'ଆକାଶ ଆନନ୍ଦ ମୋର ଉତ୍ତରାଧିକାରୀ ନୁହନ୍ତି', ବିଏସପି ସଂଯୋଜକ ପଦରୁ ପୁତୁରାକୁ ହଟାଇଲେ ମାୟାବତୀ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ଏହାରି ଭିତରେ ଉତ୍ତର ପ୍ରଦେଶରୁ ଏକ ବଡ଼ ଖବର ସାମନାକୁ ଆସିଛି । ବିଏସପି ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବିଏସପିର ନ୍ୟାସନାଲ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି । ଏହାସହ କହିଛନ୍ତି ଯେ ଏବେ ଆକାଶ ଆନନ୍ଦ ମୋର (ମାୟାବତୀ) ଉତ୍ତରାଧିକାରୀ ନୁହନ୍ତି । ମାୟାବତୀ କହିଛନ୍ତି ଯେ ଆକାଶ ଆନନ୍ଦଙ୍କ ପାଖରେ ପରିପକ୍ୱତାର ଅଭାବ ଅଛି । ମାୟାବତୀ ଏକ୍ସରେ ଏହି ଘୋଷଣା କରିଛନ୍ତି ।

ମାୟାବତୀ ଏକ୍ସରେ ଏକ ଲମ୍ୱା ପୋଷ୍ଟ ଲେଖିଛନ୍ତି । ମାୟାବତୀ ପୋଷ୍ଟରେ ଲେଖିଛନ୍ତି ଯେ ବିଏସପି ଏକ ପାର୍ଟି ସହ ବାବା ସାହେବ ଡ.ଭୀମରାଓ ଆମ୍ୱେଦରକଙ୍କ ଆତ୍ମ-ସମ୍ମାନ ଏବଂ ସ୍ୱାଭିମାନ ଏବଂ ସାମାଜିକ ପରିବର୍ତ୍ତନର ମଧ୍ୟ ଅଭିଯାନ ଅଟେ, ଯେଉଁଥି ପାଇଁ କାଶୀରାମ ଜୀ ଏବଂ ମୁଁ ନିଜେ ପୂରା ଜୀବନକୁ ସମର୍ପିତ କରିଛୁ ଏବଂ ଏହାକୁ ଗତି ଦେବା ପାଇଁ ନୂଆ ପିଢିକୁ ମଧ୍ୟ ତିଆରି କରାଯାଉଛି ।

ସେ ଲେଖିଛନ୍ତି, 'ଏହି କ୍ରମରେ ପାର୍ଟିରେ ଅନ୍ୟ ଲୋକଙ୍କୁ ଆଗକୁ ବଢାଇବା ପାଇଁ ସହ, ଶ୍ରୀ ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ଏବଂ ନିଜ ଉତ୍ତରାଧିକାରୀ ଘୋଷଣା କରିଥିଲି, କିନ୍ତୁ ପାର୍ଟି ଏବଂ ଅଭିଯାନର ବ୍ୟାପକ ହିତରେ ପୂର୍ଣ୍ଣ ପରିପକ୍ୱତା ଆସିବା ପର୍ଯ୍ୟନ୍ତ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରୁ ଅଲଗା କରାଯାଉଛି । ଅନ୍ୟପଟେ ତାଙ୍କ ବାପା ଆନନ୍ଦ କୁମାର ପାର୍ଟି ଏବଂ ଅଭିଯାନରେ ନିଜ ଦାୟିତ୍ୱକୁ ପୂର୍ବ ପରି ଜାରି ରଖିବେ । ବିଏସପିର ନେତୃତ୍ୱ ପାର୍ଟି ଏବଂ ଅଭିଯାନର ହିତ ଏବଂ ବାବା ସାହେବ ଡ.ଆମ୍ୱେଦକରଙ୍କ ଲକ୍ଷ୍ୟକୁ ଆଗକୁ ବଢିବାରେ ସବୁ ପ୍ରକାର ତ୍ୟାଗ ଏବଂ ବଳିଦାନରୁ ପଛକୁ ହଟିବ ନାହିଁ ।'

ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ୨୦୨୩ ଡିସେମ୍ୱର ୧୦ରେ ପାର୍ଟିର ବରିଷ୍ଠ ନେତାଙ୍କ ଏକ ବୈଠକରେ ମାୟାବତୀ, ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ । ତେବେ ଏହି ଘୋଷଣା ପୂର୍ବରୁ ବି  ଆନନ୍ଦ ନିଜ ପିଉସୀଙ୍କ ସହ ପାର୍ଟିର କାର୍ଯ୍ୟକ୍ରମରେ ନଜର ଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.