ବଢ଼ିପାରେ ଏମଡିଏଚ୍‌ ଏବଂ ଏଭରେଷ୍ଟ ପାଇଁ ଅଡ଼ୁଆ, ଏବେ ଏହି ଦେଶ ଆରମ୍ଭ କଲା ମସଲାର ଯାଞ୍ଚ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ: ଦେଶର ଦୁଇ ଲୋକପ୍ରିୟ ମସଲା ବ୍ରାଣ୍ଡ୍‌ ଏମଡିଏଚ ଏବଂ ଏଭରେଷ୍ଟ ପାଇଁ ପୁଣି ବଢ଼ିପାରେ ଅଡ଼ୁଆ। କାରଣ ସିଙ୍ଗାପୁର, ହଂକଂ ଆମେରିକା ଏବଂ ଅଷ୍ଟ୍ରେଲିଆ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ଏହି କମ୍ପାନିଙ୍କ ବିରୋଧରେ ମସଲାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଖାଲି ସେତିକି ନୁହେଁ ଉଭୟ କମ୍ପାନିଙ୍କ ମସଲା ଉତ୍ପାଦରେ ସମ୍ଭାବିତ ରସାୟନ ମିଶ୍ରଣର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। 

ସୂଚନାଥାଉକି, ଏମଡିଏଚ ଏବଂ ଏଭରେଷ୍ଟର ମସଲା ଉତ୍ପାଦ ଗତ ମାସରେ ବିଦେଶୀ ଖାଦ୍ୟ ସୁରକ୍ଷା ନିୟାମକଙ୍କ ରାଡାରକୁ ଆସିଥିଲା। ପ୍ରକୃତରେ ସିଙ୍ଗାପୁରରେ ଏହି କମ୍ପାନିଙ୍କ କିଛି ପ୍ରଡକ୍ଟରେ ବିକ୍ରି ଉପରେ ରୋକ ଲାଗିଥିଲା। ସିଙ୍ଗାପୁର ଫୁଡ୍‌ ଏଜେନ୍ସୀ ଦାବି କରିଥିଲା ଯେ, ଏହି ମସଲାରେ ଏଥିଲିନ ଅକ୍ସାଇଡ୍‌ର ମାତ୍ରା ଅତ୍ୟଧିକ ରହିଛି, ଯାହା ମନୁଷ୍ୟ ଶରୀର ପାଇଁ ଉଚିତ୍‌ ନୁହେଁ।

ଏହା ପରେ ହଂକଂ ମଧ୍ୟ ଏହି କମ୍ପାନିଙ୍କ କିଛି ମସଲାର ବିକ୍ରି ଉପରେ ରୋକ୍‌ ଲଗାଇଥିଲେ। ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏମଡିଏଚ ଏବଂ ଏଭରେଷ୍ଟର ମସଲା ଉତ୍ପାଦରେ ସମ୍ଭାବିତ ରସାୟନର ମିଶ୍ରଣର ଯାଞ୍ଚ କରୁଛନ୍ତି।ସେପଟେ ଭାରତ ଖାଦ୍ୟ ସୁରକ୍ଷା ନିୟାମକ ଏମଡିଏଚ ଏବଂ ଏଭରେଷ୍ଟ ପ୍ଲାଣ୍ଟର ନିରୀକ୍ଷଣ କରିଛି ଏବଂ ବୈଶ୍ବିକ ଯାଞ୍ଚ ପରେ ସାମ୍ପୁଲ ଟ୍ରାଏଲ ପାଇଁ ପଠାଇଛି। 

ଉଲ୍ଲେଖଯୋଗ୍ୟ, ଏମଡିଏଚ ଏବଂ ଏଭରେଷ୍ଟର ଉତ୍ପାଦ ଭାରତରେ ଖୁବ୍‌ ଲୋକପ୍ରିୟ। ଏହା ୟୁରୋପ, ଏସିଆ, ଉତ୍ତର ଆମେରିକାର ଅନେକ ଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.