ଆମେରିକାରେ ଗୋଲ୍ଡି ବରାଡ଼ର ମୃତ୍ୟୁ ସୂଚନା, ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ଥିଲା ମାଷ୍ଟରମାଇଣ୍ଡ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି ବରାଡ଼ର ଗୁଳିମାଡ଼ରେ ମୃତ୍ୟୁ। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତାକୁ ଆମେରିକାରେ ଗୁଳିମାଡ଼ ହୋଇଛି। ଗୋଲ୍ଡିର ହତ୍ୟା ପାଇଁ ଡଲ୍ଲା-ଲଖବୀର ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୂଚନାଥାଉକି, ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଥିଲା ଗୋଲ୍ଡି ବରାଡ଼। ମୂସେଓ୍ବାଲାଙ୍କ ହତ୍ୟା ପରେ ତା’ର ନାଁ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାରେ ରହିଛି। ଅବଶ୍ୟ ମୂସେଓ୍ବାଲାଙ୍କ ହତ୍ୟା ପରେ ବି ଅନେକ ଘଟଣା ଘଟାଇସାରିଛି ଗୋଲ୍ଡି।

ଉଲ୍ଲେଖଯୋଗ୍ୟ, ଗୋଲ୍ଡି ବରାଡ଼ର ପ୍ରକୃତ ନାଁ ସତିନ୍ଦରଜିତ ସିଂହ। ୧୯୯୪ରେ ପଞ୍ଜାବର ମୁଖ୍‌ତର ସାହିବ ଜିଲ୍ଲାରେ ତା’ର ଜନ୍ମ । ଗୋଲ୍ଡି ବରାଡ଼ର ପିତା ପଞ୍ଜାବ ପୋଲିସରୁ ଅବସରପ୍ରାପ୍ତ ଉପ ନିରୀକ୍ଷକ।ତେବେ ଚଣ୍ଡିଗଡ଼ରେ ଗୋଲ୍ଡିର ସମ୍ପର୍କୀୟ ଭାଇ ଗୁରଲାଲ ବରାଡ଼କୁ ହତ୍ୟା ପରେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା। ଚଣ୍ଡିଗଡ଼ରେ ଇଣ୍ଡଷ୍ଟ୍ରିଆଲ ଏରିଆ ଫେଜ-୧ ସ୍ଥିତ ଏକ କ୍ଲବ ବାହାରେ ୨୦୨୦ ଅକ୍ଟୋବର ୧୧ରେ ପଞ୍ଜାବ ବିଶ୍ବବିଦ୍ୟାଳୟର ଛାତ୍ର ନେତା ଗୁରଲାଲ ବରାଡ଼ଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା।ଗୋଲ୍ଡି ବରାଡ଼ର ସମ୍ପର୍କୀୟ ଭାଇ ଗୁରଲାଲ ବରାଡ଼ ଲରେନ୍ସ ବିଶ୍ନୋଇର ଘନିଷ୍ଠ ଥିଲା। 

ଆହୁରି ପଢ଼ନ୍ତୁ:  ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା, ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ଆତ୍ମହତ୍ୟା

ଗୁରଲାଲ ବରାଡ଼କୁ ହତ୍ୟାବେଳେ ଗୋଲ୍ଡି କାନାଡାକୁ ଷ୍ଟଡି ଭିସାରେ ଯାଇଥିଲା। କିନ୍ତୁ ଭାଇକୁ ହତ୍ୟା ପରେ ସେ ପାଦ ଦେଇଥିଲା ଅପରାଧର ଦୁନିଆରେ। କାନାଡାରୁ ହିଁ ଗୋଲ୍ଡି ବରାଡ଼ ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଗୋଲ୍ଡି। ନିଜ ଭାଇ ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଲ୍ଡି ବରାଡ଼ ୨୦୨୧ ଫେବ୍ରୁଆରୀ ୧୮ରେ ପଞ୍ଜାବର ଫରିଦକୋଟରେ ଜିଲ୍ଲା ଯୁବ କଂଗ୍ରେସ ଅଧ୍ୟକ୍ଷ ଗୁରଲାଲ ସିଂହଙ୍କୁ ଗୁଳି ମାରି ହତ୍ୟା କରିଥିଲା। 

୨୦୨୨ରେ ହୋଇଥିଲା ମୂସେଓ୍ବାଲାଙ୍କ ହତ୍ୟା:

୨୦୨୨ ମେ ୨୯ରେ ପଞ୍ଜାବର ମାନସା ଜିଲ୍ଲାର ଜବାହରକେ ଗାଁ ନିକଟରେ ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପାଇଁ ଗୋଲ୍ଡି ବରାଡ଼ ନିଜକୁ ଦାୟୀ କରିବା ସହ ହତ୍ୟାର କାରଣ କହିଥିଲା। ଗୋଲ୍ଡି କହିଥିଲା ମୋହାଲୀରେ ମିଡ୍ଡୁଖେଡ଼ାର ହତ୍ୟା ମାମଲାରେ ସାମିଲ ଲୋକଙ୍କୁ ମୂସେଓ୍ବାଲାଙ୍କ ମ୍ୟାନେଜର ଆଶ୍ରୟ ଦେଇଥିଲେ। ପରେ ମୂସେଓ୍ବାଲା ନିଜ ମ୍ୟାନେଜରଙ୍କୁ ସାହାଯ୍ୟ କରିଥିଲେ। ଏହି ବିବାଦକୁ ନେଇ ଲରେନ୍ସ ଗ୍ୟାଙ୍ଗ ମୂସେଓ୍ବାଲାଙ୍କୁ ହତ୍ୟା କରିଥିଲା। ପଞ୍ଜାବର ମୁଖ୍ତସର ଜିଲ୍ଲାର ମଲୋଟରେ ରଣଜିତ ସିଂହ ଓରଫ ରାଣା ସିଦ୍ଧୁଙ୍କ ହତ୍ୟାରେ ଗୋଲ୍ଡି ବରାଡ଼ ସାମିଲ ଥିଲା। ହତ୍ୟାରୁ ଆରମ୍ଭ ହୋଇଥିବା ଅପରାଧର ଏହି ଛକାପଞ୍ଝା ଏବେବି ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.