୨୦୨୬ରେ ପୁଣିଥରେ ହୋଇପାରେ ଭାରତ ଓ ପାକିସ୍ତାନ ଯୁଦ୍ଧ, ଆଫଗାନିସ୍ତାନ ସହ ବି ହେବ ଲଢ଼େଇ: ଆମେରିକା ରିପୋର୍ଟ

NEWS7
katrina-kaif-net-worth-11-crores-per-movie-kay-beauty-to-huge-brand-endorsements-all-about-kats

ୱାଶିଂଟନ ଡିସି: India and Pakistan war,୨୦୨୬ରେ ପୁଣିଥରେ ହୋଇପାରେ ଭାରତ ଓ ପାକିସ୍ତାନ ଯୁଦ୍ଧ। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଓ ବିବାଦ ୨୦୨୬ରେ ଚରମ ରୂପ ନେଇପାରେ। ଦୁଇ ଦେଶ ମଧ୍ୟରେ ପୁଣିଥରେ ଯୁଦ୍ଧ ହୋଇପାରେ ବୋଲି ଆମେରିକୀୟ ବୈଦେଶିକ ନୀତି ବିଶେଷଜ୍ଞଙ୍କ ଉପରେ ସର୍ଭେ କରିଥିବା ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ରିପୋର୍ଟ ପ୍ରକାଶ କରିଛି। ଦୁଇ ଦେଶ ମଧ୍ୟରେ ମଧ୍ୟମ ଧରଣର ଯୁଦ୍ଧ ହେବ। ଏହା ଆମେରିକା ସ୍ୱାର୍ଥ ଉପରେ ମଧ୍ୟ ମଧ୍ୟମଧରଣର ପ୍ରଭାବ ପକାବ ବୋଲି ବୈଦେଶିକ ସମ୍ପର୍କ ପରିଷଦ (CFR) ରିପୋର୍ଟରେ କୁହାଯାଇଛି।

ସିଏଫ୍ଆର୍ ଏହାର ୨୦୨୬ ରିପୋର୍ଟ କନଫ୍ଲିକ୍ଟସ୍ ଟୁ ୱାଚରେ କହିଛି ଯେ ବର୍ଦ୍ଧିତ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନୂଆ ସଶସ୍ତ୍ର ସଂଘର୍ଷ ହେବାର ସମ୍ଭାବନା ବହୁତ ଅଧିକ ରହିଛି।

ଏପ୍ରିଲ ୨୨ ତାରିଖ ଏପ୍ରିଲ ମାସରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେଏକ ଚାରି ଦିନିଆ ମିନି-ଯୁଦ୍ଧ ହୋଇଥିଲା। ଏତିରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଓ ପ୍ରତିଆକ୍ରମଣର ଧାରା ଦେଖିବାକୁ ମିଳିଥିଲା। ପାକ-ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମରେ ୨୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବାରୁ ଯୁଦ୍ଧ ହୋଇଥିଲା।

ଏହାପରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଭାରତକୁ ଅନୁରୋଧ କରିଥିଲା। କିନ୍ତୁ ତଥାପି ଏହାର ଲିଡରମାନେ ଉତ୍ତେଜନାମୂଳକ ବୟାନ ଦେଇଥିଲେ। ଯଦିଓ ସେବେଠାରୁ ଜମ୍ମୁ ଏବଂ କାଶ୍ମୀରରେ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, ତେବେ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଶୀତ ୠତୁରେ ଜମ୍ମୁ ଅଞ୍ଚଳରେ ୩୦ ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି।

ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଭାରତ ଏବଂ ପାକିସ୍ତାନ ଉଭୟ ପ୍ରତିରକ୍ଷା ଉପକରଣ ଅଧିଗ୍ରହଣକୁ ତ୍ୱରାନ୍ୱିତ କରିଛନ୍ତି। ଭାରତର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ସମ୍ପ୍ରତି ଡ୍ରୋନ୍, ଆକାଶରୁ ଆକାଶ କ୍ଷେପଣାସ୍ତ୍ର ଏବଂ ଗାଇଡେଡ୍ ବୋମା କିଣିବାକୁ ୭୯,୦୦୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛି।

ସେହିପରି, ଅପରେସନ୍ ସିନ୍ଦୂର ପରେ ଭୟରେ ପାକିସ୍ତାନ ନୂଆ ଡ୍ରୋନ୍ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ହାସଲ କରିବା ପାଇଁ ତୁର୍କୀ ଏବଂ ଚୀନ୍ ସହିତ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି।

ସିଏଫ୍ଆର୍ ରିପୋର୍ଟରେ ଟ୍ରମ୍ପ ଯୁଦ୍ଧ ରୋକିବା କଥା ମଧ୍ୟ କୁହାଯାଇଛି। ଏଥିରେ କୁହାଯାଇଛି ଯେ “ଦ୍ୱିତୀୟ ଟ୍ରମ୍ପ ପ୍ରଶାସନ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ, ଗାଜା ଷ୍ଟ୍ରିପ, ୟୁକ୍ରେନ ଓ ଭାରତ – ପାକିସ୍ତାନ, କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଅନେକ ଦ୍ୱନ୍ଦ୍ୱର ଅନ୍ତ କରିବାକୁ ଚେଷ୍ଟା କରିଛି।”

