ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟ, ୨୧ ରାଜ୍ୟର ୧୦୨ ସିଟ୍‌ରେ ମତାଧିକାର ସାବ୍ୟସ୍ତ କରିବେ ୧୬.୩ କୋଟି ଭୋଟର

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଏପ୍ରିଲ୍ ୧୯ରୁ ଭୋଟିଂ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୧୦୨ ଆସନ ପାଇଁ ମତଦାନ ହେବ । ନିର୍ବାଚନ ଆୟୋଗଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏଥିରେ ୧୪୯୧ ଜଣ ପୁରୁଷ ଏବଂ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଗତ ନିର୍ବାଚନ (୨୦୧୯)ରେ ୟୁପିଏ ଏହି ୧୦୨ ଆସନ ମଧ୍ୟରୁ ୪୫ ଏବଂ ଏନଡିଏ ୪୧ ଆସନରେ ବିଜୟୀ ହୋଇଥିଲା । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସହ ଅରୁଣାଚଳ ପ୍ରଦେଶ (୬୦) ଏବଂ ସିକ୍କିମ (୩୨)ର ଆସନରେ ବିଧାନସଭା ନିର୍ବାଚନ ହେବ ।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଆସନ, ରାଜସ୍ଥାନର ୧୨, ୟୁପିର ୮, ମଧ୍ୟପ୍ରଦେଶର ୬ ଆସନରେ ଭୋଟିଂ ହେବ । ସେହିପରି ମହାରାଷ୍ଟ୍ରର ୫, ଆସାମର ୫, ଉତ୍ତରାଖଣ୍ଡର ୫, ବିହାରର ୪, ପଶ୍ଚିମବଙ୍ଗର ୩, ମେଘାଳୟର ୨, ଅରୁଣାଚଳ ପ୍ରଦେଶର ୨ ଏବଂ ମଣିପୁର ୨ ଆସନ ପାଇଁ ମତଦାନ ହେବ । ଏହା ବ୍ୟତୀତ ପୁଡୁଚେରୀ, ମିଜୋରାମ, ଛତିଶଗଡ଼, ଜାମ୍ମୁ କାଶ୍ମୀର, ଲାକ୍ଷଦ୍ୱୀପ, ସିକ୍କିମ, ତ୍ରିପୁରା, ନାଗାଲାଣ୍ଡ ଏବଂ ଆଣ୍ଡାମାନ-ନିକୋବାରର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହେବ ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ । ତେବେ ସମ୍ୱେଦନଶୀଳ କିଛି ଆସନରେ ସଂଧ୍ୟା ୫ଟାରେ ମତଦାନ ଶେଷ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଲକ୍ଷରୁ ଅଧିକାରୀ ସାମିଲ ହେବେ । ୧୬.୬୩ କୋଟିରୁ ଅଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ଭୋଟିଂ ପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର କରାଯାଇଛି । ୮.୪ କୋଟି ପୁରୁଷ ମତଦାତା ଏବଂ ୮.୨୩ କୋଟି ମହିଳା ଭୋଟର ଅଛନ୍ତି । ଏହା ବ୍ୟତୀତ ୧୧,୩୭୧ ଥାର୍ଡ ଜେଣ୍ଡର ମତଦାତା ଅଛନ୍ତି । ନିର୍ବାଚନରେ ୩୫.୬୭ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ । ଅନ୍ୟପଟେ ୩.୫ କୋଟି ଭୋଟରଙ୍କ ବୟସ ୨୦ରୁ ୨୯ ବର୍ଷ ମଧ୍ୟରେ ଅଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.