ଭାରତ ଆସୁଛନ୍ତି ବ୍ରାଜିଲ ରାଷ୍ଟ୍ରପତି: ଦୁଇ ଦେଶ ମଧ୍ୟରେ ହୋଇପାରେ ବଡ଼ ଡିଲ୍, ଭାରତର ଫୋକୋସ୍‌ରେ ଗ୍ଲୋବାଲ ସାଉଥ୍‌

NEWS7
know-various-symptoms-of-itching-in-various-body-parts

ନୂଆଦିଲ୍ଲୀଚଳିତ ମାସରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଦା ସିଲଭା। ବିଶ୍ୱରେ ଆର୍ଥିକ ଅନିଶ୍ଚିତତା ଏବଂ ଭୂ- ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ସିଲଭାଙ୍କ ଏହି ରାଜକୀୟ ଗସ୍ତକୁ କେବଳ ଏକ ଔପଚାରିକ ଆୟୋଜନ ଠାରୁ ଖୁବ୍ ଅଧିକ ଗୁରତ୍ୱ ଦିଆଯାଉଛି। କାରଣ ଫେବ୍ରୁଆରୀ ୧୮ରୁ ୨୨ ମଧ୍ୟରେ ତାଙ୍କ ଗସ୍ତ ସମୟରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅନେକ ଚୁକ୍ତି ସ୍ୱାକ୍ଷର କରାଯାଇପାରେ। ଯାହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି।

ଭାରତ ବିଭିନ୍ନ ଦେଶ ସହିତ ଏକ ଆକ୍ରମଣାତ୍ମକ ଶୈଳୀରେ ବାଣିଜ୍ୟ ଡିଲ୍ କରି ଚାଲିଛି। ୟୁକେ, ୟୁରୋପ, ୟୁଏଇ ସମେତ, ଆମେରିକା ଭଳି ବଡ଼ ବଡ଼ ଦେଶ ସହିତ ବାଣିଜ୍ୟ ଚୁକ୍ତି ସରିଛି। ଚିଲି ସହ ନିକଟ ଅତୀତରେ ବଡ଼ ଡିଲ୍ ହେବାକୁ ଯାଉଛି। ଆଉ ଏବେ ବ୍ରାଜିଲ୍ ମାର୍କେଟ୍କୁ ସହଜ ପ୍ରବେଶ ପାଇଁ ଉଦ୍ୟମ ଆରମ୍ବ କରିଛି ଇଣ୍ଡିଆ। ଭାରତର ଲକ୍ଷ୍ୟ ଗ୍ଲୋବାଲ ସାଉଥରେ ଚୀନକୁ ଟକ୍କର ଦେଇ ହେବ ମାର୍କେଟ୍ ବାଦଶାହ।

ଲୁଲାଙ୍କ ଗସ୍ତ ଏମିତି ସମୟରେ ହେଉଛି, ଯେଉଁ ସମୟରେ ଆମେରିକାର ସମ୍ପର୍କ ବ୍ରାଜିଲ ସହିତ ଅହିନକୂଳ ସ୍ଥିତିରେ ପହଞ୍ଚିଛି। ଏପଟେ ଭାରତ ଥାକୁଲ ପକେଇ ଆମେରିକାକୁ ରଖିଥିବା ବେଳେ ବ୍ରାଜିଲ୍ ମାର୍କେଟ୍ରେ ବଡ଼ ଏଣ୍ଟ୍ରି କରି ନିଜର ସପ୍ଲାଏ ଚେନ୍‌ର ବିବିଧକରଣ କରିବାକୁ ଚାହୁଁଛି। ଦୁଇ ଦେଶ ମଧ୍ୟରେ ଔଷଧ ଠାରୁ ଆରମ୍ଭ କରି ବିରଳ ଖଣିଜ, ଏରୋସ୍ପେଶ୍ ଓ ପ୍ରତିରକ୍ଷା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇପାରେ।

