ିବା ସହ ଆଗାମୀ ଦିନରେ ବିଜେପିରେ ମିଶିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଇଂ. ଜେନା ବିଜେଡିରୁ ଇସ୍ତଫା ଦେବା ପରେ ଏବେ ସୁବାସିନୀଙ୍କ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେଉଛି³ ତାହାକୁ ନେଇ ଆଲୋଚନା ଜୋର ଧରିଛି ।

ଶ୍ରୀମତୀ ଜେନା ଆଗାମୀ ଦିନରେ ବିଜେଡିରେ ରହିବେ ନା ଇସ୍ତଫା ଦେଇ ବିଜେପିରେ ମିଶିବେ ତାହା ଏବେ ପ୍ରଶ୍ନ ପାଲଟିଛି । ମୋଟ ଉପରେ କହିବାକୁ ଗଲେ ଏବେ ଶ୍ରୀମତୀ ଜେନାଙ୍କ ରାଜନୈତିକ କ୍ୟାରିୟର ଦ୍ୱନ୍ଦ୍ୱରେ ଅଛି । ଏନେଇ ଶ୍ରୀମତୀ ଜେନା ଓ ଇଂ. ଜେନାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା ।

aslo read...

ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, କଲେଜ ଛାତ୍ରଙ୍କ ବ୍ୟାଗ୍‌ରେ ଚୋରା ଚାଲାଣ