ରଜତ-କୋହଲିଙ୍କ ଦମଦାର ଅର୍ଦ୍ଧଶତକ, ହାଇଦ୍ରାବାଦକୁ ଏତିକି ଟାର୍ଗେଟ୍ ଦେଲା ବେଙ୍ଗାଲୁରୁ

Published By : Prameya-News7 Bureau | April 25, 2024 IST

ହାଇଦ୍ରାବାଦ: ଆଜି ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମ ବ୍ୟାଟିଂ କରି ବେଙ୍ଗାଲୁରୁ ୭ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ରଜତ ପାଟିଦାର ୫୦ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୫୧ ରନ କରିଛନ୍ତି। କ୍ୟାମେରୁନ ଗ୍ରୀନ ୩୭ ରନ କରିଛନ୍ତି। ସନରାଇଜର୍ସ  ହାଇଦ୍ରାବାଦ ସମ୍ମୁଖରେ ୨୦୭ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଦକତ ୩୦ ରନ ଦେଇ ୩ଟି ଓ୍ଵିକେଟ୍ ଓ ଟି ନଟରାଜନ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ବେଙ୍ଗାଲୁରୁ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଆଜିର ମୁକାବିଲା ହାରିଲେ ଆରସିବି ଆଇପିଏଲ୍ ୨୦୨୪ର ପ୍ଲେ ଅଫ୍‌ରୁ ବାଦ୍ ପଡ଼ିବ। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ଦୁଇ ଓପନର ବିରାଟ କୋହଲି ଓ ଫାପ ଡୁ ପ୍ଲେସିସ୍ ଭଲ ଆରମ୍ଭ ଦେଇ ୪୮ ରନ ଯୋଡ଼ିଥିଲେ। ଡୁ ପ୍ଲେସିସ୍ ୨୫ ରନ କରି ଆଉଟ୍ ହୋଇଥିଲେ। ଓ୍ଵିଲ  ଜ୍ୟାକ୍ସ(୬) ନିରାଶ କରିଥିଲେ। ଏହା ପରେ ବିରାଟ ଓ ରଜତ ପାଟିଦାର ଦ୍ରୁତ ବ୍ୟାଟିଂ କରି ୩ୟ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରଜତ ପାଟିଦାର ବିସ୍ଫୋରକ ବ୍ୟାଟିଂ କରି ୨୦ ବଲ୍‌ରୁ ୨ ଚୌକା ଓ ୫ ଛକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ୫୧ ରନ କରିଥିଲେ ହେଁ ୪୩ ବଲ ଖେଳିଥିଲେ। ମହିପାଲ ଲୋମରୋର(୭) କିଛି ଖାସ୍ କରି ପାରି ନ ଥିଲେ। ତେବେ ଶେଷ ଆଡ଼କୁ କ୍ୟାମେରୁନ ଗ୍ରୀନ ୨୦ ବଲରୁ ୩୭ ରନ କରିବାରୁ ବେଙ୍ଗାଲୁରୁ ୭ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି। 

ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଦକତ ୪ ଓଭରରେ ୩୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଟି ନଟରାଜନ ୩୯ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.