ଏନେଇ ଭାରତରେ ବ୍ରାଜିଲର ରାଷ୍ଟ୍ରଦୂତ କେନେଥ ଏଚ ଦା ନୋବ୍ରେଗା ଇକୋନୋମିକ୍ସ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ‘‘ଦୁଇ ଦେଶ ମଧ୍ୟରେ ଫାର୍ମା, ଜରୁରୀ ଖଣିଜ, ବିମାନ ଉପକରଣ, ପରିବହନ ଏବଂ ଅନେକ ଦ୍ୱିପାକ୍ଷିକ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରହିଛି। ଏଥିରେ ଦୁଇ ଦେଶ ଲାଭବାନ ହେବେ। ଖାଲି ସେତିକି ନୁହେଁ ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ବୁଝାମଣାରେ ବିବିଧତା ଆଣିବା ଏବଂ ବିଶ୍ୱ ଅର୍ଥନୀତିରେ ଅଧିକ ସ୍ୱାୟତ୍ତତା ସ୍ଥାପନ କରିବା ପ୍ରୟାସକୁ ଆହୁରି ବଳ ମିଳିବ।

ଖାଲି ସେତିକି ନୁହେଁ ସିଲଭାଙ୍କ ଏହି ଗସ୍ତ ଦ୍ବାରା ବ୍ରାଜିଲ, ଭାରତ ସହ ସମ୍ପର୍କ ସୁଧାରିବା, ଆମେରିକା ଏବଂ ଚୀନ ଭଳି ଦେଶ ସହ ପାରମ୍ପରିକ ଚୁକ୍ତି ଉପରେ ଆର୍ଥିକ ନିର୍ଭରତା କମ୍ କରିବା ଓ ବିକାଶଶୀଳ ଶକ୍ତିଙ୍କ ସହ ସମ୍ପର୍କ ମଜଭୁତ କରିବାର ଏକ ସୁଚିନ୍ତିତ ରଣନୀତିକୁ ଦର୍ଶାଉଛି। ଏମିତିରେ ଲାଟିନ୍ ଆମେରିକାର ସର୍ବବୃହତ ଅର୍ଥନୀତି ସହ ଭଲ ସମ୍ପର୍କ ସ୍ଥାପନ କରି ଭାରତ ମଧ୍ୟ ଗ୍ଲୋବାଲ ସାଉଥରେ ନିଜର କାୟା ବିସ୍ତାର ପାଇଁ ରଖିଥିବା ଲକ୍ଷ୍ୟକୁ ପୂରା କରିବାକୁ ଚେଷ୍ଟା କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସିଲଭା ପୂର୍ବରୁ ମଧ୍ୟ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିସାରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୨.୧୯ ବିଲିୟନ ଡଲାରରେ ପହଞ୍ଚିଛି। ବ୍ରାଜିଲ ପୂର୍ବରୁ ହିଁ ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ଅଞ୍ଚଳରେ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ରହି ଆସିଛି। ଏହି ପରିମାଣକୁ ବୃଦ୍ଧି କରିବା ପାଇଁ ଉଭୟ ଦେଶ କାମ କରୁଛନ୍ତି। ଆଉ ସିଲଭାଙ୍କ ଗସ୍ତରେ ଏହା ଆହୁରି ଦୃଢ଼ ହେବ ବୋଲି କହିଛନ୍ତି ବ୍ରାଜିଲ ରାଷ୍ଟ୍ରଦୂତ।

ତେବେ ଏପର୍ଯ୍ୟନ୍ତ ଦିଆଯାଇଥିବା ତଥ୍ୟ ଅନୁସାରେ, ସିଲଭାଙ୍କ ଗସ୍ତ ସମୟରେ ଭାରତ-MERCOSUR ମର୍କୋସୁର ପ୍ରିଫରେନ୍ସିଆଲ୍ ବାଣିଜ୍ୟ ଚୁକ୍ତିନାମାର ଯୋଜନାବଦ୍ଧ ବିସ୍ତାର ଉପରେ ଚୁକ୍ତି ହୋଇପାରେ। ଏହା ୨୦୦୯ରୁ ବଳବତ୍ତର ରହିଛି। ଏହାର ବିସ୍ତାର ହେଲେ ଶୁଳ୍କ ଉପରେ ରିହାତି ଏବଂ ଉତ୍ପାଦ କଭରେଜର ପରିସରକୁ ବିସ୍ତାର କରିବା ଦ୍ୱାରା ଉଭୟ ପକ୍ଷର ରପ୍ତାନିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରିବ। ଭାରତକୁ ଦକ୍ଷିଣ ଆମେରିକାର ବାଣିଜ୍ୟ ସ୍ଥାପତ୍ୟ ମଧ୍ୟରେ ଅଧିକ ଦୃଢ଼ ଭାବରେ ସାମିଲ କରାଯାଇପାରିବ ଏବଂ ବ୍ରାଜିଲକୁ ଏସୀୟ ବଜାରରେ ଅଧିକ ପ୍ରାଧାନ୍ୟ ମିଳିବ।