ଆଫଗାନିସ୍ତାନ ସହିତ ମଧ୍ୟ ଲଢ଼େଇ କରିବ ପାକିସ୍ତାନ

କେବଳ ଭାରତ ନୁହେଁ ଆଫଗାନିସ୍ତାନ ସହିତ ମଧ୍ୟ ପାକିସ୍ତାନର ସଶସ୍ତ୍ର ଲଢ଼େଇ ହୋଇପାରେ। ଏହା ମଧ୍ୟ ସ୍ୱଳ୍ପ ସମୟ ପାଇଁ ହୋଇପାରେ। ତେବେ ଏଥିରେ ମଧ୍ୟ ଆମେରିକାର ସ୍ୱାର୍ଥ୍ୟରେ ସାମାନ୍ୟ ପ୍ରଭାବ ପଡ଼ିବ। ସୀମା ପାର ଆତଙ୍କବାଦ ଆକ୍ରମଣ ଯୋଗୁ ଦୁଇ ଦେଶ ମଧ୍ୟରେ ୨୦୨୬ରେ ଲଢ଼େଇ ହୋଇପାରେ ବୋଲି ସିଏଫ୍ଆର୍ ରିପୋର୍ଟରେ କୁହାଯାଇଛି।

ଚଳିତ ବର୍ଷ ଅକ୍ଟୋବର ମାସର ଆରମ୍ଭରେ ପାକିସ୍ତାନ ଏବଂ ତାଲିବାନ ଶାସିତ ଆଫଗାନିସ୍ତାନ ମଧ୍ୟରେ ସୀମା ସଂଘର୍ଷ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଥିବା ୨,୬୦୦ କିଲୋମିଟର ଡୁରାଣ୍ଡ ଲାଇନ୍ ନିକଟରେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଆଟାକ କରିଥିଲା ଏହାପରେ ଆଫଗାନିସ୍ତାନ ମଧ୍ୟ ପାଲଟା ଜବାବ ଦେଇଥିଲା।

ଆଫଗାନ କର୍ତ୍ତୃପକ୍ଷ ପାକିସ୍ତାନ ଉପରେ କାବୁଲରେ ବୋମା ମାଡ଼ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ଇସଲାମାବାଦ କହିଥିଲା ଯେ ତାଲିବାନ ଶାସନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଛନ୍ତି ଏବଂ ସେମାନେ ଆମ ଉପରେ ଆକ୍ରମଣ କରୁଛନ୍ତି। ଏଥିପାଇଁ ଆମେ ଆଟା କରିଥିଲୁ। ତେବେ ଉଭୟ ପକ୍ଷ ସୀମାନ୍ତ ପୋଷ୍ଟଗୁଡ଼ିକୁ କବଜା ଏବଂ ନଷ୍ଟ କରିଥିବା ଦାବି କରିଥିଲେ। ଏହି ନିଆଁ ବର୍ତ୍ତମାନ କୁହୁଳିବା ଅବସ୍ଥାରେ ରହିଛି, ୨୦୨୬ରେ ଏହା ପୁଣି ଜଳି ପାରେ ବୋଲି ଆମେରିକାର ସିଏଏଫ୍ଆର୍ ରିପୋର୍ଟରେ କହିଛି।

ତେବେ ଆମେରିକାର ଏହି ରିପୋର୍ଟଗୁଡ଼ିକର ଅନ୍ୟ ଦିଗ ବି ରହିଥାଇପାରେ। ଆମେରିକା ଏଭଳି ମିଛ ରିପୋର୍ଟ ପ୍ରକାଶ କରି ଏସୀୟ ଦେଶଗୁଡ଼ିକ ଅସ୍ଥିର କରିବାକୁ ଚେଷ୍ଟା କରୁଥାଇପାରେ ବୋଲି କୁହାଯାଉଛି। ଏହା ପୂର୍ବରୁ ଚୀନ ଓ ଭାରତକୁ ନେଇ ମଧ୍ୟ ଆମେରିକାର ପେଣ୍ଟାଗନ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଚୀନର କୋର୍ ଇଣ୍ଟରେଷ୍ଟ ଅରୁଣାଚଳ ପ୍ରଦେଶ ରହିଛି। ୨୦୨୭ରେ ଚୀନ ଭାରତ ସହିତ ଲଢ଼େଇ କରିବ ବୋଲି ପେଣ୍ଟାଗନ କହିଥିଲା। ଏହାପରେ ଚୀନ ଏହି ରିପୋର୍ଟକୁ ଖାରଜ କରିବା ସହତ ଆମେରିକା ଦୁଇ ଦେଶର ସମ୍ପର୍କ ଖରାପ କରିବାକୁ ଏଭଳି ଉତ୍ତେଜନାପୂର୍ଣ୍ଣ ରିପୋର୍ଟ ଦେଉଛି ବୋଲି ଚୀନ ଅଭିଯୋଗ କରିଥିଲା।