ଶତକ ସହ ସୂର୍ଯ୍ୟକୁମାରଙ୍କ ରେକର୍ଡ; ଆଇପିଏଲରେ ଇତିହାସ ରଚିଲେ ମିଷ୍ଟର ୩୬୦

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ୫୫ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି । ସନ୍ ରାଇଜର୍ସକୁ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦଳ । ଏମ୍‌ଆଇର ଏହି  ବିଜୟ ପଛରେ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଇନିଂସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସ୍କାଏ ମାତ୍ର ୫୧ଟି ବଲ୍  ଖେଳି ୨୦୦ ଷ୍ଟ୍ରାଇକ୍ ରେଟରେ ୧୦୨ ରନ ସଂଗ୍ରହ କରିଥିଲେ । ଏଥିରେ ୧୨ଟି ଚୌକା ଏବଂ ୬ଟି ଛକା ରହିଛି । ଏହି ଶତକ ସହିତ ରେକର୍ଡ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟ କୁମାର । 

ସନ୍ ରାଇଜର୍ସ ବିରୋଧରେ ଓ୍ବାଙ୍ଖଡେରେ ରେକର୍ଡ କରିଛନ୍ତି ସୂର୍ଯ୍ୟ । ଆଇପିଏଲ ଇତିହାସରେ ସେ ଏକମାତ୍ର ଭାରତୀୟ ବ୍ୟାଟର ଯିଏ ଚତୁର୍ଥ ସ୍ଥାନ ଏବଂ ଏହା ଠାରୁ ତଳକ୍ରମରେ ସଫଳତାର ସହ ରନ୍ ଚେଜ୍ କରି ଶତକୀୟ ଇନିଂସ ଖେଳିଛନ୍ତି । ଏକ ବଡ଼ ଟାର୍ଗେଟକୁ ପିଛା କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟର ଏଭଳି କାରନାମା କରିନାହାନ୍ତି । ୨୦୧୭ରେ ବେସ୍ ଷ୍ଟୋକ୍ସ ଏବଂ ୨୦୧୩ରେ ଡେଭିଡ୍ ମିଲର ଟାର୍ଗେଟକୁ ପିଛା କରି ଶତକୀୟ ଇନିଂସ ଖେଳିଥିଲେ । ଏହାଛଡ଼ା ସୂର୍ଯ୍ୟକୁମାର ଟି-୨୦ରେ ୨୦୦ ଷ୍ଟ୍ରାଇକ୍ ରେଟରେ ୫ଟି ଶତକ ମାରିଥିବା କ୍ରିକେଟ ଭାବେ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଶୁବମନ ଗିଲ୍  ୪ଟି ଶତକ ୨୦୦ ଷ୍ଟ୍ରାଇକ୍ ହାରରେ ମାରିଛନ୍ତି ।  

ଆଇପିଏଲର ୫୫ତମ ମୁକାବିଲରେ ପ୍ରଥମେ ବ୍ୟାଟିଂ କରି ସନ ରାଇଜର୍ସ ହାଇଦ୍ରାବାଦ ୧୭୩ ସଂଗ୍ରହ କରିଥିଲା । ଏହାକୁ ପିଛା କରି ମୁମ୍ବାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ୍ ବର୍ମା ଖେଳ ସମ୍ଭାଳି ନେଇଥିଲେ । ଚତୁର୍ଥ ଓ୍ବିକେଟରେ ସୂର୍ଯ୍ୟକୁମାର ଓ ତିଲକ୍ ୭୯ଟି ବଲରେ ୧୪୩ରନ ଭାଗିଦାରୀ ବନେଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୭.୨ ଓଭରରେ ମ୍ୟାଚ ଜିତି ନେଇଥିଲା । ସୂର୍ଯ୍ୟକୁମାର ପ୍ଲେୟାର ଅପ୍ ଦି ମ୍ୟାଚ୍ ହୋଇଥିଲେ । 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.