ଭାରତ ଓ ଦକ୍ଷିଣ ଆମେରକୀୟ ଦେଶଗୁଡ଼ିକ ମଧ୍ୟରେ ଏହି ମର୍କୋସୁର ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଡିଲ୍ ହୋଇଥିଲା। ଏଥିରେ ଯେଉଁ ସର୍ତ୍ତଗୁଡ଼ିକ ରଖାଯାଇଛି, ଯଦି ଏହା ଲାଗୁ ହୁଏ ତେବେ ଉଭୟ ଦକ୍ଷିଣ ଆମେରିକୀୟ ଦେଶ ଓ ଭାରତ ଲାଭବାନ ହେବେ। ଆଉ ବ୍ରାଜିଲ୍ ବର୍ତ୍ତମାନ ଭାରତ ସହ ମିଶି ଏହି ଡିଲକୁ ଆଗକୁ ବଢ଼ାଇବାକୁ ଚାହୁଁଛି। ଲୁଲାଙ୍କ ଭାରତ ଗସ୍ତରେ ଏହା ହିଁ ଫୋକସରେ ରହିଛି। ତାଛଡ଼ା ବ୍ରାଜିଲ୍ ସହିତ ବି ଭାରତଅନେକ ଗୁରୁତ୍ୱପୂର୍ଣ୍ଣ ଡିଲ୍ କରିପାରେ।

ମର୍କୋସୁର (MERCOSUR) ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଡିଲ୍ ବା (PTA) ହେଉଛି ଭାରତ ଏବଂ ଦକ୍ଷିଣ ଆମେରିକାର ଚାରୋଟି ପ୍ରମୁଖ ଦେଶ (ଆର୍ଜେଣ୍ଟିନା, ବ୍ରାଜିଲ୍, ପାରାଗୁଏ ଏବଂ ଉରୁଗୁଏ) ମଧ୍ୟରେ ହୋଇଥିବା ଏକ ବାଣିଜ୍ୟିକ ବୁଝାମଣା। Department of Commerce, India ଅନୁଯାୟୀ ଏହା ୨୦୦୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି। ଏହି ଚୁକ୍ତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟ ପକ୍ଷର ପ୍ରାୟ ୪୫୦ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ନେଇ ସାମିଲ କରାଯାଇଥିଲା। ହେଲେ ବର୍ତ୍ତମାନ ଏହି ପରିସରକୁ ଆହୁରି ବଢ଼ାଇବାକୁ ଯୋଜନା ଚାଲିଛି। ଏହି ଚୁକ୍ତିରେ ୨୦୨୪ରେ ବୋଲିଭିଆ ବି ଯୋଗ ଦେଇଛି। ତେଣୁ ବ୍ରାଜିଲ ବର୍ତ୍ତମାନ ଏହି ଚୁକ୍ତିକୁ ଭାରତ ସହ ମିଶି ଆଗକୁ ବଢ଼ାଇବାକୁ ଚାହୁଁଛି। ତେଣୁ ଏହାର ପରିସର ବି ଆହୁରି ବଢ଼ିପାରେ। ଏବେ ଆସନ୍ତୁ ବୁଝିବା ବ୍ରାଜିଲ୍ ସହିତ ଭାରତ କେଉଁ ସବୁ ଦିଗରେ ଚୁକ୍ତି କରିପାରେ।

