୨୦୨୪ ମହାଲଢ଼େଇ; ଭୋଟ୍ ଦେଉଛି ଭାରତ, ପ୍ରଥମ ପର୍ଯ୍ୟାୟରେ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଭୋଟ୍ ଦେଉଛି ଭାରତ । ଏପ୍ରିଲ୍ ୧୯ ତାରିଖ ଅର୍ଥାତ୍ ଆଜିଠୁ ୨୦୨୪ ଲୋକସଭା ନିର୍ବାଚନ ମହାଲଢ଼େଇ ଆରମ୍ଭ । ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଶୁକ୍ରବାର ସକାଳୁ ଭୋଟିଂ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସଂଧ୍ୟା ୫ଟା ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନରେ ମତଦାନ ଜାରି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ପ୍ରାୟ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହେବ । 

ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୦୨ ଲୋକସଭା ଆସନରେ ଭୋଟିଂ ଜାରି । ସେଥିରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ସେହିଭଳି ରାଜସ୍ଥାନର ୧୨, ୟୁପିର ୮, ଉତ୍ତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨, ପଶ୍ଚିମବଙ୍ଗର ୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍‌ ଗ୍ରହଣ ହେବ ।

ପ୍ରଥମ ଚରଣରେ ପ୍ରାୟ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜିତେନ୍ଦ୍ର ସିଂହ, ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.