କାହିଁକି ନିର୍ବାଚନ ଲଢ଼ିଲେ ନାହିଁ ପ୍ରିୟଙ୍କା ଗାନ୍ଧୀ ? ମିଡିଆ ଆଗରେ ସତ କଥା କହି ଦେଲେ

Published By : Prameya-News7 Bureau | May 18, 2024 IST

indiatoday

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ରାଇବରେଲିରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରାଇବରେଲିରୁ ଏଥର ରାହୁଲ ଗାନ୍ଧୀ ପ୍ରାର୍ଥୀ ହେଲେ। ଆଉ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଠାରୁ ଦୂରେଇ ରହି କେବଳ ପ୍ରଚାର କଲେ। ହଠାତ୍ କଂଗ୍ରେସର ଏଭଳି ପରିବର୍ତ୍ତନ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା।- କାହିଁକି ପ୍ରିୟଙ୍କା ଗାନ୍ଧୀ ପ୍ରାର୍ଥୀ ହେଲେ ନାହିଁ ? କାହିଁକି ସେ ନିର୍ବାଚନ ଲଢ଼ିଲେ ନାହିଁ? ଯାହାର ଉତ୍ତର ଏବେ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି ଯେ ସେ ନିର୍ବାଚନ ଲଢ଼ିବା ଅପେକ୍ଷା ଦଳୀୟ କର୍ମୀଙ୍କ ପାଇଁ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଇଥିଲେ। ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ଯଦି ନିର୍ବାଚନ ଲଢ଼ିଥାନ୍ତେ ତେବେ ପ୍ରଚାର ନହେବା ଯୋଗୁ ବିଜେପି ଏହାର ଫାଇଦା ଉଠାଇଥାନ୍ତା ବୋଲି ପ୍ରିୟଙ୍କା ଗାନ୍ଧୀ ଇଣ୍ଡିଆଟୁଡେକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି  “ ଗତ ୧୫ ଦିନ ହେଲା ମୁଁ ରାଇବରେଲିରେ ନିର୍ବାଚନ କରି ଆସୁଛି। ରାଇବରେଲି ସହିତ ଗାନ୍ଧୀ ପରିବାରର ପୁରୁଣା ସମ୍ପର୍କ ରହିଛି। ତେଣୁ ଲୋକେ ବି ଆଶା କରୁଛନ୍ତି ଯେ ଆମେ ସେଠାକୁ ଯାଉ, ସେମାନଙ୍କ ଦୁଃଖ ସୁଖ ବୁଝୁ। ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ଆମେ ଏଠି ନିର୍ବାଚନ ଜିତିପାରିବୁ ନାହିଁ।” 

ପ୍ରିୟଙ୍କା ଆହୁରି କହିଛନ୍ତି ଯେ ଯଦି ଆମେ ଭାଇ-ଭଉଣୀ ଦୁହେଁ ନିର୍ବାଚନ ଲଢ଼ିଥାନ୍ତୁ, ତେବେ ଦୁହିଁଙ୍କୁ ନିଜ ନିର୍ବାଚନ ମଣ୍ଡଳିରେ ଅତି କମରେ ୧୫ ଦିନ ପ୍ରଚାର କରିବାକୁ ପଡ଼ିଥାନ୍ତା। ତେଣୁ ଆମେ ଚିନ୍ତା କଲୁ ଯେ ଦୁଇ ଜଣ ନ ଲଢ଼ି ଜଣେ ଲଢ଼ନ୍ତୁ। ଅନ୍ୟ ଜଣେ ସାରା ଦେଶରେ ପ୍ରଚାର କରନ୍ତୁ। ତେବେ ଭବିଷ୍ୟତରେ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନ କରିବାରୁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି “ ମୁଁ କେବେ ବି ଜଣେ ସାଂସଦ ହେବେ ଓ ନିର୍ବାଚନ ଲଢ଼ିବା ଏସବୁ ଭାବି ନାହିଁ। ମୁଁ କେବଳ ଦଳ ପାଇଁ କାମ କରିବାକୁ ଚାହେଁ, ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ମୁଁ କରିବି। ତେବେ ଯଦି ଲୋକେ ଚିନ୍ତା କରନ୍ତି ଯେ ମୋର ନିର୍ବାଚନ ଲଢ଼ିବା ଆବଶ୍ୟକ ତେବେ ମୁଁ ନିର୍ବାଚନ ଲଢ଼ିବି।”

ତେବେ ପ୍ରିୟଙ୍କା ଗାନ୍ଧୀ ହାରିବା ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ବିଜେପି ଯେଉଁ ଅଭିଯୋଗ ଆଣିଥିଲା ତା’ର ଉତ୍ତର ମଧ୍ୟ ରଖିଛନ୍ତି ପ୍ରିୟଙ୍କା ସେ କହିଛନ୍ତି ଯେ କଂଗ୍ରେସ ବିଜେପିର ରଣନୀତି ଅନୁସାରେ ଚାଲିବ ନାହିଁ। ଯଦି ଆମେ ଦୁହେଁ(ରାହୁଲ-ପ୍ରିୟଙ୍କା) ନିର୍ବାଚନ ଲଢ଼ିଥାନ୍ତୁ ତେବେ ବିଜେପିକୁ ଫାଇଦା ହେଇଥାନ୍ତା। ନିର୍ବାଚନ ପ୍ରଚାର ପାଇଁ କେହି ରହି ନଥାନ୍ତେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। 

ସେହିପରି ରାହୁଲ ଗାନ୍ଧୀ ଅମେଠୀରୁ ନିର୍ବାଚନ ଲଢ଼ୁ ନଥିବାରୁ ତାକୁ ନେଇ ବିଜେପି ଓ ପିଏମ୍ ମୋଦୀ ମଧ୍ୟ ଟାର୍ଗେଟ୍ କରିଥିଲେ। ୨୦୧୯ ନିର୍ବାଚନରେ ରାହୁଲ ସ୍ମୃତି ଇରାନଙ୍କ ଠାରୁ ୫୫ ହଜାର ଭୋଟ୍ ବ୍ୟବଧାନରେ ହାରିଥିଲେ। ତେଣୁ ସେ ହାରିବା ଭୟରେ ଏଥର ଅମେଠୀରୁ ପଳାୟନ କରିଛନ୍ତି ବୋଲି ବିଜେପି ଓ ପିଏମ୍ ମୋଦୀ କହିଥିଲେ। ପ୍ରିୟଙ୍କା ଏହାର କଡ଼ା ଜବବା ଦେଇଛନ୍ତି।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଅମେଠୀ ଓ ରାଇବରେଲିକୁ କେବେବି ଛାଡ଼ି ନାହିଁ। କଂଗ୍ରେସ ଓ ଏହି ଦୁଇ ନିର୍ବାଚନ ମଣ୍ଡଳି ମଧ୍ୟରେ ଥିବା ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ। ତେବେ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା। କାହିଁକି ପିଏମ୍ ମୋଦୀ ଗୁଜରାଟ ଭଦୋଦରରୁ ନିର୍ବାଚନ ଲଢ଼ୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଠାରୁ ମୋଦୀ ଭଦୋଦାରରୁ ନିର୍ବାଚନ ଲଢ଼ୁ ନାହାନ୍ତି। କ’ଣ ସେ ଗୁଜରାଟ ଠାରୁ ପଳାୟନ କରିଛନ୍ତି କି ବୋଲି ପ୍ରିୟଙ୍କା କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.