ମୋଦିଙ୍କ ଗସ୍ତକୁ ନେଇ ଇସ୍ରାଏଲରେ ରାଜନୀତି ଉଷ୍ମ, ନେତନ୍ୟାହୁଙ୍କୁ ଧମକ ଦେଲେ ବିରୋଧୀ ଦଳ ନେତା

NEWS7
lady-constable-misbehaved-by-colleagues

ଜେରୁଜେଲମ ୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖାପାଖି ୮ ବର୍ଷ ପରେ ଇସ୍ରାଏଲ ଯାତ୍ରାରେ ଯାଉଛନ୍ତି। ଗତ ଗସ୍ତ କାଳ ଅପେକ୍ଷା ଏବେ ଅନେକ କିଛି ବଦଳିଗଲାଣି। ଏଣୁ ଉଭୟ ପକ୍ଷରୁ ଏହି ଗସ୍ତକାର୍ଯ୍ୟକ୍ରମକୁ ଏବେ ଅପେକ୍ଷା କରାଯାଇଛି। ତେବେ ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଇସ୍ରାଏଲ ଘରୋଇ ରାଜନୀତି ଏବେ ବେଶ୍ ଉଷ୍ମ ଥିବା ଜଣାପଡିଛି। ଇସ୍ରାଏଲ ବିରୋଧୀ ଦଳ ନେତା ୟାର ଲିପିଡ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ସଂସଦ ବହିଷ୍କାର ଧମକ ଦେଇଛନ୍ତି।

ଲିପିଡ କହିଛନ୍ତି ଯେ ଯଦି ପରମ୍ପରା ଅନୁସାରେ ଇସ୍ରାଏଲ ସୁପ୍ରିମକୋର୍ଟ ମୁଖ୍ୟଙ୍କୁ କ୍ୟାନସେଟ୍(ସଂସଦ)ରେ ମୋଦିଙ୍କ ଭାଷଣକୁ ଡକା ନଯାଏ ତେବେ ସେ ମଧ୍ୟ ଭାଷଣକୁ ବହିଷ୍କାର କରି ପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୫ ତାରିଖରେ ଇସ୍ରାଏଲ ଗସ୍ତରେ ଯିବେ। ସେଠାରେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ ହେଜବର୍ଗଙ୍କୁ ଭେଟିବେ। ଏହି ଅବସରରେ ମୋଦି ଇସ୍ରାଏଲ ସଂସଦକୁ ସମ୍ଭୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହି ସମ୍ବୋଧନକୁ ନେଇ ଏବେ ଦେଶରେ ବିବାଦ ଉପୁଜିଛି।

ବିରୋଧୀ ଦଳ ନେତା ଲାପିଡ ଦାବି କରିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ସମ୍ବୋଧିତ କରିବେ ସେହି ସମୟରେ ଯେପରି ସଂସଦରେ ସୁପ୍ରିମକୋର୍ଟ ଅଧ୍ୟକ୍ଷ ଇତଜ୍ୟାକ୍ ଆମନ୍ତ୍ରିତ ଥାନ୍ତି। ଲାପିଡ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବହିଷ୍କାର କଥା କହୁ ନାହୁଁ, ହେଲେ ସରକାର ଆମକୁ ଜାଣିଶୁଣି ଏପରି ପରିସ୍ଥିତିରେ ପକାଇବାକୁ ଚାହୁଁଛନ୍ତି। ଇସ୍ରାଏଲ ସଂସଦରେ ଲାପିଡ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ଭାରତୀୟ ଦୂତାବାସଙ୍କ ସହ କଥା ହୋଇଛୁ। ସେ ଏହି ବିବାଦକୁ ନେଇ ଚିନ୍ତିତ ଅଛନ୍ତି।

ଲିପିଡ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କେନସେଟ୍ ରେ ଯୋଗଦେବା ଆମ ସମସ୍ତଙ୍କ ପାଇଁ ସମ୍ମାନର କଥା। ତେବେ ସେ ଚେତାବନୀ ଦେଇଛନ୍ତି ଯେ ନେତନ୍ୟାହୁ ସରକାର ଯଦି ସୁପ୍ରିମକୋର୍ଟ ଅଧ୍ୟକ୍ଷଙ୍କୁ ଏହି ଭାଷଣରେ ବହିଷ୍କାର କରନ୍ତି ତେବେ ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ ହେବେନି। ଲିପିଡ କହିଛନ୍ତି ଯେ ଆମେ ଚାହୁଁନା ଶହେକୋଟି ଜନସଂଖ୍ୟାର ଦେଶ ଭାରତର ପ୍ରଧାନମନ୍ତ୍ରୀ ଅଧା ଖାଲି କ୍ୟାନସେଟ୍ ସାମ୍ନାରେ ଛିଡା ହୁଅନ୍ତୁ। ଆମେ ଭାରତକୁ ଅସହଜ କରିବା ଭଳି ପରିସ୍ଥିତିରେ ପକାଇବାକୁ ଚାହୁଁନାହୁଁ।

ତେବେ ଭାରତର ପ୍ରଧାନମନ୍ତ୍ରୀଙ୍କ ଯାତ୍ରା କାଳରେ ବିରୋଧୀ ଦଳ ନେତା ଘରୋଇ ରାଜନୈତିକ ଅସନ୍ତୋଷକୁ ଉଠାଇବାରୁ ନେତନ୍ୟାହୁ ସରକାର ଲାପିଡଙ୍କୁ ସମାଲୋଚନା କରିଛନ୍ତି। କ୍ୟାନସେଟ୍ ସ୍ପିକର ଅମୀର ଓହନା ଅଭିଯୋଗ କରିଛନ୍ତି ଯେ ଘରୋଇ ରାଜନୀତି ଯୋଗୁ ଲାପିଡ ଭାରତ-ଇସ୍ରାଏଲ ସମ୍ପର୍କକୁ ଖରାପ କରିବାକୁ ଚାହୁଁଛନ୍ତି। ଏ ନେଇ ସ୍ପିକର ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଅନ୍ତରୀଣ ରାଜନୈତିକ ସଂଘର୍ଷରେ ଏହା ଅବୈଧ ଅସ୍ତ୍ର ବ୍ୟବହାର କରାଯିବା ଭଳି ବୋଲି ଉଲ୍ଲେଖ କରିଛନ୍ତି। ଜବାବରେ ଲାପିଡ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସୁପ୍ରିମକୋର୍ଟ ଅଧ୍ୟକ୍ଷଙ୍କୁ ଔପଚାରିକ ବୈଠକକୁ ଆମନ୍ତ୍ରିତ କରିବା ପାଇଁ କ୍ୟାନସେଟ ସ୍ପିକରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।