ଥମୁନି ମଣ୍ଡି ଯନ୍ତ୍ରଣା, ଆସନ୍ତାକାଲି ସରକାରଙ୍କ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ

NEWS7
modi-will-invite-pak-pm-imran-khan-to-india-this-year-know-why

ଭୁବନେଶ୍ଵର: ଥମୁନି ମଣ୍ଡି ଯନ୍ତ୍ରଣା । ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ରାଜରାସ୍ତାରେ ଶତାଧିକ ଟ୍ରାକ୍ଟର ଠିଆ କରିବା ସହ ରାସ୍ତାରେ ଧାନ, ମକା ଢ଼ାଳି ଆନ୍ଦୋଳନ କରୁଛନ୍ତି ଚାଷୀ । ସେପଟେ ସୁବର୍ଣ୍ଣପୁରରେ ମଣ୍ଡି ଓ ଟୋକନ୍ ସମସ୍ୟାକୁ ନେଇ ସାରସମାଲ ଛକରେ ଚାରି ଦିନ ହେଲା ରାସ୍ତାରୋକ କରିଛନ୍ତି ଚାଷୀ ।

ରାଜ୍ୟରେ ଲାଗି ରହିଥିବା ମଣ୍ଡି ଅବ୍ୟବସ୍ଥାକୁ ନେଇ ବଡ଼ ବୈଠକ ଡାକିଛନ୍ତି ସରକାର । ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣମନ୍ତ୍ରୀଙ୍କ ଉପସ୍ଥିତିରେ ବସିବ ବୈଠକ । ଧାନ ଉଠାଣରେ କେଉଁଠି ସମସ୍ୟା ରହୁଛି ଓ ଏହାର ସମାଧାନ କେମିତି ହେବ ସେନେଇ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

ଥମୁନି ମଣ୍ଡି ଯନ୍ତ୍ରଣା । କେଉଁଠି ମଣ୍ଡିରୁ ଧାନ ଉଠୁନି ତ ଆଉ କେଉଁଠି ଚାଷୀଙ୍କୁ ମିଳୁନି ଟୋକନ୍ । ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତେଜିଛି ଚାଷୀ ଆନ୍ଦୋଳନ । ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ରାଜରାସ୍ତାରେ ଶତାଧିକ ଟ୍ରାକ୍ଟର ଠିଆ କରିବା ସହ ରାସ୍ତାରେ ଧାନ ଓ ମକା ଢ଼ାଳି ଧାରଣାରେ ବସିଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲାରେ ଚଳିତବର୍ଷ ୩୬ଲକ୍ଷ ୬ଶହ ମେଟ୍ରିକ୍ ଟନ୍ ଧାନ ଓ ୫ଲକ୍ଷ ୫୦ହଜାର ମେଟ୍ରିକ୍ ଟନ୍ ମକା ଉତ୍ପାଦନ ହୋଇଛି ।

ଜିଲ୍ଲାରେ ୫୮ଟି ଧାନ ମଣ୍ଡି ମାଧ୍ୟମରେ ଧାନ କିଣା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ୪୪ଜଣ ମିଲର ଧାନ ଉଠାଇବାକୁ ସମ୍ମତି ପ୍ରଦାନ କରିଥିଲେ ବି କେହି ଜଣେ ହେଲେ ବି ଏପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠାଇବା ପାଇଁ ରେଜିଷ୍ଟ୍ରେସନ କରିନାହାନ୍ତି । ସେହିଭଳି ଇନାମ ମାଧ୍ୟମରେ ମକା କ୍ରୟ ପାଇଁ ହୋଇଥିବା ବ୍ୟବସ୍ଥା ବର୍ତ୍ତମାନ ପ୍ରହସନରେ ପରିଣତ ହୋଇଛି । ଏହାକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଥିବା ବେଳେ ଝରିଗାଁ ତହସିଲଦାର ସେମାନଙ୍କୁ ବୁଝାଇବାକୁ ଆସି ବିଫଳ ହୋଇଛନ୍ତି । ଜିଲ୍ଲାପାଳ ନିଜେ ଆସି ଚାଷୀଙ୍କ ଦାବୀ ପୂରଣ ନେଇ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଅଡ଼ି ବସିଛନ୍ତି ଚାଷୀ ।

ସେପଟେ ସୁବର୍ଣ୍ଣପୁରରେ ମଣ୍ଡି ଓ ଟୋକନ୍ ସମସ୍ୟାକୁ ନେଇ ସାରସମାଲ ଛକରେ ଚାରି ଦିନ ହେଲା ରାସ୍ତାରୋକ କରିଛନ୍ତି ଚାଷୀ । ଦେଖନ୍ତୁ କେମିତି ରାସ୍ତାରେ ଧାନବସ୍ତା ରଖି ବସିଛନ୍ତି ଚାଷୀ । ରାସ୍ତା ବନ୍ଦ ଯୋଗୁଁ ଯିବାଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ିମଟର । ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ ।

ଧାନ କିଣା ସୁରୁଖୁରୁରେ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନି ମଣ୍ଡି ବ୍ୟବସ୍ଥା । ଚାଷୀଙ୍କୁ ଟୋକନ୍ ମିଳିନଥିବାରୁ ସେମାନେ ଧାନ ବିକ୍ରି କରିପାରୁନାହାନ୍ତି । ଯାହା ବି ଧାନ କିଣାଯାଉଛି ସେଥିରେ କଟନି ଛଟନି କରାଯାଉଥିବାରୁ ଚାଷୀ କ୍ଷତି ସହୁଛନ୍ତି । ଏମିତିରେ ଚାଷୀ ଚାରି ଦିନ ହେଲାଣି ରାସ୍ତାରୋକ କରି ଆନ୍ଦୋଳନ କରୁଛନ୍ତି ।

ଅନ୍ୟପଟେ ରାଜ୍ୟରେ ଲାଗି ରହିଥିବା ମଣ୍ଡି ଅବ୍ୟବସ୍ଥାକୁ ନେଇ ସରକାର ଡାକିଛନ୍ତି ବଡ଼ ବୈଠକ । ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବସିବ ବୈଠକ । ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି.ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ ।

ଆସନ୍ତା କାଲିର ବୈଠକରେ ଧାନ ଉଠାଣରେ କେଉଁଠି ସମସ୍ୟା ରହୁଛି ଓ ଏହାର ସମାଧାନ କେମିତି ହେବ ସେନେଇ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ତେବେ ଏହି ବୈଠକ ପରେ ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ମଣ୍ଡି ସମସ୍ୟାର କିଭଳି ସମାଧାନ ହେଇଛି ତା’ ଉପରେ ରହିବ ନଜର ।