ଔଷଧ ଏବଂ ସ୍ୱାସ୍ଥ୍ୟ-ଲୁଲାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଔଷଧ ଏବଂ ସ୍ୱାସ୍ଥ୍ୟ ସେବାକୁ ଦିଗରେ ସବୁଠୁ ପ୍ରଭାବଶାଳୀ ବୁଝାମଣା ସ୍ୱାକ୍ଷର ହୋଇପାରେ। ବ୍ରାଜିଲର ବିଶାଳ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଯଥେଷ୍ଟ ପରିମାଣର ସୁଲଭ ଔଷଧ ଆବଶ୍ୟକ। ଆଉ ଭାରତ ଏହା ଯୋଗାଇରେ ସକ୍ଷମ। ତେଣୁ ଏ କ୍ଷେତ୍ରରେ ଏକ ଭଲ ଡିଲ୍ ହେବା ନେଇ ବେଶ୍ ସୁଯୋଗ ରହିଛି।

ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ (ଷ୍ଟ୍ରାଟେଜିକ୍ ରିସୋର୍ସ)-ବ୍ରାଜିଲ ଓ ଭାରତ ମଧ୍ୟରେ ଖଣିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାର୍ଟନର୍ସିପ୍ ହୋଇପାରେ। ବ୍ରାଜିଲ ଏହାର ଖଣିଜ କ୍ଷେତ୍ରକୁ ବିକାଶ କରୁଛି ଏବଂ ଭାରତ ମଧ୍ୟ ଦେଶରେ ଗଚ୍ଛିତ ଥିବା ପର୍ଯ୍ୟାପ୍ତ ପରିମାଣର ମିନେରାଲକୁ ସାରା ଦେଶ ତଥା ବିଶ୍ୱ ବଜାରରେ ପ୍ରତିଷ୍ଠିତ କରିବାକୁ ଚାହୁଛି। ତେଣୁ ଏ କ୍ଷେତ୍ରରେ ବୁଝାମଣା ଦ୍ୱାରା ଭାରତର ସମ୍ବଳ ସୁରକ୍ଷା ବୃଦ୍ଧି କରିବ ସହ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବ୍ରାଜିଲର ଭୂମିକା ବଢ଼ିଯିବ।

ପ୍ରତିରକ୍ଷା,ଏରୋସ୍ପେସ ଶିଳ୍ପ ସହଯୋଗ-ଆଦାନୀ ଗ୍ରୁପ୍ ଏବଂ ଏମ୍ବ୍ରେୟର ମଧ୍ୟରେ ଆଉ ଏକ ବୁଝାମଣା ହୋଇପାରେ। ଗତ ମାସରେ ଆଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେଶ ଏବଂ ଏମ୍ବ୍ରେୟର, ଆଞ୍ଚଳିକ ପରିବହନ ବିମାନ ପାଇଁ ଭାରତରେ ଏକ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ସହମତ ହୋଇଥିଲେ। ସିଲଭାଙ୍କ ଗସ୍ତ ସମୟରେ ଏହି ବୁଝାମଣାର ନବୀକରଣ କିମ୍ବା ବିସ୍ତାର ହୋଇପାରେ। ବ୍ରାଜିଲର ଏମ୍ବ୍ରୋୟର ସହ ପାର୍ଟନର୍ସିପ୍ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଅନ୍ତର୍ଭୁକ୍ତ। ଏଥିରେ ସ୍ୱଦେଶୀକଣ ଏବଂ ଉନ୍ନତ ଏରୋସ୍ପେଶ ଉତ୍ପାଦନରେ ଭାରତକୁ ବଳ ମିଳିବ।

