LIVE TV

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ପୁଣି ତାଣ୍ଡବ ରଚିବ ପାଗ!

NEWS7
ipl-2021-rb-maxell

ଚେନ୍ନାଇ ୨।୧୧: ଆଞ୍ଚଳିକ ପାଣିପାଗ କେନ୍ଦ୍ର (ଆରଏମସି)  ଚେନ୍ନାଇ ବଙ୍ଗୋପସାଗରରେ ରବିବାର ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଙ୍କା ବ୍ୟକ୍ତ କରିଛି। ତେବେ ଏଥି ଯୋଗୁ ତାମିଲନାଡୁରେ ବର୍ଷାର ସମ୍ଭାବନା ନାହିଁ। ଏହି ସିଷ୍ଟମ ବର୍ତ୍ତମାନ ମ୍ୟାଁମାରର ଦକ୍ଷିଣ ଭାଗ ଓ ସଲଗ୍ନ ଆଣ୍ଡାମାନ ସାଗର ଉପରେ ବିକଶିତ ହେଉଛି। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ର ହେବ ବୋଲି ପୂର୍ବାନୁମାନ କରାଯାଉଛି।

ଆରଏମସି ପକ୍ଷରୁ ସଦ୍ୟ ଜାରି ପାଣିପାଗ ବୁଲେଟିନରେ କୁହାଯାଇଛି ଯେ ‘ଦକ୍ଷିଣ ମ୍ୟାଁମାର ଓ ସଲଗ୍ନ ଆଣ୍ଡାମାନ ସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସେହି କ୍ଷେତ୍ରରେ ମଜଭୁତ ହୋଇ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି’।  ବିଭାଗ କହିଛି ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ବର୍ଷାର କୌଣସି ଆଶଙ୍କା ନାହିଁ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ଏହି ସିଷ୍ଟମର ଗତି ଓ ତୀବ୍ରତା ଆଗାମୀ ଦିନରେ ଏହା ଅବପାତରେ ପରିଣତ ହେବ ନା ସାଇକ୍ଲୋନର ରୂପ ନେବ ତାହା ନିର୍ଦ୍ଧାରଣ କରିବ। ତେବେ ଯଦି ପରିସ୍ଥିତି ଅନୁକୂଳ ରହିଲା ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ସପ୍ତାହ ଶେଷ ବେଳକୁ ଆନ୍ଧ୍ରପ୍ରଦେଶ ଏବଂ ଉପକୂଳ ତାମିଲନାଡୁରେ କାଁ ଭାଁ ବର୍ଷା ହେବ।

ଏଥି ମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ପୂର୍ବ-ମଧ୍ୟ ଆରବ ସାଗରରେ ଥିବା ଲଘୁଚାପ କ୍ଷେତ୍ର ଯାହା ଅକ୍ଟୋବର ୩୧ରେ ସୃଷ୍ଟି ହୋଇଥିଲା ତାହା ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ ହୋଇଥିବା କହିଛି। ଆଇଏମଡିଙ୍କ ଅନୁସାରେ ଏହା ଆହୁରି ଦୁର୍ବଳ ହୋଇ ଉତ୍ତର-ପୂର୍ବ ଆରବ ସାଗର ଓ ଦକ୍ଷିଣ ଗୁଜରାଟ ଉପକୂଳ ଆଡକୁ ଅଗ୍ରସର ହୋଇ ବିଲୁପ୍ତ ହେବା ପୂର୍ବରୁ ଏକ ଛୋଟ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ ହେବ।

ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଲଗ୍ନ ଆଣ୍ଡାମାନ ସାଗରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରେ। ଏଣୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ସୃଷ୍ଟି ହେଉଥିବା ନୂଆ ଲଘୁଚାପ କ୍ଷେତ୍ର ଯୋଗୁ ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ୫୫ କିଲୋମିଟର ମଧ୍ୟ ହୋଇପାରେ। ତେବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ପରବର୍ତ୍ତି ରିପୋର୍ଟ ଜାରି କରାଯିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।