ଗମନାଗମନ,ଭିସା ଏବଂ ଜନସମ୍ପର୍କରେ ବୃଦ୍ଧି-ବାଣିଜ୍ୟ ଏବଂ ପ୍ରଯୁକ୍ତି ବାଦ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟ ଗମନାଗମନକୁ ନୂଆ ରୂପ ଦେବା ଉପରେ ଚୁକ୍ତି ହୋଇାପରେ। ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବ୍ରାଜିଲ ଦ୍ୱାରା ୧୦ ବର୍ଷ ଭିସା ଅନୁମତି ବ୍ୟବସ୍ଥା ଘୋଷଣା କରାଯାଇପାରେ। ଏହାଦ୍ୱାରା ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଗମନାଗମନଏବଂ ସାଂସ୍କୃତିକ ଆଦାନ- ପ୍ରଦାନକୁ ପ୍ରୋତ୍ସାହନ ମିଳିବ। ଏହା ସହ ବଢ଼ୁଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ଯୋଗୁ ବ୍ରାଜିଲ, ଭାରତୀୟ ପ୍ରୋଫେସନାଲଙ୍କ ପାଇଁ ବାଣିଜ୍ୟିକ ଭିସାରେ ମଧ୍ୟ କୋହଳ କରିଛି।ଭାରତରେ ଏକ ନୂଆ ବ୍ରାଜିଲୀୟ ବ୍ୟବସାୟିକ କାର୍ଯ୍ୟାଳୟ ଖୋଲାଯିବ। ବ୍ରାଜିଲ ରାଷ୍ଟ୍ରଦୂତ କହିଛନ୍ତି ବିଶ୍ୱରେ ଏଭଳି ୨୦ଟି କାର୍ଯ୍ୟାଳୟ ରହିଛି। ଏହା ଭାରତରେ ସ୍ଥାପନ ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ।

ରାଜନୈତିକ ଗୁରୁତ୍ୱ-ସିଲଭାଙ୍କ ଗସ୍ତ କେବଳ ଆର୍ଥିକ ନୁହେଁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି। କାରଣ ଏହାଦ୍ୱାରା ବ୍ରାଜିଲ ବିଶ୍ୱ ଶାସନ ବ୍ୟବସ୍ଥାରେ ନିଜର ଏକ ପ୍ରଭାବଶାଳୀ ଭୂମିକା ଦର୍ଶାଇବାକୁ ଚେଷ୍ଟା କରୁଛି। ବ୍ରାଜିଲ ଅଧିକାରୀ ଏହି ଗସ୍ତକୁ ବ୍ରାଜିଲ ପ୍ରଶାସନର ବର୍ତ୍ତମାନର ସବୁଠୁ ବଡ଼ ବିଦେଶ ଗସ୍ତ ବୋଲି କହିଛନ୍ତି। ଯାହା ଦେଶର ରଣନୈତିକ ଗୁରୁତ୍ୱକୁ ରେଖାଙ୍କିତ କରୁଛି।

ଭାରତ ଏବଂ ବ୍ରାଜିଲ୍ ବିଶ୍ୱସ୍ତରୀୟ ସଂସ୍ଥାରେ ସୁଧାର କରିବା ପ୍ରସଙ୍ଗରେ ସମାନ ମନୋଭାବ ରଖୁଛନ୍ତି। ନିକଟରେ ସିଲଭା ଏବଂ ମୋଦୀ ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦରେ ପରିବର୍ତ୍ତନ ସହ ବ୍ୟାପକ ସୁଧାର ପାଇଁ ସମର୍ଥନ କଥାକୁ ଦୋହରାଇଥିଲେ। ବ୍ରିକ୍ସ ଏବଂ ଅନ୍ୟ ବହୁପାକ୍ଷୀୟ ମଞ୍ଚରେ ଦୁଇ ଦେଶଙ୍କୁ ଏକାଠି ସ୍ୱର ଉଠାଉଥିବାର ଦେଖିବାକୁ ମିଳିଛି।

ଗୋଟିଏ ପଟେ ଆମେରିକାର ଦାଦାଗିରି ଅନ୍ୟପଟେ ଚୀନର ଏକଚାଟିଆ ମନୋଭାବ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ଭାରତ ନିରବ ପନ୍ଥା ଆପଣାଇ ଧୀରେ ଧୀରେ ବିଶ୍ୱ ବଜାରରେ ନିଜର ଶକ୍ତି ଗୋଟାଉଛି। ଯାହା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଏକ ଶିଢ଼ି ଭଳି କାମ କରିବ।